ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ କାହିଁକି ବିଦା ହେଲେ ପ୍ରଦୀପ ଜେନା ?

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହିଁକି ହଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଜ୍ୟ ସରକାର ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଏହି ପଦକ୍ଷେପ ନେଇଛନ୍ତି ନା ମୁଖ୍ୟ ପ୍ରଶାସକ  ଚାବି ହଜିବା ଘଟଣାକୁ ଠିକ୍‌ରେ ପରିଚାଳନା କରି ନ ପାରିବାରୁ ତାଙ୍କୁ ହଟାଇ ଦିଆଗଲା, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ତା’ ସହିତ ଜୋର୍ ଧରିଛି ରାଜନୈତିକ ବୟାନବାଜି। ଏପଟେ ଚାବି ହଜିବା ବିବାଦଠୁ ଆରମ୍ଭ କରି ରଥାଯାତ୍ର ପରିଚାଳନା, ନୂଆ ପ୍ରଶାସକଙ୍କ ପାଇଁ ବଡ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର।  ଏଭଳି ବିବାଦୀୟ ସ୍ଥିତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ପ୍ରଦୀପ ଜେନାଙ୍କୁ ହଟାଯିବା ପଛରେ କ’ଣ ରହିଛି କାରଣ ତାକୁ ନେଇ ଜୋରଦାର ଚର୍ଚ୍ଚା।  ଡ୍ୟାମେଜ୍ କଣ୍ଟ୍ରୋଲ ନା ପ୍ରଶାସନିକ ଅବହେଳାରୁ କାର୍ଯ୍ୟାନୁଷ୍ଠାନ, ତାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା । ତେବେ ଚାବି ହଜିବା ଘଟଣା ପ୍ରଦୀପଙ୍କୁ ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି । ରତ୍ନଭଣ୍ଡାର ଚାବି ହଜିଥିବା ଜାଣି ସୁଦ୍ଧା ରତ୍ନଭଣ୍ଡାରର ଯାଞ୍ଚ ଲାଗି ନିଷ୍ପତ୍ତି ନେବା ତାଙ୍କୁ ମହଙ୍ଗା ପଡିଲା କି ? ଚାବି ହଜିଥିବା ନେଇ ଏପ୍ରିଲ ୪  ପରିଚାଳନା କମିଟି ବୈଠକରେ ସ୍ପଷ୍ଟ ହୋଇଥିଲା।  ତେବେ ଦୁଇ ମାସ ଧରି  ମୁଖ୍ୟ ପ୍ରଶାସକ ଚୁପ୍ ବସିବା ଆଉ ଏକ କାରଣ ହୋଇପାରେ । ମୋଟାମୋଟି କହିବାକୁ ଗଲେ ମିସ୍ ମ୍ୟାନଜମେଣ୍ଟ ଓ ଘଟଣାକୁ ନେଇ ସରକାର ନିନ୍ଦିତ ହେବା ଯୋଗୁଁ ତାଙ୍କୁ ତାର ମୂଲ୍ୟ ଦେବାକୁ ପଡ଼ିଥିବା କୁହାଯାଉଛି । ଏଣେ ମୁଖ୍ୟ ପ୍ରଶାସକଙ୍କୁ ହଟାଯିବା  ପରେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ଏହାରିଭିତରରେ ନୂଆ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବି ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କୁ ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ପ୍ରଥମ ଚ୍ୟାଲେଞ୍ଜ ଚାବି ହଜିଥିବା ବିବାଦର ସମାଧାନ ଭକ୍ତଙ୍କ ଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାଯର୍ୟକାରୀ କରିବା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ମଧ୍ୟ ତାଙ୍କ ପାଇଁ ଆହ୍ୱାନ ହେବ। ଅନ୍ୟପଟେ ଶ୍ରୀ ମନ୍ଦିର ପରିଚାଳନାକୁ ବିବାଦ ତୁଟୁ ନ ଥିବା ବେଳେ ବାରମ୍ବାର କେବଳ ମୁଖ୍ୟ ପ୍ରଶାସକ ବଦଳାଇଦେବା କେତେଦୂର ଶ୍ରୀମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିପାରୁଛି, ତା’ ଉପରେ ସମସ୍ତଙ୍କ ନଜର।