ଓଡ଼ିଶାରେ ୟୁକେ ଷ୍ଟ୍ରେନ୍, ଭୟଭୀତ ନହେବାକୁ ଅପିଲ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ୍ କରୋନା ଆକ୍ରାନ୍ତ ଗତ ଡିସେମ୍ବର ମାସରେ ବ୍ରିଟେନ୍ରୁ ଫେରିଥିଲେ। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏହା ଜଣାପଡ଼ିଥିଲା। ଲୋକେ ଭୟଭୀତ ହୋଇପଡ଼ିବା ଆଶଙ୍କା କରି ପ୍ରକାଶ କରାଯାଉନଥିଲା। ଆଜି ଏ ସମ୍ପର୍କରେ ଜଣାପଡ଼ିବା ପରେ ଭୟଭୀତ ନହେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣଙ୍କଠାରେ ୟୁକେ ଷ୍ଟ୍ରେନ୍ ରହିଥିବା ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ଆଜି ସୂଚନା ଦେଇଥିଲେ। ୧୮ଟି ରାଜ୍ୟରୁ ମୋଟ୍ ୭୭୧ ଜଣଠାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ୟୁକେ ଷ୍ଟ୍ରେନ ହୋଇଥିବା ବେଳେ ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ବୋଲି ଚିହ୍ନଟ ହୋଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୯୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୭୧ ହେଉଛି ଲୋକାଲ୍ କେସ ରହିଛି। ଏଥିରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୩, ଖୋର୍ଦ୍ଧାରୁ ୨୩, ଅନୁଗୋଳରୁ ୨, ବାଲେଶ୍ୱରରୁ ୭ , ବରଗଡ଼ରୁ ୨, ବଲାଙ୍ଗିରରୁ ୫, ଭଦ୍ରକରୁ ୧ ଓ ଦେବଗଡ଼ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।