ଡାକ୍ତରଖାନାରେ ମୃତବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଝଡ଼ାଫୁଙ୍କା; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଫୁଲବାଣୀ: ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ବି ଦୂରହେଉନି ଅନ୍ଧବିଶ୍ୱାସ। ମୃତ ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ଏବେ ବି ଗୁଣି ଗାରେଡ଼ିର ଆଶ୍ରୟ ନେଉଛନ୍ତି ସଭ୍ୟ ସମାଜର ଶିକ୍ଷିତ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ତା’ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ସକାଳେ କନ୍ଧମାଳ ଜିଲ୍ଲା ନେଡ଼ିଗୁଡ଼ା ଗାଁର ଗୋଲକ ବିହାରୀ ବେହେରାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ। ଶତଚେଷ୍ଟା ପରେ ଗୋଲକଙ୍କୁ ବଞ୍ଚାଇବାରେ ସଫଳ ହୋଇ ନ ଥିଲେ ଡାକ୍ତର। ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହେଲେ ପରିବାର ଲୋକଙ୍କ ମନ ବୁଝି ନ ଥିଲା। ଶିକ୍ଷିତ ଆଉ ସଚେତନ ହୋଇ ବି ଗୁଣିଆଙ୍କ ଶରଣାପନ୍ନ ହୋଇଥିଲେ ସମ୍ପର୍କୀୟମାନେ। ଗୁଣିଆ ଡାକ୍ତରଖାନାକୁ ଆସି ଝଡ଼ାଫୁଙ୍କା କରିଥିଲା। ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହସ୍‌ପିଟାଲ୍‌ ବାରଣ୍ଡାରେ ଥିବା ଷ୍ଟ୍ରେଚର ଉପରେ ମୃତଦେହ ପଡ଼ିଛି। ମୃତଦେହ ନିକଟରେ ବସିଛି ଗୁଣିଆ। ସାପ ବିଷ ଝାଡ଼ିବାକୁ ଚଳାଇଛି ପ୍ରୟାସ।  ଏକ କୁକୁଡ଼ା ମାଧ୍ୟମରେ ବିଷ ଝାଡୁଛନ୍ତି ଗୁଣିଆ।  ପ୍ରାୟ ୪ ଘଣ୍ଟା ଧରି ଏମିତି ଚାଲିଥିଲା ଝଡ଼ାଫୁଙ୍କା।

ମୃତ ଗୋଲକଙ୍କ ପରିବାର ଲୋକେ କିନ୍ତୁ ଏଭଳି ଘଟଣାକୁ ଅସ୍ୱୀକାର କରୁଛନ୍ତି।