ଓଡ଼ିଶାକୁ ବ୍ୟାପିଲା ଚାଷୀ ନିଆଁ: ୟୁପି ଓ ମହାରାଷ୍ଟ୍ରରେ କୃଷିଋଣ ଛାଡ଼ ପରେ ଚାପରେ ରାଜ୍ୟ ସରକାର

ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲା ଲଖନପୁର ବଂଜାରୀ ଗାଁର ଚାଷୀ ରାମଗୋପାଳ ଭୋଇ । ୩ ଏକର ଜମିରେ ଚାଷ ପାଇଁ ୨୦୧୫ରେ ସମଡା ସମବାୟ ସମିତିରୁ ୪୪,୦୦୦ ଟଙ୍କା ଋଣ ନେଇଥିଲେ। ହେଲେ ମରୁଡି ଯୋଗୁ ଭଲ ଫସଲ ନ ହେବାରୁ ଋଣ ସୁଝି ପାରିଲେନି। ଏବେ ରାମଗୋପାଳ ଆଉ ସମବାୟ ସମିତିରୁ ଋଣ ପାଉନହାନ୍ତି। କେବଳ ରାମଗୋପାଳ ନୁହନ୍ତି ରାଜ୍ୟରେ ଅନେକ ଚାଷିଙ୍କ ଅବସ୍ଥା ଏଭଳି।

ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କ ଘୋଷଣା ପରେ ଓଡ଼ିଶାରେ ଚାଷୀ, ବିରୋଧୀଦଳ ଓ ଚାଷୀ ସଂଗଠନ କୃଷି ଋଷ ଛାଡ ପାଇଁ ଦାବି ଜୋରଦାର କରିଛନ୍ତି। ଋଣ ଛାଡ ଦାବି ଓ ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ଆସନ୍ତା ୧୬ରେ ୨ ଘଣ୍ଟିଆ ପ୍ରତୀକାତ୍ମକ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

ନବ ନିର୍ମାଣ କୃଷକ ସଙ୍ଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି, “ଚାଷୀଙ୍କ ଋଣ ଛାଡ଼ ଓ ସ୍ୱାମୀନାଥନ୍‌ ରିପୋର୍ଟ କାର୍ଯ୍ୟକାରୀ ପ୍ରମୁଖ ଦାବି ପୂରଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି।”

ଉତ୍ତର ପ୍ରଦେଶରେ କୃଷି ଋଣ ଛାଡ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଏନେଇ  ଅନୁଧ୍ୟାନ  କରାଯାଉଛି। ଚାଷୀ ମଧ୍ୟ ଆଶା ରଖିଥିଲେ କୃଷି ଋଣ ଛାଡ ହେବ। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେଇ ନାହାନ୍ତି। ରାଜ୍ୟରେ ଚାଷୀଙ୍କ ଉପରେ ୨୭,୬୩୬ କୋଟିର ଋଣ ଭାର ରହିଛି।  ଋଣ ଛାଡ କଲେ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିପାରେ। ତେବେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେଉଁମାନେ  ଚାଷ କରିବା ପାଇଁ ଋଣ ନେଉଛନ୍ତି। ସେମାନଙ୍କର ଋଣ ଛାଡ କରାଯିବା ଉଚିତ।

ଋଣ ଛାଡରେ ସରକାରଙ୍କ ପାଇଁ ବଡ଼ ବାଧକ ସାଜିଛି ଭାଗ ଚାଷୀ ଚିହ୍ନଟ। ଏନେଇ ନୂଆ ଆଇନ ଆସୁଛି। ଏସବୁ ଭିତରେ ରାଜ୍ୟ ସରକାର କେବେ ଋଣ ଛାଡ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।