କୋରେଇ ଟ୍ରେନ୍‌ ଦୁର୍ଘଟଣା: କେନ୍ଦ୍ର ଦେବ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା, ରାଜ୍ୟ ଦେବ ୨ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳେ ଘଟିଥିବା ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  ସୂଚନା ଦିଆଯାଇଛି।

ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତି ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

ଆଜି ସକାଳ ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍‌ଟି ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ୍‌ ଓଭରବ୍ରିଜ ଉପରେ ବି ମାଡ଼ି ଯିବାରୁ ୨ ଜଣ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୦ଟି ଜେସିବି ନିୟୋଜିତ ଅଛି। ଟ୍ରାକ୍‌ ଉପରେ ଏଣେତେଣେ ପଡ଼ିଥିବା ବଗିକୁ ଉଠାଇବାକୁ ପ୍ରାଥମିକତା ଦିଆଯାଉଛି।

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଉଭୟ ଲାଇନ ବ୍ଲକ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଟ୍ରାକ୍‌ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି। ଏଥିପାଇଁ ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୨ଟି ଟ୍ରେନ୍‌ର ମାର୍ଗ ପରିଦର୍ଶନ କରାଯାଇଛି। ସେହିପରି ୫ଟି ଟ୍ରେନକୁ ଆଶିଂକ ବାତିଲ କରାଯାଇଛି।

ଟ୍ରାକ୍‌ ଉପରୁ ସବୁ ବଗି ଉଠିବା ପରେ ପ୍ରାୟ ୨ ଘଣ୍ଟା ଭିତରେ ଟ୍ରାକ୍‌ର ପୁନଃ ମରାମତି କାମ ସରିଯିବ ବୋଲି ଶ୍ରମିକ ନେତା କହିଛନ୍ତି। ଫଳରେ ପୁନଶ୍ଚ ରେଳ ଚଳାଚଳ ସ୍ୱାଭାବିକ ହୋଇ ପାରିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।