ଡାହାଣି ସନ୍ଦେହରେ ମହିଳାଙ୍କ ତଣ୍ଟି କାଟି ଦେଲେ
ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଘୁରୁଛି ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେଉ ନାହିଁ। କେଉଁଠି ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେଉଁଠି ଡାହାଣି ସନ୍ଦେହରେ ହତ୍ୟା କରାଯାଉଛି। ସରକାରୀ ଓ ବେସକାରୀ ସଂସ୍ଥାରେ ଲୋକମାନଙ୍କୁ ସଚେତନ କରାଯାଉଛି। କିନ୍ତୁ କିଛି ଫଳପଦ ହେଉ ନାହିଁ। ଏହିପରି ସମାନ ଅଭିଯୋଗ ଆସିଛି ରାଇରଙ୍ଗପୁରରୁ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ତୋମ୍ବାଝରୀ ଗାଁରେ ଡାହାଣି ସନ୍ଦେହରେ ଜଣେ ମହିଳାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ନିକଟ ପୋଖରୀରୁ ଆଜି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ଦାଆ ଓ କୁରାଢ଼ି ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ମହିଳା ଜଣଙ୍କ ଡାହାଣି ସାଜି ଗୁଣି ଗାରେଡି କରିବା ସହ ଲୋକଙ୍କର ଅନିଷ୍ଟ କରୁଥିବା ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଛି। ଏହି ଘଟଣାଟି ଦୁଇ ଦିନ ତଳେ ଘଟିଥିଲା। ଆଜି ତାଙ୍କ ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।