ହାଇକୋର୍ଟ ବେଞ୍ଚ: ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ, ମାଗିଲେ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ସ୍ୱତନ୍ତ୍ର ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦାବି ନବୀନ ପଟ୍ଟନାୟକ ସରକାରଙ୍କ ରାଜନୀତିକ ପଶାପାଲିରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଗତ ଦୁଇ ଦଶନ୍ଧି ଧରି ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଦୋଷ ଲଦି ଖସିଯାଉଥିବା ନବୀନ ପଟ୍ଟନାୟକ ସରକାରଙ୍କ ଅସଲ ମୁଖା ଏବେ ପୁଣିଥରେ ଖୋଲିଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ କେନ୍ଦ୍ର ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ତାରିଖରେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଆଉ ଏହି ଚିଠି ଆଧାରରେ ତତକାଳୀନ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୦୧୯ ଜାନୁୟାରୀ ୧୨ ଓ ବର୍ତ୍ତମାନର ଆଇନମନ୍ତ୍ରୀ କିରେନ ରିଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଯଶବନ୍ତ ସିଂ କମିଶନଙ୍କ ସୁପାରିସ୍ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରସ୍ତାବ ପଠାଇବା ନିମନ୍ତେ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ପ୍ରସଙ୍ଗରେ ଯଶବନ୍ତ ସିଂ କମିଶନ ସୁପାରିଶ ଆଧାରରେ ପ୍ରସ୍ତାବ ପଠାଇବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ତାରିଖରେ ଏହି ସ୍ଥାୟୀ ବେଂଚ ସ୍ଥାପନକୁ ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଅସମ୍ପୂର୍ଣ୍ଣ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରି ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ଉଚିତ୍ ବୋଲି ଶ୍ରୀ ରିଜୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏପରିକି ସ୍ଥାୟୀ ବେଂଚ ଯେଉଁଠି ସ୍ଥାପନ ହେବ ସେହି ଜମି, କୋଠା, ବିଚାରପତି ଓ କର୍ମଚାରୀମାନଙ୍କ ପାଇଁ ଆବାସିକ ସୁବିଧା, ଦୈନନ୍ଦିନ ପ୍ରଶାସନିକ ଖର୍ଚ୍ଚ ଆଦି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ଆଣି ପ୍ରସ୍ତାବ ପଠାଇବାକୁ ସେ ଅନୁରୋଧ କରିଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି କାହିଁକି? ନିଜର ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟର ବିଭିନ୍ନ ଭାଗର ଲୋକଙ୍କୁ ବଂଚିତ କରିବା ପଛରେ କ’ଣ ରହସ୍ୟ ରହିଛି? ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ନିଜେ ଗଢ଼ିଥିବା ସିଆର ପାଲ୍ କମିଶନ ୨୦୧୪ ମାର୍ଚ୍ଚ ୩୧ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ମଧ୍ୟ ତାକୁ ସାର୍ବଜନୀନ କରିବା ପାଇଁ କାହିଁକି ନବୀନ ପଟ୍ଟନାୟକ ସରକାର ସାହାସ କରିପାରୁନି?
ଆଉ ଏସବୁ ଭିତରେ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନକୁ ପ୍ରଶମିତ କରିବା ନିମନ୍ତେ ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରି ସଫଳ ହେବାରେ ଲାଗିଛି।

ବିଶେଷକରି ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ନେଇ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ୨୦୧୮ ମାର୍ଚ୍ଚ ୮ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିରେ ଗୃହ, ଅର୍ଥ, ରାଜସ୍ୱ ଓ ଆଇନ ବିଭାଗର ସଚିବମାନେ ସଦସ୍ୟ ଥିବାବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି କମିଟିର ଆବାହକ ଥିଲେ।

ଏହି କମିଟି ହିଁ ହାଇକୋର୍ଟଙ୍କ ସହ ବିଚାରବିମର୍ଶ କରି ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଓ ସମ୍ମତି ଯୋଗାଡ଼ କରିବାକୁ କ୍ଷମତାସମ୍ପନ୍ନ ଥିଲା। ୨୦୧୯ ଅଗଷ୍ଟ ୩୦ରେ ଏହି କମିଟିର ପୁର୍ନଗଠନ ବି ହୋଇଥିଲା । କିନ୍ତୁ ଏହି କମିଟିର ସ୍ଥିତି ଏବେ କ’ଣ, କାହିଁକି ହାଇକୋର୍ଟଙ୍କଠୁ ସମ୍ମତି ଆଣିବାରେ ରାଜ୍ୟ ସରକାର ସକ୍ଷମ ହେଉନାହାନ୍ତି ତାହା କେହି ଜାଣନ୍ତି ନାହିଁ?

ଏପଟେ, ରାଜ୍ୟର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ବାରମ୍ବାର ସମାନ ଉତ୍ତର ପାଉଛନ୍ତି। ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇ ନଥିବାରୁ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇପାରୁନଥିବା ଜଣାଇଛନ୍ତି । ୨୦୧୯ ଅଗଷ୍ଟ ୮ରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ୨୦୨୦ ମାର୍ଚ୍ଚ ୩ରେ ସାଂସଦ ବସନ୍ତ ପଣ୍ଡା ଓ ମାର୍ଚ୍ଚ ୪ରେ ସପ୍ତଗିରି ଉଲାକା, ୨୦୨୧ ଫେବୃୟାରୀ ୧୦ରେ ସାଂସଦ ସଙ୍ଗୀତା ସିଂହଦେଓ, ୨୦୨୧ ଡିସେମ୍ବର ୧୭ରେ ସାଂସଦ ବସନ୍ତ ପଣ୍ଡା ଓ ସପ୍ତଗିରି ଉଲାକା ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ ମଧ୍ୟ ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି।

ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ରାଜ୍ୟ ସରକାର ଭୁଲି ଶୀତଳଭଣ୍ଡାରରେ ପକାଇ ଦେଇଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜୁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିବା ଓଡ଼ିଶା ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ପଦାରେ ପକାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।