ଭୁବନେଶ୍ୱର: ୟୁନିଫାଏଡ଼ କମାଣ୍ଡ ବୈଠକରେ ମାଓ ଦମନ ଲାଗି ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ୟୁନିଫାଏଡ଼ କମାଣ୍ଡ ବୈଠକ ଶେଷ ହୋଇଛି। ଚଳିତବର୍ଷ କିପରି ମାଓ ଦମନ କ୍ଷେତ୍ରରେ ମୁକାବିଲା କରାଯିବ ସେ ନେଇ ବୈଠକରେ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ମଧ୍ୟରେ ବୁଝାମଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ମାଓ ଗତିବିଧି ବଢ଼ିଥିବାରୁ ଏହାକୁ ନିୟନ୍ତ୍ରଣ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଏଥିରେ ପୋଲିସ ଡିଜି କେବି ସିଂହଙ୍କ ସହ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ, ଗୁଇନ୍ଦା ବିଭାଗ ଅଧିକାରୀ, ବିଏସଏଫ୍ ଓ ସିଆଇଏସଏଫ୍ ଅଧିକାରୀ ସାମିଲ ହୋଇଥିଲେ।

ବୈଠକର କେନ୍ଦ୍ରୀୟ ପାରା ମିଲିଟାରି ଫୋର୍ସ ଓ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୬ ବାଟାଲିୟନ ବିଏସଏଫ୍ ଓ ସିଆରପିଏଫ୍ ଯବାନ ମୁତୟନ ଅଛନ୍ତି। ତେବେ କିଭଳି ସୁରକ୍ଷା କର୍ମୀଙ୍କ ମଧ୍ୟରେ ବୁଝାମଣା ରହିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଅନୁଗୋଳ, ମୟୂରଭଞ୍ଜ ଭଳି ଜିଲ୍ଲାରେ ମାଓ ଗତିବିଧି ବଢିଛି। ଏହାର କିଭଳି ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଅବିଭକ୍ତ କୋରାପୁଟ ସହିତ ଅନ୍ୟ ଅଞ୍ଚଳରେ କିଭଳି ମାଓ ମୁକାବିଲା ହେବ ବିସ୍ତୃତ ଭାବେ ରଣନୀତି ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ଯେଉଁ ସ୍ଥାନରେ ପାରା ମିଲିଟାରି ଫୋର୍ସ ମୁତୟନ ଅଛନ୍ତି ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବେ କି ନାହିଁ ସେ ମଧ୍ୟ ବିଏସଏଫ୍ ଓ ସିଆରପିଏଫର ମତ ଲୋଡାଯାଇଥିଲା।

ଏହାଛଡା ମାଓ ପ୍ରଭାବିତ ଅଞ୍ଚଳର ବିକାଶ ଉପରେ ବି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦାୟିତ୍ୱ ନେବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ପୋଲିସ ଡିଜି କେ.ବି. ସିଂହଙ୍କର ଏହା ଥିଲା ପ୍ରଥମ ୟୁନିଫାଏଡ କମାଣ୍ଡ ବୈଠକ।