ଇଂଜିନିୟରିଂ ଓ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଇଂଜିନିୟରିଂ ଓ ପଲିଟେକନିକ୍‌ ପିଲା ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହେବ। ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ଼ କଲେ ରାଜ୍ୟ ସରକାର।

ପୂର୍ବରୁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ କରିଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଥିଲା। ଯାହାଦ୍ୱାରା ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ।

ସେହିପରି ମ୍ୟାଟ୍ରିକ ପରୀକ୍ଷା ଫି’ ଛାଡ଼ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହା ଦ୍ୱାରା ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଫି’ ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି’ ଦେବାକୁ ପଡ଼ିଥାଏ। ମହାମାରୀ କରୋନା ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ଦୀର୍ଘ ୯ ମାସ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।