ମାମୁ ଘରକୁ ବୁଲି ଆସି ପୋଖରୀରେ ବୁଡ଼ି ଗଲେ ଦୁଇ ଭଉଣୀ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଦୁଃଖଦ ଘଟଣା ଘଟିଛି। ମାମୁ ଘରକୁ ବୁଲି ଆସିଥିବା ୨ ଭଉଣୀଙ୍କର ପୋଖରୀରେ ବୁଡ଼ି  ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶୀତଳ ବଘେଲ ଓ ତନିସା ବଘେଲ। ଉଭୟଙ୍କ ଘର ଛତିଶଗଡ଼ର ରାୟପୁରରେ ବୋଲି ଜଣାପଡ଼ିଛି। ଶୀତଳଙ୍କ ବୟସ ୧୯ବର୍ଷ ହୋଇଥିବା ବେଳେ ତନିଶାଙ୍କ ବୟସ ୧୩ବର୍ଷ।

ଗତକାଲି ଶୀତଳ ଓ ତନିଶା ଆଈ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ ଖସିଯିବାରୁ ଦୁହେଁ ବୁଡି ଯାଇଥିଲେ। ଦୁଇ ନାତୁଣୀ ବୁଡ଼ି ଯାଉଥିବା ଦେଖି ଆଈ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ଚିତ୍କାର କରିବାରୁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା। ଖଡ଼ିଆଳ ପୁଲିସ୍ ଦୁଇ ଭଉଣୀଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।