ଶାଶୁ,ବୋହୂ ମର୍ଡର ମିଷ୍ଟ୍ରି; ଟୋକେଇ ପାଇଁ ଗଲା ଜୀବନ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଡବଲ ମର୍ଡର ଘଟଣାର ଉଠିଛି ପରଦା। ଟୋକେଇ ନ ଦେବାରୁ ଖୁଡ଼ି ଅମ୍ବିକା ମେହେରା ଓ ଜେଜେମା ପ୍ରେମଶିଳାଙ୍କୁ  ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ। ନିଜେ ପୁଲିସ ନିକଟରେ ଅଭିଯୁକ୍ତ ଏହି କଥା ସ୍ୱୀକାର କରିଛି। ପୁଲିସ ଜଗନ୍ନାଥ ମେହେରଙ୍କୁ ଅଟକ ରଖି ଅଧିକ ତଥ୍ୟ  ଜାଣିବା ପାଇଁ ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ଜଗନ୍ନାଥ ଅମ୍ବିକାଙ୍କ ଘରେ ପହଞ୍ଚି ଖୁଡ଼ିଙ୍କୁ ସାର ପକାଇବା ପାଇଁ ଟୋକେଇ ମାଗିଥିଲା। ଅମ୍ବିକା ଟୋକେଇ ଦେବା ପାଇଁ ମନା କରିବାରୁ ପୁତୁରା ଜଗନ୍ନାଥ ରାଗିଯାଇଥିଲା। ଯାହା ମାଗିଲେ ତୁମେ ଦେଉନ କହି ରୋଷେଇ ଘରେ ଥିବା ଛୁରୀ ଆଣି ଖୁଡ଼ିର ବେକକୁ କାଟି ଦେଇଥିଲା। ବୋହୂକୁ ଜଗନ୍ନାଥ ଆକ୍ରମଣ କରୁଥିବା ଦେଖି ଶାଶୁ ପ୍ରେମଶିଳା ବାଧା ଦେଇଥିଲେ। ପରେ ଅଭିଯୁକ୍ତ  ଛୁରୀରେ ତାଙ୍କ ବେକକୁ କାଟି ଦେଇଥିଲା ଓ ଛୁରୀକୁ ରୋଷେଇ ଘରେ ରଖି ଦେଇ ପଳାଇ ଯାଇଥିଲା।

ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି। ସେ ସକାଳେ ଦୋକାନକୁ ଗଲାପରେ ଏହି ଘଟଣା ଘଟିଥିଲ।

ଗତକାଲି ପୁଲିସ ଜଗନ୍ନାଥ ଓ ସୁଧାଂଶୁଙ୍କୁ ଅଟକ ରଖି ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ରାତିରେ ସୁଧାଂଶୁଙ୍କୁ ପୁଲିସ ଛାଡ଼ି ଦେଇଥିବା ବେଳେ ଜଗନ୍ନାଥ ପୁଲିସ ନିକଟରେ ସବୁ ସତ ଓଗାରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।