ପୁନେରେ ଉତ୍କଳ ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପୁନେ(ଓଡିଶା ରିପୋର୍ଟର): ପୁନେ ସହରର ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ଉତ୍କଳ ସମାଜ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଉତ୍କଳ ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୭ ଜୁନ୍‌ରେ ସ୍ଥାନୀୟ ଆନ୍ନାସାହେବ ମଗର ଷ୍ଟାଡିଆମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଜାଗୁଆର୍ସ, ଵ୍ରହ୍ମପୁର ବ୍ଲାଷ୍ଟରର୍ସ, ବାଲେଶ୍ୱର ବୁଲସ୍‌, ରାଉରକେଲା ରେଞ୍ଜରସ୍‌, ସମ୍ବଲପୁର ସମୁରାଇସ ଓ କଟକ କ୍ରୁଜର୍ସ ଏହି ଭଳି ମୋଟ ୬ଟି ଦଳ ସାମିଲ ହୋଇଥିଲେ। ପୁନେ ସହରର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଓଡ଼ିଆ ଅଧିବାସୀ ଉପସ୍ଥିତ ରହି ଓଡ଼ିଆ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଫାଇନାଲ ମ୍ୟାଚ୍‌ ବାଲେଶ୍ୱର ବୁଲସ୍‌ ଓ କଟକ କ୍ରୁଜର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବାଲେଶ୍ଵର ବୁଲସ୍‌ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ବାଲେଶ୍ଵର ଦଳ ନିର୍ଦ୍ଧାରିତ ୧୫ ଓଭରରେ ୪ ଉଇକେଟରେ ୧୧୩ ରନ କରିଥିଲା। ଦଳ ପକ୍ଷରୁ ଶରତ ସର୍ବାଧିକ ୩୮ରନ ଓ ଜ୍ୟୋତିରଞ୍ଜନ ୩୪ ରନ ସଂଗ୍ରହ କରିଥିଲେ। ଦ୍ଵିତୀୟ ପାଳିରେ ବ୍ୟାଟିଂ କରି କଟକ ଦଳ ସମସ୍ତ ଉଇକେଟ ହରାଇ ୬୧ ରନ ସଂଗ୍ରହ କରିଥିଲା। ବାଲେଶ୍ଵର ଦଳର ଆଶିଷ ହ୍ୟାଟ୍ରିକ କରିବା ସହ ୧୦ ରନ୍‌ରେ ୫ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। କଟକ ଦଳର ଆଲୋକ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ମ୍ୟାନ ଅଫ ଦି ସିରିଜ, ବାଲେଶ୍ୱର ଦଳର ଆଶିଷ ବେଷ୍ଟ ବୋଲର, ରାଉରକେଲା ଦଳର ବସନ୍ତ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ ହୋଇଥିଲେ।

ଶ୍ରୀମତୀ ଶୁଭଦର୍ଶିନୀ ଦେବତା ଓ ଦିଲ୍ଲୀପ ମେକାପ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଉତ୍କଳ ସମାଜର ଅଧ୍ୟକ୍ଷ ଅମୁଲ୍ୟ ବଳ ଓ କୋଷାଧ୍ୟକ୍ଷ ଜ୍ଞାନରଞ୍ଜନ ପଣ୍ଡା ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ନଭେମ୍ବରରେ ଖେଳାଯିବ ବୋଲି ଉତ୍କଳ ସମାଜ ପୁନେର କ୍ରୀଡା ବିଭାଗ ତରଫରୁ ସୂଚନା ଦିଆଯାଇଛି।