୨ରେ ଉପରାଷ୍ଟ୍ରପତିଙ୍କ ୨ଦିନିଆ ଓଡ଼ିଶା ଗସ୍ତ: ଫୁଲତୋଡ଼ା ଓ ଉପହାର ଦେବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତେବେ ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ଓ ସଭାସ୍ଥଳରେ କେହି ଯେପରି କୌଣସି ପ୍ରକାରର ଫୁଲତୋଡ଼ା ବା ଅନ୍ୟାନ୍ୟ ଉପହାର ଆଦି ସିଧାସଳଖ ନଦେବେ ସେଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଉପରାଷ୍ଟ୍ରପତି ଯୋଗ ଦେବାକୁ ଥିବା ଦୁଇଟି ଯାକ ସଭାରେ ସାମିଲ ହେଉଥିବା ସମସ୍ତ ଶ୍ରୋତାଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ।

ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଜଣାପଡ଼ିଛି ଯେ, ଏପ୍ରିଲ ୨ତାରିଖ ପୂର୍ବାହ୍ନରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ରାଜଭବନ ଯାଇ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବେ। ସେହିଦିନ ଅପରାହ୍ନରେ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ଶାରଳା ଭବନଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ଓ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହର ଉଦଯାପନୀ ଉତ୍ସବରେ ଯୋଗଦେବେ। ଏହାପରେ ଏପ୍ରିଲ ୩ତାରିଖ ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେହି ଦିନ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ବୋଲି କାର୍ଯ୍ୟକ୍ରମ ରହିଛି।

ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଫିସର, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ଆରଟିପିସିଆର ପ୍ରକ୍ରିୟାରେ କୋଭିଡ୍ ପରୀକ୍ଷା କରାଯିବ। ସେହିପରି କଟକସ୍ଥିତ ଶାରଳା ଭବନ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଂଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ ଓ ମଂଚ ଉପରକୁ କୌଣସି ପ୍ରକାରର ପ୍ରମାଣପତ୍ର, ମେଡାଲ ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିମାନଙ୍କର ଆରଟିପିସିଆର କୋଭିଡ୍ ପରୀକ୍ଷା କରାଯିବ। ଏପରିକି ସଭାସ୍ଥଳରେ ବସିବାକୁ ଥିବା ସମସ୍ତ ଶ୍ରୋତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ସଭାର ଆୟୋଜକମାନେ ପରସ୍ପରଠୁ ଛଅ ଫୁଟ ଦୂରତା ରଖି ବସିବା ବ୍ୟବସ୍ଥା କରାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।