ଲିଙ୍ଗରାଜ ମନ୍ଦିରର ଗର୍ଭଗୃହକୁ କ୍ୟାମେରା ଗଲା କେମିତି ? କିଏ କଲା ଭିଡିଓ ସୁଟିଂ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ସାହାଣ ମେଳା ଦର୍ଶନ ବନ୍ଦ ଥିବା ବେଳେ ଭକ୍ତମାନେ ଆଡକାଠରୁ ଦର୍ଶନ କରୁଥିଲେ। ହେଲେ ଏହି ସମୟରେ ନିରଞ୍ଜନ ଗର୍ଭଗୃହକୁ ଯାଇ ଦର୍ଶନ କରିଥିଲେ। ଯାହାର ଭିଡିଓ ରେକର୍ଡିଂ କରି କିଛି ସେବାୟତ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ନିରଞ୍ଜନ ଅଡୁଆରେ ପଡ଼ିଛନ୍ତି। ହେଲେ ଗର୍ଭଗୃହରେ ଭିଡିଓ ରେକର୍ଡିଂ କରାଯିବାକୁ ନେଇ ନୂଆ ବିବାଦ ଦେଖା ଦେଇଛି।

ଲିଙ୍ଗରାଜ ମନ୍ଦିର ଭିତରକୁ ସ୍ମାର୍ଟଫୋନ୍‌ ଓ କ୍ୟାମେରା ନେବା ଉପରେ କଟକଣା ଲଗାଯାଇଛି। ଶ୍ରଦ୍ଧାଳୁମାନେ ନିଜ ସ୍ମାର୍ଟଫୋନ୍‌ ଓ କ୍ୟାମେରା ମନ୍ଦିର ବାହାରେ ରଖି ଭିତରକୁ ଯିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି କଟକଣା କେବଳ ଶ୍ରଦ୍ଧାଳୁମାନଙ୍କ ପାଇଁ ନୁହେଁ, ସେବାୟତମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। ତେଣୁ ଏବେ ପ୍ରଶ୍ନ ଉଠୁଛି, ଗର୍ଭଗୃହ ଭିତରେ ନିରଞ୍ଜନଙ୍କ ଭିଡିସ ସୁଟିଂ ହେଲା କେମିତି? ଖବର ନେବାରେ ଜଣାପଡିଛି ଯେ, କିଛି ସେବାୟତ ମନ୍ଦିର ପ୍ରଶାସନର କଟକଣାକୁ ବେଖାତିର କରି ନିୟମିତ ମୋବାଇଲ ଭିତରକୁ ନେଉଛନ୍ତି। ଯାହାର ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୁକ୍ତ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ଉଠିବାରେ ଲାଗିଛି। ଯଦି ପ୍ରଶାସନ କୌଣସି ନିଷ୍ପତ୍ତି ନେଉଛନ୍ତି, ଏହାକୁ ସମସ୍ତେ ମାନିବା ଉଚିତ। ସେ ଶ୍ରଦ୍ଧାଳୁ ହୁଅନ୍ତୁ ଅବା ସେବାୟତ, ସମସ୍ତେ ଏହାର ପରିସର ଭୁକ୍ତ। ଏପରି ସ୍ଥିତିରେ ଯେଉଁ ସେବାୟତ ମନ୍ଦିରର ଗର୍ଭଗୃହ ଭିତରକୁ ମୋବାଇଲ ନେଲେ ଓ ଭିଡିଓ ସୁଟିଂ କଲେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

ସୂଚନାଯୋଗ୍ୟ ଯେ, ଆଜି ରଜ ସଂକ୍ରାନ୍ତି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ସାହାଣ ମେଲା ଦର୍ଶନ ବନ୍ଦ ଥିଲା। ଶ୍ରଦ୍ଧାଳୁମାନେ ଆଡକାଠରୁ ଦର୍ଶନ କରୁଥିବାବେଳେ ନିରଞ୍ଜନଙ୍କୁ କିଛି ସେବାୟତ ଗର୍ଭଗୃହ ଭିତରକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ। ଏହାକୁ ଅନ୍ୟ କିଛି ସେବାୟତ ଭିଡିଓ ସୁଟିଂ କରି ଫେସ୍‌ବୁକ୍‌ରେ ଅପଲୋଡ୍ କରିବା ସହ ନିନ୍ଦା କରିଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟି ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କେଉଁ ସେବାୟତ ନିରଞ୍ଜନଙ୍କୁ ଗର୍ଭଗୃହକୁ ନେଲେ ଚିହ୍ନଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ ହେବ ବୋଲି ମନ୍ଦିର ପରିଚାଳନା ଅଧିକାରୀ କହିଛନ୍ତି। ସେହିପରି ବ୍ରାହ୍ମଣ ନିଯୋଗ ମଧ୍ୟ ଏହାକୁ ଘୋର ବିରୋଧ କରିବା ସହ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି।

ତେବେ ନିରଞ୍ଜନଙ୍କୁ ଭିତରକୁ କିଏ ନେଲା କେବଳ ତା’ର ତଦନ୍ତ କରା ନଯାଇ ମୋବାଇଲ୍‌ରେ ଭିଡିଓ ସୁଟିଂ କରିଥିବା ବ୍ୟକ୍ତିଙ୍କୁ ବି ଖୋଜି ବାହାର କରିବାକୁ ଦାବି ଜୋର ଧରିବାରେ ଲାଗିଛି। ମନ୍ଦିର ଭିତରକୁ ସ୍ମାର୍ଟଫୋନ ଓ କ୍ୟାମେରା ନେବା ବାରଣ ଥିବାରୁ ସେବାୟତମାନେ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ ବୋଲି କିଛି ଶ୍ରଦ୍ଧାଳୁ ମତ ଦେଇଛନ୍ତି। ଯେଉଁ ସେବାୟତ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି।