ବଦଳିଲା ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପୂର୍ବରୁ ଉପରାଷ୍ଟ୍ରପତି ଏପ୍ରିଲ ୨ତାରିଖରେ ଆସିବାର କାର୍ଯ୍ୟକ୍ରମ ରହିଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୩ରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମ୍ମତି ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଏହି ଉତ୍ସବରେ ସାମିଲ ହେବେ।

ପୂର୍ବରୁ ଉପରାଷ୍ଟ୍ରପତି ଏପ୍ରିଲ ୨ରେ ଆସିବେ ବୋଲି କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାଙ୍କ ଅଫିସ ପକ୍ଷରୁ ଏହି ତାରିଖ ପରିବର୍ତ୍ତନ କରି ଏପ୍ରିଲ ୩ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟକୁ କୁହାଯାଇଥିବା କୁଳପତି ସୂଚନା ଦେଇଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରାୟ ୧୮୦ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି ଓ ଡିଲିଟ୍ ଉପାଧି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ବ୍ୟତୀତ ସମସ୍ତ ବିଭାଗର ଟପ୍ପରଙ୍କୁ ମଧ୍ୟ ଗୋଲଡ୍ ମେଡାଲ ପ୍ରଦାନ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।