ବିନା କୋଭିଡ୍ ଟେଷ୍ଟରେ ରାଷ୍ଟ୍ରପତିଙ୍କ ପାଖ ମାଡ଼ିବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ବିନା କୋଭିଡ୍ ଟେଷ୍ଟରେ କୌଣସି ବ୍ୟକ୍ତି ତାଙ୍କ ପାଖ ମାଡ଼ିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ପ୍ରସ୍ତୁତି ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷାବେଳେ ଏହି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ, ସେବା ଯୋଗାଣକାରୀ ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କର ଆରଟିପିସିଆର ପ୍ରକ୍ରିୟାରେ କୋଭିଡ୍ ପରୀକ୍ଷା କରାଇବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ଆସନ୍ତା ୨୧ତାରିଖରେ ରାଉରକେଲାସ୍ଥିତ ଏନଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନାକୁ ଉଦଘାଟନ କରିବେ। ପରଦିନ ରାଷ୍ଟ୍ରପତି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବର ସଭାମଂଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ୍ ଓ ମଂଚ ଉପରକୁ କୌଣସି ପ୍ରକାରର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ବନ୍ଦର, ଗସ୍ତ ଓ ରହଣୀ କାଳ ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ଅଧିକାରୀ, ଗାଡ଼ି ଡ୍ରାଇଭର ଓ କର୍ମଚାରୀମାନଙ୍କର ମଧ୍ର କୋଭିଡ୍ ଟେଷ୍ଟ କରାଯିବ ।

ବିମାନ ବନ୍ଦରଠୁ ଆରମ୍ଭ କରି ସଭାସ୍ଥଳ ଓ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଆଜିର ଏହି ବୈଠକରେ ପୁଲିସ ଡିଜି ଅଭୟ, ଗୃହ ସଚିବ ସଞ୍ଜିବ ଚୋପ୍ରା, ବିଭିନ୍ନ ବିଭାଗର ସଚିବଙ୍କ ସମେତ ଝାରସୁଗୁଡ଼ା,ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳ, ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀମାନେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।