କାର ଭିତରେ କଙ୍କାଳ କାହାର ? ତଦନ୍ତ କରିବେ ମହିଳା ଥାନା ଇନିସ୍‌ପେକ୍ଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନିସ୍‌ପେକ୍ଟର। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । କାର ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ପୁଲିସ କମିଶନର। ଫେବ୍ରୁଆରୀ ୧୨ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନିଆଯାଇଛି । ତେବେ ଏମ୍ସ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ମୃତ୍ୟୁ ଜଣାପଡ଼ୁଛି ବୋଲି ସିପି ସୂଚନା ଦେଇଛନ୍ତି । ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦ ପଠାଯାଇଛି କଙ୍କାଳର ନମୁନା ।

ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ତିଆରି ହେବ ସ୍କେଚ୍ । ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା । ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା । ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା । ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।