ପ୍ରେମିକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପ୍ରେମିକାଙ୍କ ବାପା, ୬ ଅଭିଯୁକ୍ତ ଗିରଫ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ରାତିରେ ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିଲେ ପ୍ରେମିକ। ଅନ୍ଧାର ରାତିରେ ଉଭୟ କଥା ହେଉଥିଲେ। ହଠାତ୍‌ ଦେଖି ପକାଇଲେ ପ୍ରେମିକାଙ୍କ ବାପା। ଆଉ ସଙ୍ଗେ ସଙ୍ଗେ ପ୍ରେମିକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇ ବେହେ ଛେଚିଲେ। ପରେ ଭିଡିଓ ଶୁଟିଂ କରି ଭାଇରାଲ୍‌ କରିଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ପ୍ରେମିକଙ୍କ ବାପାଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ।

ରାଇଘର ବ୍ଲକ କଚରାପାରା ଆଦିବାସୀ ଗାଁର ହେମଲାଲ୍‌ ଗଣ୍ଡ ଦେବାଗାଁ ପଞ୍ଚାୟତ ଗେଣ୍ଡି(ଛଦ୍ମନାମ)କୁ ପ୍ରେମ କରୁଥିଲେ। ହେମଲାଲଙ୍କୁ ମଧ୍ୟ ଗେଣ୍ଡି ଭଲ ପାଉଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଦଶହରାରେ ଫୋନ୍‌ କଲ ପାଇ ହେମଲାଲ, ପ୍ରେମିକାଙ୍କ ଘରକୁ ଡାକିଥିଲେ। ରାତିରେ ହେମଲାଲ ତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଦୁହେଁ କଥାବାର୍ତ୍ତା ହେଉଥିଲେ। ଠିକ୍‌ ସେହି ସମୟରେ ଗେଣ୍ଡିଙ୍କ ବାପାଙ୍କ ହାତରେ ଧରା ପଡ଼ି ଯାଇଥିଲେ।

ହେମ୍‌ଲାଲଙ୍କୁ ଗେଣ୍ଡିଙ୍କ ପରିବାର ଲୋକେ କାବୁ କରିନେଇଥିଲେ। ପରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇଥିଲେ। ତା’ପରେ ହେମଲାଲଙ୍କୁ ନିର୍ଧୁମ ପିଟିଥିଲେ। ଏପରିକି ମାଡ଼ ମାରିବାର ଦୃଶ୍ୟକୁ ମୋବାଇଲରେ ଭିଡିଓ ରେକଡିଂ କରିଥିଲେ। ପରେ ସେହି ଭିଡିଓକୁ ଭାଇରଲ କରିଦେଇଥିଲେ। ଭିଡିଓ ଘୁରି ଘୁରି ହେମଲାଲଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବୈଠକ ବସିଥିଲା। ମାଡ ମରା ଭିଡିଓ ଭାଇରାଲ ଯୋଗୁ ମାମଲା ସମାଧାନ ହୋଇ ପାରିନଥିଲା।

ହେମ୍‌ଲାଲଙ୍କ ପରିବାର ଲୋକେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଫ୍‌ଆଇଆର୍‌ରେ ଭାଇରାଲ୍‌ ହୋଇଥିବା ଭିଡିଓ ସମ୍ପର୍କରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଝିଅର ବାପାଙ୍କ ସମେତ ୬ ଜଣକୁ ଗିରଫ କରି କୋର୍ଟ ଚଳାନ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।