ପଢନ୍ତୁ, ଶ୍ରୀମନ୍ଦିରରେ କାହିଁକି ଦରକାର ପଡେ କସ୍ତୁରୀ

ଓଡିଶା ରିପୋର୍ଟର(ମିହିର ପଟ୍ଟନାୟକ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏଣିକି ଆଉ ମିଳିବନି ତାଙ୍କର ଅତିପ୍ରିୟ ‘କସ୍ତୁରୀ’ । ଏହି ସୁଗନ୍ଧିତ ଦ୍ରବ୍ୟ ଆନ୍ତର୍ଜାତିକ ସ୍ତରରେ ଏକ ନିଷିଦ୍ଧ ସାମଗ୍ରୀ ହୋଇଥିବାରୁ ନେପାଳ ସରକାର ଏହାକୁ ଯୋଗାଇ ପାରିବେ ନାହିଁ ବୋଲି ତାଙ୍କର ହୃଦ୍‌ବୋଧ ହେଉଥିବା ଆଜି ସ୍ପଷ୍ଟ ଭାବେ କହିଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା । ପୁରୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ଅବସରରେ ନେପାଳ ନରେଶ ଏହା କହିବା ପରେ ଜଗନ୍ନାଥଙ୍କ ଲାଗି କସ୍ତୁରୀ ଚିନ୍ତା ବଢିଯାଇଛି । ଏଣିକି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରାକରଙ୍କ ଲାଗି ନୂଆ ସମସ୍ୟା ଉଭା ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏଣିକି କସ୍ତୁରୀ କେମିତି ଆସିବ ସେ ନେଇ ମହାପ୍ରଭୁଙ୍କ ଉପରେ ଭରଷା ଥାପିଛି ପ୍ରଶାସନ।

ଶ୍ରୀଜୀଉଙ୍କ ଦାରୁ ବିଗ୍ରହକୁ ସୁରକ୍ଷା ଦେବାକୁ ଚନ୍ଦନ ଓ କସ୍ତୁରୀର ପ୍ରଲେପ ଲାଗି ହୋଇଥାଏ। ନବକଳେବର ସମୟରେ ମହାପ୍ରଭୁଙ୍କ ସପ୍ତାବରଣ ନୀତି ସମୟରେ କସ୍ତୁରୀ ଲୋଡା ପଡେ। ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହାକୁ କସ୍ତୁରୀ ମୃଗର ନାଭିରୁ ସଂଗ୍ରହ କରାଯାଇଥାଏ। ମୃଗ ଉନ୍ମତ ହେବା ସମୟରେ ଏହା ମୃଗ ଶରୀରରୁ ସ୍ୱତଃ ନିର୍ଗତ ହୋଇଥାଏ। ପୂର୍ବରୁ ଏହାକୁ ସଂଗ୍ରହ କରି ନେପାଳ ରାଜପରିବାର ପକ୍ଷରୁ ଶ୍ରୀ ଜୀଉଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା। ମୃଗନାଭି କସ୍ତୁରୀ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ବିଶେଷ ଭାବେ କହିବାକୁ ଗଲେ ଉତ୍ତେଜକ ଔଷଧ ପ୍ରସ୍ତୁତି ଲାଗି ଏହାର ବହୁଳ ବ୍ୟବହାର ଫଳରେ ମୃଗବଂଶ ପ୍ରତି ବିପଦ ଘନେଇଥିଲା। ଅବାଧରେ ମୃଗ  ଶିକାର କରି ଏହାକୁ ସଂଗ୍ରହ କରାଗଲା। ଯାହାର ଦର ଅନ୍ତର୍ଜାତିକ ବଜାରରେ ଲକ୍ଷାଧିକ ଟଙ୍କା ହେବ। ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବଜାରରେ ଏହାକୁ ଏକ ନିଷିଦ୍ଧ ପଦାର୍ଥ ଭାବେ ଘୋଷଣା କରାଗଲା। ସେବେଠାରୁ ମୃଗ ଶିକାର ଓ କସ୍ତୁରୀ ସଂଗ୍ରହ ଉପରେ ରୋକ୍‌ ଲାଗିଲା। ଭାରତ ସମେତ ଅଧିକାଂଶ ଦେଶରେ ଏହାକୁ ନିଷିଦ୍ଧ କରାଗଲା। ଭାରତ ସୀମାନ୍ତରେ ଥିବା ନେପାଳ ହିମାଳୟ ସଂଲଗ୍ନ ରାଷ୍ଟ୍ର ହୋଇଥିବାରୁ ଏଠାରେ ମୃଗମାନଙ୍କ ସଂଖ୍ୟା ବହୁ ଅଧିକ। ଏଣୁ ମୃଗମାନଙ୍କୁ କସ୍ତୁରୀ ସଂଗ୍ରହ ଲାଗି ହତ୍ୟା କରିବା ମଧ୍ୟ ଆରମ୍ଭ ହେଲା । ଯାହାକୁ ଦୃଷ୍ଟିରେ ରଖି ଏଠାକାର ସରକାର କସ୍ତୁରୀ ସଂଗ୍ରହ ଉପରେ କଟକଣା ଲାଗାଇଛନ୍ତି।

୧୯୯୬ ଓ ୨୦୧୫ ନବକଳେବର ସମୟରେ ପୂର୍ବ ନବକଳେବର ଲାଗି ଆସିଥିବା କସ୍ତୁରୀର ବଳକା ଅଂଶ ଶ୍ରୀଅଙ୍ଗ ଗଠନରେ ବ୍ୟବହାର ହୋଇଥିଲା । ଏଣୁ ଏହି ପ୍ରସଙ୍ଗରେ ରାଜ୍ୟ ତଥା କେନ୍ଦ୍ର ସରାକାର ନେପାଳ ସରକାରଙ୍କୁ ଅବଗତ କରାଇଥିଲେ। ଏପରିକି ପୂର୍ବରୁ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓଡିଶା ଗସ୍ତରେ ଆସିଥିବାବେଳେ ଜଗନ୍ନାଥଙ୍କୁ କସ୍ତୁରୀ ଯୋଗାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ନେପାଳ ରାଜାଙ୍କ ମନ୍ତବ୍ୟ ପରେ କସ୍ତୁରୀ ଚିନ୍ତା ଦ୍ୱୀଗୁଣିତ ହୋଇଛି।

ଓଟିଭି ମୁଖ୍ୟ କାର୍ଯ୍ୟାଳୟ, ୯୬୬୮୭୭୩୯୦୪