ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଫସଲ ବୀମା ଯୋଜନା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜାରି ରହିଛି ଦୋଷ ଲଦାଲଦି। ଗତକାଲି ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି।

ଚିଠିରେ ତୋମାର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତେବେ ଏଥିଲାଗି ଥିବା ସଠିକ୍ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି।

ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ। ଓଡ଼ିଶାର ଅନେକ ମରୁଡିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲା। ଏହାସତ୍ତ୍ୱେ ଚାଷୀଙ୍କୁ ବୀମା ରାଶି ମିଳି ନ ଥିଲା। ଏନେଇ ଦେଖାଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ରାଜ୍ୟସ୍ତରରେ ବିବାଦଗୁଡିକର ସମାଧାନ ଲାଗି ରାଜ୍ୟ ସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ରହିଛି। ସମସ୍ୟା ସମାଧାନ ହୋଇ ନ ପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି।

୨୦୨୧ ଖରିଫ ଋତୁରେ ଫସଲ ଅମଳକୁ ନେଇ ଦେଖାଦେଇଥିବା କିଛି ବିବାଦକୁ MNCFCକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି। ଗତ ୩ ତାରିଖରେ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ MNCFC ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। ଆଉ ୭ ତାରିଖରେ ଏହାକୁ ଅନୁମୋଦନ କରାଯାଇଥିଲା। ଏହି କ୍ରମରେ ବୀମା କମ୍ପାନୀଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ବିବାଦୀୟ ଜିଲ୍ଲାଗୁଡିକର ଅଧିକାଂଶ ବୀମା ଦାବି ସମାଧାନ ହୋଇସାରିଛି। ତେବେ ବାକି ୯ ଜିଲ୍ଲା ମଧ୍ୟରୁ ଦାବି କରାଯାଇଥିବା ୭୨୩ କୋଟି ଟଙ୍କା ମଧ୍ୟରୁ ୬୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।