ଅଙ୍ଗ ନଦୀରେ ଅକାତ ପାଣି; ବ୍ରିଜ ପାଇଁ ଆନ୍ଦୋଳନ

ନୂଆପଡ଼ା(ମାୟାଧର ସରାଫ): ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ସରଗରମ ହେଲାଣି ରାଜନୀତି। ପଦ୍ମପୁରରେ ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ଅଙ୍ଗ ନଦୀରେ ବ୍ରିଜ ଦାବିରେ ଅଡ଼ି ବସିଛନ୍ତି ଲୋକେ । ବର୍ଷର ପ୍ରାୟ  ଅଧା ଦିନ ଏହି ବ୍ରିଜରେ ଯାତାୟତ ବନ୍ଦ ରହୁଛି। ଏଥିଯୋଗୁ ଲୋକେ ବହୁ ହଇରାଣ ହେଉଥିବା ବେଳେ ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ। ତେଣୁ ଏବେ ଭୋଟ ସମୟରେ ତାତିଛନ୍ତି ଲୋକେ । ଏପରିକି ବ୍ରିଜ ନାହିଁ ତ ଭୋଟ ନାହିଁ ବୋଲି ବି ଦେଇଛନ୍ତି ଖୁଲମଖୁଲା ଚେତାବନୀ।

ପଦ୍ମପୁର ନିବାର୍ଚନ ମଣ୍ଡଳୀ ଅଧୀନରେ ଥିବା ନୀଳାଥର ଓ ବରତୁଣ୍ଡା ଗାଁ ମଝିରେ ପ୍ରବାହିତ ହେଉଛି ଅଙ୍ଗ ନଦୀ। ନୀଳାଥରରୁ ବରତୁଣ୍ଡା ମାତ୍ର ଗୋଟିଏ କିଲୋମିଟର। କିନ୍ତୁ ବର୍ଷର ଅଧା ଦିନ ଏହି ଅଙ୍ଗନଦୀ ଲୋକଙ୍କ ପାଇଁ କାଳ ହୋଇଯାଏ। ଲୋକେ ନିଜସ୍ୱ ଚେଷ୍ଟାରେ ତାହାକୁ କିଛି ମାତ୍ରାରେ ସଜାଡ଼ି ବର୍ଷର ଅଳ୍ପ କିଛି ଦିନ ଯାତାୟତ କରିଛନ୍ତି।

ନଦୀରେ ସବୁବେଳେ ଅକାତକାତ ପାଣି ରହୁ ଥିବାରୁ  ବରତୁଣ୍ଡା ବଜାର ହେଉ କି ସ୍କୁଲ, ମାଣ୍ଡୋସିଲ ମେଡିକାଲ ଆଦି ସ୍ଥାନକୁ ଯିବାକୁ ହେଲେ ନୀଳାଥର ଗ୍ରାମବାସୀ ଦୀର୍ଘ ୧୫ କିଲୋମିଟର ବୁଲି କରି ଯିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଦିନେ ଗୁରୁତର ରୋଗୀ କିମ୍ୱା ଗର୍ଭବତୀଙ୍କୁ ମେଡିକାଲ ନେବାକୁ ସମସ୍ୟା ଦେଖା ଦେଇ ଥାଏ।

ପ୍ରତି ନିବାର୍ଚନ ବେଳେ ଗାଁକୁ ନେତା ମନ୍ତ୍ରୀ ଆସି ବ୍ରିଜ ନିମାର୍ଣ ପାଇଁ ପ୍ରତିଶୃତି ଦିଅନ୍ତି। ହେଲେ ନିବାର୍ଚନ ସରିଲେ ସମସ୍ତେ ଭୁଲି ଯାଆନ୍ତି। ତେଣୁ ଏଥର ବ୍ରିଜ ନ ହେଲେ,ଭୋଟ ବି ଦେବେ ନାହିଁ ବୋଲି ନୀଳାଥର ଗ୍ରାମବାସୀ  ଚେତାବନୀ ଦେଇଛନ୍ତି।

ଏନେଇ ଗ୍ରାମର ଜ୍ୟୋତ୍ସା ସାହୁ କହିଛନ୍ତି,ନଦୀରେ ପାଣି ଆସିଲେ ଗାଁ ଲୋକେ ଓ ଛୋଟ ଛୁଆ ବହୁତ ହଇରାଣ ହେଉଛନ୍ତି। ବର୍ଷା ଦିନ ନ ସରିବା ପର୍ଯ୍ୟନ୍ତ ମନ୍ତ୍ରୀ ବ୍ରିଜ କରିବାକୁ କହି ପଛରେ ମୁହଁ ଫେରାଇ ନେଉଛନ୍ତି।

ଏନେଇ ପଂଚାୟତ ସଭ୍ୟା ଇନ୍ଦୁ ମାଝି କହିଛନ୍ତି, ବର୍ଷା ଦିନ ଯାକ ପିଲାଙ୍କ ସ୍କୁଲ ଯିବା ସମ୍ଭବ ହେଉନି । ଏହାଦ୍ୱାରା ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ତେଣୁ ତୁରନ୍ତ ବ୍ରିଜ କରାଯାଉ । ନଚେତ ଆମେ ଭୋଟ ଦେବୁନି।  ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।