‘ଜିତିବା ସମ୍ଭାବନା ଥିବା ନେତା ପାଇବେ ଟିକଟ, ବୟାନବାଜି କରୁଥିବା ନେତାଙ୍କୁ ଲଗାମ’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦୂର ହେଲା ପ୍ରଦେଶ କଂଗ୍ରେସ କମିଟିର ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ଦ୍ୱନ୍ଦ୍ୱ । ଯାହାର ଜିତିବାର ସମ୍ଭାବନା ଥିବ, ସେହିଭଳି ଲୋକଙ୍କୁ ନିର୍ବାଚନରେ କଂଗ୍ରେସ ଟିକେଟ ମିଳିବ ବୋଲି ପିସିସି ସଭାପତି ସ୍ପଷ୍ଟ କରିଛନ୍ତି । ସେପଟେ ଜିଲା ସଭାପତି ଚୟନକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଦୂର ପାଇଁ ଖୁବ୍ ଶୀଘ୍ର ପରିବର୍ଦ୍ଧିତ ଜିଲା କମିଟି ଘୋଷଣା କରାଯିବ। ଏଥିସହିତ ଦଳରେ ଶୃଙ୍ଖଳା ରକ୍ଷା ଓ ନେତାଙ୍କ ଭିତରେ ବୟାନବାଜି ରୋକିବା ଲାଗି ପିସିସି ସର୍କୁଲାର ଜାରି କରିବ ବୋଲି କହିଛନ୍ତି ନିରଞ୍ଜନ ।

ଯାହାର ଜିତିବାକୁ ହାୱା ଥିବ ସେହିଭଳି ନେତାଙ୍କୁ କଂଗ୍ରେସ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବ। ଯୁବକ, ମହିଳା  ଓ ନୂଆ ଚେହେରାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ । ଯିଏ ଜିଲ୍ଲା ସଭାପତି ହେବେ, ସେମାନେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ପୂର୍ବରୁ ପିସିସି ସଭାପତି କହିଥିଲେ । ଯାହାକୁ ଦଳରେ ଜୋରଦାର ବିରୋଧ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି  ସୁରେଶ ରାଉତରାୟ ଏହାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ଏହି ନିର୍ଦ୍ଦେଶକୁ ମାନିବେ ନାହିଁ ବୋଲି କହିଥିଲେ । ତେବେ ଆଜି ନିରଞ୍ଜନଙ୍କ ସ୍ପଷ୍ଟୀକରଣ ଦଳରେ ଘନୀଭୂତ ହେଉଥିବା ଝଡ଼କୁ ପ୍ରଶମିତ କରିବ ବୋଲି ଆଶା କରାଯାଉଛି।

ସେପଟେ ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷ ସଂପର୍କରେ ନିରଞ୍ଜନ କହିଛନ୍ତି, “ଏହା ସ୍ୱଭାବିକ କଥା। ଏକାବେଳେ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବ ନାହିଁ । ତେବେ ଅସନ୍ତୋଷ ଦୂର ପାଇଁ ଖୁବ୍ ଶୀଘ୍ର ପରିବର୍ଦ୍ଧିତ ଜିଲା କମିଟି ଘୋଷଣା କରାଯିବ ।  ସେପଟେ ନେତାଙ୍କ ଭିତରେ ଚାଲିଥିବା ପରସ୍ପର ବିରୋଧୀ ବୟାନବାଜି  ରୋକିବାକୁ ପିସିସି ଜାରି କରିବ ସର୍କୁଲାର । ଯାହାର ଯାହା ଅଭିଯୋଗ ସେମାନେ ପିସିସି କିମ୍ବା ଏଆଇସିସିରେ ଜଣାଇବେ। ଯେଉଁମାନଙ୍କୁ ଦାୟିତ୍ୱ ଦିଆଯିବ, ସେମାନେ ହିଁ ଗଣମାଧ୍ୟମରେ କହିବେ । ଯିଏ ଶୃଙ୍ଖଳା ଭଙ୍ଗ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ନିରଞ୍ଜନ।