ଅଫିସ୍‌ରେ ସ୍କୁଟି ରଖି ମାଡ଼ାମ ଫେରାର୍‌, ଖୋଜୁଛି ଭିଜିଲାନ୍ସ

ଭବାନୀପାଟଣା (ରାଜକୁମାର ସିଂଦେଓ): ଶିକ୍ଷକଙ୍କ ଦରମା ଟଙ୍କା ଖାଇଥିଲେ!ଧରା ପଡ଼ିଯିବା ଭୟରେ ଅଫିସ୍‌ରେ ସ୍କୁଟି ରଖି ଫେରାର ହୋଇଗଲେ ଆକାଉଣ୍ଟାଣ୍ଟ୍‌ ମାଡ଼ାମ୍‌। ଭବାନୀପାଟଣା ବିଇଓଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ତାଙ୍କୁ ଖୋଜୁଛି। ଆଜି ତାଙ୍କୁ ନପାଇ ତାଙ୍କ ୫ ମହଳା ବିଶିଷ୍ଟ ଘରକୁ ସିଲ୍‌ କରିଛି ଭିଜିଲାନ୍ସ। ଅଭିଯୋଗ ଅନୁସାରେ ମାଡ଼ାମ ଶିକ୍ଷକଙ୍କ ଦରମା ବାବଦକୁ ୩୯ ଲକ୍ଷରୁ ଅଧିକ ଟଙ୍କା ହଡପ୍‌ କରିଛନ୍ତି।

ଭବାନୀପାଟଣା ସଦର ବ୍ଲକ୍‌ରେ କାର୍ଯ୍ୟରତ ଅଛନ୍ତି ୧୭୧ ଜଣ ଏକ୍ସ କ୍ୟାଡର ଶିକ୍ଷକ। ସେମାନଙ୍କୁ ପ୍ରତି ମାସରେ ପବ୍ଲିକ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ମାଧ୍ୟମରେ ଦରମା ପ୍ରଦାନ କରାଯାଇଥାଏ। ଚଳିତ ଦଶହରା ପୂର୍ବରୁ ଅର୍ଥାତ ସେପ୍ଟେମ୍ୱର ମାସରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ଦରମା ପ୍ରଦାନ କରାଯାଇଥିବା ବେଳେ ଏକ୍ସ କ୍ୟାଡର ୪୮ ଜଣ ଶିକ୍ଷକଙ୍କୁ ଦରମା ପ୍ରଦାନ ଦିଆଯାଇଥିଲା। ପରେ ଅଭିଯୋଗ ହେବାରୁ ଆଉ ୯ ଜଣଙ୍କୁ ଦରମା ପ୍ରଦାନ କରାଯାଇଥିଲା। ବାକି ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଦରମା ଦିଆଯାଇନଥିଲା। ଯାହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଦରମା ନପାଇବାରୁ ଏକ୍ସ କ୍ୟାଡର ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଇଓ ଠାକୁର ଚରଣ ସାହୁ ଘଟଣାର ଖୋଳତାଡ଼ କରିଥିଲେ। ଏଥିରେ ବିଇଓ ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆରଙ୍କ ହାତ ଥିବା ଜଣାପଡ଼ିଥିଲା। ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆର ୧୧୪ ଜଣ ଏକ୍ସ କ୍ୟାଡର ଶିକ୍ଷକଙ୍କ ଦରମା ବାବଦକୁ ୩୯ ଲକ୍ଷ ୩୦ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ୍‌ କରିଥିବା ଜଣାପଡ଼ିଥିଲା। ଏନେଇ ବିଇଓ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟରେ ଦରମା ଟଙ୍କା ଜାଲିଆତି ବିଷୟ ପ୍ରଘଟ ହେବା ପରେ ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆର ଅଫିସ୍‌ରେ ସ୍କୁଟି ରଖି ଚମ୍ପଟ ମାରିଛନ୍ତି। ଗତ ତିନି ଦିନ ହେଲା ଅଫିସ୍‌ ଆଗରେ ଛିଡ଼ା ହୋଇଛି ତାଙ୍କ ଗାଡ଼ି।

ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ବଡ଼ ଧରଣର ଜାଲିଆତି ହୋଇଥିବାରୁ ଭିଜିଲାନ୍ସ ଘଟଣାର ତଦନ୍ତ କରୁଛି। ଆଜି ଭିଜିଲାନ୍ସ ଟିମ୍‌ ଫେରାର ଆକାଉଣ୍ଟାଣ୍ଟଙ୍କ ଅଫିସ୍‌ରେ ଚଢ଼ଉ କରିଥିଲା। ପରେ ତାଙ୍କ ପାଞ୍ଚ ମହଲା ଘରକୁ ସିଲ୍‌ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।