“ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ”

ସୋର(ଶଶିକାନ୍ତ ବେହେରା): “ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ।” ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ସୁନା ବ୍ୟବସାୟୀ ପ୍ରହଲ୍ଲାଦ ବେହେରା ୨ ଲକ୍ଷ ଟଙ୍କାର ସୁନାଗହଣା ସହ ଗତକାଲିଠୁ ନିଖୋଜ ଥିବା ବେଳେ ଏପରି ଭାବେ ଆକୁଳ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ରଞ୍ଜୁଲତା ବେହେରା।

ରଞ୍ଜୁଲତା କହିଛନ୍ତି, “ସବୁ ଦିନ ପରି ଗତକାଲି ସକାଳ ସାଢ଼େ ୮ଟାରେ ସେ ଦୋକାନକୁ ଯାଇଥିଲେ। ତାଙ୍କୁ ବାନ୍ଧିକି ରଖିଛନ୍ତି ବୋଲି ଦେଢ଼ଟା ବେଳେ ଶ୍ୱଶୁର ଫୋନ୍‌ କରି କହିଥିଲେ। କିନ୍ତୁ ଅଢ଼େଇଟା ବେଳେ ମୋ ସ୍ୱାମୀ ଫୋନ୍‌ କରି ଦୋକାନରେ ଥିବା କହିଥିଲେ। ଏହାପରେ ପୁଣି ଥରେ ତାଙ୍କ ଫୋନ୍‌ ସୁଇଚ ଅଫ୍‌ ହୋଇଗଲା।”

ସେ ଆହୁରି କହିଛନ୍ତି, ଏହାପରେ ଅପରାହ୍ନ ୫ଟାରେ ଆମେ ଥାନାରେ ଅଭିଯୋଗ କଲୁ। ପୁଲିସ୍‌ ରାତିରେ ଦାଣ୍ଡହରିପୁର ଗାଁକୁ ଯାଇଥିଲା। କିନ୍ତୁ କିଛି ଖବର ମିଳିନି। ମୋ ସ୍ୱାମୀଙ୍କ ଅପହରଣ ପଛରେ ସୁମନ୍ତ ମଲ୍ଲିକ, ପୁତୁରା ସୁବତ୍ର, ସାନଭାଇ ବାପୁନିକୁ ସନ୍ଦେହ କରୁଛି। ପୁଲିସ୍‌ ଯାହାବି କରୁ ମୋ ସ୍ୱାମୀଙ୍କୁ ଫେରାଇ ଆଣୁ।

ସୂଚନାଯୋଗ୍ୟ, ଗତକାଲି ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ପ୍ରହଲ୍ଲାଦଙ୍କୁ ଡକାଇଥିଲେ ।  ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ଗହଣା ନେଇ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୧୧ଟା ବେଳେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କ ମୋବାଇଲ୍‌କୁ ଫୋନ କରିବାରୁ ଫୋନଟି ସୁଇଚ୍ ଅଫ୍ ଆସିଥିଲା। ଏହାପରେ  ପରିବାର ଲୋକେ ବହୁ ଜାଗା ଖୋଜା ଖୋଜି କରିବା ପରେ ମଧ୍ୟ ପ୍ରହଲ୍ଲାଦଙ୍କୁ ପାଇ ନଥିଲେ।

କିନ୍ତୁ ପ୍ରହଲ୍ଲାଦଙ୍କ ପରିବାର ଲୋକଙ୍କୁ ସୁମନ୍ତ ମଲିକ ଫୋନ କରି ସୂଚନା ଦେଇଥିଲେ ଯେ ତାଙ୍କୁ କିଛି ଲୋକ ଅଟକ ରଖିଛନ୍ତି। କିନ୍ତୁ ସେ ଅଧିକ କିଛି କହି ନଥିଲେ। ତା’ପରେ ତାଙ୍କ ଫୋନ୍ ମଧ୍ୟ କଟି ଯାଇଥିଲା। ପରେ ଯେତେ ଥର ଫୋନ୍ କଲେ ମଧ୍ୟ ତାହା ସୁଇଚ୍ ଅଫ୍ ହୋଇ ରହିଥିଲା।

ପରିବାର ଲୋକେ ପୁଲିସ୍ ସହିତ ଦାଣ୍ଡହରିପୁର ସ୍ଥିତ ସୁମନ୍ତ ଘରକୁ ଯାଇଥିଲେ। କିନ୍ତୁ ସେଠାରେ କେହି ନଥିଲେ। ସୋର ପୋଲିସ୍  ଘଟଣାର ତନାଘନା ଚଳାଇଥିବା ବେଳେ କିଛି ସୁରାକ ପାଇପାରି ନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।