ତାଳଚେର-ବିମଳାଗଡ଼ ରେଳମାର୍ଗ କାମ ମନ୍ଥର ପାଇଁ ରାଜ୍ୟକୁ ଦୋଷ ଦେଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ମନ୍ଥରତା ଯୋଗୁୁ ତାଳଚେର-ବିମଳାଗଡ(୧୫୦କିମି) ରେଳଲାଇନ ନିର୍ମାଣ କାର୍ଯ୍ୟ ଧିମେଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାସହିତ ତାଳଚେର-ବିମଳାଗଡ଼ ନୂଆ ରେଳଲାଇନ ନିର୍ମାଣରେ ହେଉଥିବା ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର ବିସ୍ତୃତ ତଥ୍ୟ ଦେଇଛନ୍ତି। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ରାଜ୍ୟର ବିଜେଡି ସରକାର ବାରମ୍ବାର କହୁଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଏ ଗୋଏଲଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି।

ଲୋକସଭାରେ ସାଂସଦ ଜୁଏଲ ଓରାମ ଓ ମହେଶ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗତକାଲି ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ, ୧୫୦କିମି ଲମ୍ବ ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳଲାଇନ ପ୍ରକଳ୍ପ ପାଇଁ ୧୯୨୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏପର୍ଯ୍ୟନ୍ତ ୮୩୯କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରେଳଲାଇନ ପାଇଁ ୧୪୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତାଳଚେର-ସୁନାଖଣି ମଧ୍ୟରେ ୨୦କିମି ରେଳମାର୍ଗ ନିର୍ମାଣ ସରିଛି। ଏବେ ଆଉ ୨୩.୫କିମି ରେଳମାର୍ଗ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ରାଜ୍ୟ ସରକାର ଏଥିପାଇଁ ୯୧୬ଏକର ଜମି ଅଧିଗ୍ରହଣ କରି ତୁରନ୍ତ ରେଳବାଇ ବିଭାଗକୁ ହସ୍ତାନ୍ତର କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଚିତ୍ ବୋଲି ଶ୍ରୀ ଗୋଏଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅନେକ ଦିଗ ଉପରେ ନିର୍ଭର କରେ। ରାଜ୍ୟ ସରକାରଙ୍କ ଦ୍ୱାରା ତ୍ୱରିତ୍ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗ ଦ୍ୱାରା ଜଙ୍ଗଲ କ୍ଲିଅରାନ୍ସ, ବିଭିନ୍ନ ପ୍ରକାରର ସାମଗ୍ରୀର ସ୍ଥାନାନ୍ତର, ବିଭିନ୍ନ କର୍ତ୍ତୃପକ୍ଷଙ୍କଠୁ ବୈଧାନିକ କ୍ଲିଅରାନ୍ସ, ପ୍ରକଳ୍ପ ସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି, ପ୍ରକଳ୍ପ ଅଂଚଳରେ ପାଣିପାଗ ସ୍ଥିତି ଆଦିକୁ ବିଚାରକୁ ନିଆଯାଇଥାଏ। ପ୍ରକଳ୍ପ ଖର୍ଚ୍ଚ ବୃଦ୍ଧି ନକରି ଅଟକଳ ହୋଇଥିବା ବ୍ୟୟରାଶି ମଧ୍ୟରେ ପ୍ରକଳ୍ପ ସାରିବା ନିମନ୍ତେ କ୍ଷେତ୍ରସ୍ତରରୁ ଜୋନାଲ ଓ ବୋର୍ଡସ୍ତର ପର୍ଯ୍ୟନ୍ତ ରେଳବାଇ ଅଧିକାରୀମାନେ ନିୟମିତ ସମୀକ୍ଷା କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥାନ୍ତି ବୋଲି ଶ୍ରୀ ଗୋଏ କହିଛନ୍ତି।

ସେ ଅନୁଗୁଳ-ସୁକିନ୍ଦା(୧୦୪କିମି) ରେଳ ମାର୍ଗ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ ଏକ ଯୌଥ ଉଦ୍ୟୋଗ( ଅନୁଗୁଳ ସୁକିନ୍ଦା ରେଳଲାଇନ ଲିଃ କମ୍ପାନୀ) ଗଠନ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୨ ଜୁନ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ଇକ୍ୱିଟି ଓ ଋଣ ଆକାରରେ ଅଣାଯାଇ ସାରିଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।