‘ମୋତେ ବାହା ହୋଇ ପର ପୁରୁଷକୁ ଭେଟି ଦେଉଥିଲା ସ୍ୱାମୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍ୱାମୀ-ସ୍ତ୍ରୀଙ୍କର ପବିତ୍ର ସମ୍ପର୍କରେ କଳଙ୍କ । ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଘରେ ବନ୍ଦ କରି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋଦ୍ ରାଜଧାନୀରୁ । ଏପରିକି ଛୁଆ ବଡ଼ ହେଉଥିବାରୁ ଆଉ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ଲୁହାରଡ଼ରେ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ କରିଛି ସ୍ୱାମୀ।  ଖବର ପାଇ ପୁଲିସ ପୀଡ଼ିତା ଓ ତାଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ ଗିରଫ କରିଛି।

ଚନ୍ଦ୍ରଶେଖରପୁର ଥାନା ପଦ୍ମାବତୀ ବିହାର ଅଞ୍ଚଳରେ ଜୈନିକ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆରିଛନ୍ତି। ୧୦ ବର୍ଷ ତଳେ ସେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରଥମେ ସବୁ ଠିକ୍‌ଠାକ୍ ଥିଲା । ହେଲେ ପରେ ବଦଳିଯାଇଥିଲା ଚନ୍ଦନ । ଦେହ ବ୍ୟବସାୟ କରିବାକୁ ନିଜ ସ୍ତ୍ରୀକୁ କରିଥିଲା ବାଧ୍ୟ । ମନା କରିବାରୁ ମଦ ପିଇ ନିସ୍ତୁକ ପିଟୁଥିଲା ଅନିଚ୍ଛା ସତ୍ତ୍ୱେ ବି କୁକାର୍ଯ୍ୟ କରିବାକୁ ବାଧ୍ୟ ହେଉଥିଲେ ପୀଡ଼ିତା।

୭ ବର୍ଷ ହେଲା ଏକ କୋଠରୀରେ ବନ୍ଦ କରି ପ୍ରତ୍ୟେକ ଦିନ ଗରାଖ ଯୋଗାଡ କରୁଥିଲା ସଇତାନ୍ ସ୍ୱାମୀ । ପ୍ରତିବାଦ କଲେ ମାଡ଼, ଗାଳି ଏମିତିକି ଭଙ୍ଗା ମଦ ବୋତଲରେ ବି ଆକ୍ରମଣ କରୁଥିଲା । ଶାଶୁ ଓ ଶ୍ୱଶୁର ସବୁ ଜାଣି ଚୁପ୍ ଥିବା ଅଭିଯୋଗ କରିଛନ୍ତି ମହିଳା । ନିଜ ମାଙ୍କୁ ଖବର ଦେବାରୁ, ଶେଷରେ ପୁଲିସ ସହାୟତାରେ ବନ୍ଦ କୋଠରୀରୁ ପୀଡିତା ଓ ତାଙ୍କ ୫ ବର୍ଷର ଝିଅଙ୍କୁ ଉଦ୍ଧାର କରାଯାଇଛି । ଏନେଇ ଏକ ମାମଲା ସହ ସ୍ୱାମୀଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।