ପାଣି ପାଇଁ ପଡ଼ୁଛି ଲଟେରୀ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୀତ ଯାଇ ବସନ୍ତ ଚାଲିଛି। ଗ୍ରୀଷ୍ମ ଋତୁ ଆଗକୁ ଆସୁଛି। ଏହା ପୂର୍ବରୁ ଦେଖାଦେଲାଣି ପାଣି ସଙ୍କଟ। ପାଣି ନେବା ପାଇଁ ପଡୁଟି ଲେଟେରୀ। ଆଉ ଯାହାର ନମ୍ୱର ଆଗେ ଆସିବ, ସିଏ ପ୍ରଥମେ ନେବ ପାଣି। ଏପରି ଚିତ୍ର ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସିରେ ଦେଖିବାକୁ ମିଳିଛି। ଏଠାରେ ପ୍ରତିଦିନ ଥରୁଟିଏ ୧୦ରୁ ୧୫ ମିନିଟ୍‌ ପାଣି ଆସୁଥିବାରୁ ସାହି ଲୋକେ ଏପରି ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ସମସ୍ତେ ପାଣି ପାଉନଥିବା ଅଭିଯୋଗ ହେଉଛି।

ଛତ୍ରପୁର ଷ୍ଟେସନ୍‌ ରୋଡ୍‌ ସାହିରେ ୨୫ରୁ ୩୦ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଗରିବ ଶ୍ରେଣୀର। ମହାମାରୀ କରୋନା ପରେ ଜୀବନ ଜୀବିକାକୁ ନେଇ ଚିନ୍ତିତ ଥିବା ଏହି ପରିବାର ଏବେ ପାଣି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ଏନ୍‌ଏସି ପକ୍ଷରୁ ସାହି ଲୋକଙ୍କୁ ପାଣି ଯୋଗାଇବା ପାଇଁ ଗୋଟିଏ ଟ୍ୟାପ୍‌ ରହିଛି। ସେଥିରେ ଦିନକୁ ଥରେ ୧୦ରୁ ୧୫ ମିନିଟ୍‌ ପାଣି ଆସୁଛି। ଏପରି ସ୍ଥିତିରେ ୨୫ରୁ ୩୦ ପରିବାର ପାଣି କେମିତି ନେବେ? ତେଣୁ ପାଣି ନେବା ପାଇଁ ସାହି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପାଟିତୁଣ୍ଡ ହେଉଛି। ସାହି ପଡ଼ିଶାଙ୍କ ମଧ୍ୟରେ ସମ୍ପର୍କ ତୀକ୍ତତା ହେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଲଟେରୀ ସିଷ୍ଟମ୍‌ କରାଯାଇଛି।

ସାହିରେ ଯେତିକି ପରିବାର ବାସ କରନ୍ତି, ସେତିକିଟା ଚିରକୁଟ୍‌ ପଡୁଛି। ସେଥିରେ ଯାହାର ନମ୍ୱର ଆଗେ ଉଠିବ, ସିଏ ପ୍ରଥମ ପାଣି ନେବ। ସେଥିପାଇଁ ମଧ୍ୟ କିଛି ସର୍ତ୍ତ ରହିଛି। ଜଣେ ବ୍ୟକ୍ତି ଡେଗ୍‌ଚିଏ ବା ବାଲ୍‌ଟିଏ ପାଣି ନେବ। ତା’ଠାରୁ ଅଧିକ ପାଣି ନେଇପାରିବ ନାହିଁ। ଏହି ସିଷ୍ଟମରେ ପାଣି ନେଲା ବେଳେ ସମସ୍ତେ ପାଉନାହାନ୍ତି। ଖରାଦିନ ଆରମ୍ଭ ପୂର୍ବରୁ ଛତ୍ରପୁର ଏନ୍‌ଏସିରେ ପାଣି ଶଙ୍କଟ ଦେଖାଦେଇଛି। ଆଗକୁ କେତେ ଯନ୍ତ୍ରଣା ଅଛି। ଏପରି ସମସ୍ୟା କେବଳ ଷ୍ଟେସନ୍‌ ରୋଡ୍‌ ସାହିରେ ନୁହେଁ, ସବୁଠି ବୋଲି ଅଭିଯୋଗ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।