ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶାର ସଫଳତାକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର: ବନ୍ୟା ହେଉ କି ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଓଡ଼ିଶାର ସଫଳତାକୁ ବିଶ୍ୱବ୍ୟାଙ୍କ ପ୍ରଶଂସା କରିଛି। ଓଡ଼ିଶା ଆସିଥିବା ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ ରାଜ୍ୟରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ବିଶ୍ୱବ୍ୟାଙ୍କ ସହାୟତା ଯୋଗାଇଦେବ ବୋଲି ଏହି ପ୍ରତିନିଧି ଦଳ କହିଛି।

୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଓଡ଼ିଶାରେ ନିଆଯାଇଥିବା ପଦକ୍ଷେପକୁ ବିଶ୍ୱବ୍ୟାଙ୍କ ପ୍ରଶଂସା କରିଛି। ଲୋକଙ୍କ ସହଭାଗିତାରେ ଏହା କରାଯାଉଥିବାରୁ ବ୍ୟାଙ୍କ ପ୍ରତିନିଧି ଦଳ ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଶାର ସଫଳତାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ଉଦାହରଣ ଭାବେ ଗ୍ରହଣ କରାଯିବ ବୋଲି ପ୍ରତିନିଧି ଦଳ କହିଛନ୍ତି।

ବିଶ୍ୱବ୍ୟାଙ୍କ ସହାୟତାରେ ଭଦ୍ରକ କିସମତ କୃଷ୍ଣପୁରରେ ନିର୍ମାଣ କରାଯାଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରତିନିଧି ଦଳ ଲୋକାର୍ପଣ କରିଥିଲେ।

ସେହିପରି କିଛିଦିନ ହେବ ରାଜ୍ୟର ସହରାଞ୍ଚଳରେ ନୂଆ କରି ମୁଣ୍ଡ ଟେକିଛି କୃତ୍ରିମ ବନ୍ୟା ସମସ୍ୟା। ରାଜଧାନୀ ଭୁବନେଶ୍ୱର ହେଉ କି, ପୁରାତନ ସହର କଟକ କିମ୍ୱା ସମ୍ୱଲପୁର। ଅଧିକ ବର୍ଷା ହେଲେ ପାଣିରେ ଉବୁଟୁବୁ ହେଉଛନ୍ତି ସହରବାସୀ। ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସହରାଞ୍ଚଳ ପାଇଁ ଭିନ୍ନ ଭିନ୍ନ ଯୋଜନା କରାଯିବା ଉପରେ ପ୍ରତିନିଧି ଦଳ ଗୁରୁତ୍ୱ ଦେବା ସହ ଏଥିପାଇଁ ବିଶ୍ୱବ୍ୟାଙ୍କ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ବିଶ୍ୱବ୍ୟାଙ୍କ ସିନିୟର ଡିଜାଷ୍ଟର ମ୍ୟାନେଜମେଣ୍ଟ ସ୍ପେଶିଆଲିଷ୍ଟ ସୌରଭ ଦାନୀ କହିଛନ୍ତି।