ଘର ଭିତରେ ଜଳିଗଲେ ମାଆ, ଝିଅ ଗୁରୁତର

ଭଦ୍ରକ(ପାର୍ଥସାରଥୀ ନାୟକ): ଏମିତି ବି ଆସେ ମୃତ୍ୟୁ। ଘର ଭିତରେ ଶୋଇଥିବା ବେଳେ ଜୀବନ୍ତ ଜଳିଗଲେ ମହିଳା। ଆଉ ମହିଳାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ରାତିରେ ଏପରି ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି। ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସବୁଦିନ ପରି ଆଜି ରାତିରେ ପ୍ରଭାତ ବେହେରାଙ୍କ ପତ୍ନୀ ଭାରତୀ ଖାଇସାରି ସାନ ଝିଅ ସହ ଘର ଭିତରେ ଶୋଇ ଥିଲେ। ପ୍ରବଳ ଗରମ ଲାଗୁଥିବାରୁ ବଡ଼ ଝିଅକୁ ଧରି ପ୍ରଭାତ ଘର ବାହାରେ ବୁଲୁଥିଲେ। ଏହି ସମୟରେ ଘରେ ନିଆଁ ଲାଗି ଯାଇଥିଲା। ଛାତରୁ ନିଆଁ ହୁଳା ଖସି ସାନ ଝିଅ ଉପରେ ପଡ଼ିଥିଲା। ଝିଅ ଚିତ୍କାର କରି ଘରୁ ବାହାରକୁ ପଳାଇ ଆସିଥିଲା। ହେଲେ ଭାରତୀ ଆସି ପାରିନଥିଲେ। ତାଙ୍କ ଉପରେ ଜଳୁଥିବା ଘର ଛାତ ପଡ଼ି ଯାଇଥିଲା। ଫଳରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ଭାରତୀ।

ଗାଁ ଲୋକେ ନିଆଁକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସମ୍ଭବପର ହୋଇନଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା।

ଅନ୍ୟପକ୍ଷରେ ପ୍ରଭାତଙ୍କ ଝିଅଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।