ସ୍ୱାମୀକୁ ହତ୍ୟା କରିଥିଲେ, ପ୍ରେମିକ ସହ ଗିରଫ ହେଲେ

ଆଳି (ଓଡ଼ିଶା ରିପୋର୍ଟର): ନିଜ ପିଲାଛୁଆର ସଂସାରକୁ ଉଜାଡ଼ି ନେଇ ପ୍ରେମିକ ସହ ନୂଆ କରି ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖିଥିଲା ସ୍ତ୍ରୀ। ସେଥିପାଇଁ ପ୍ରେମିକ ସହ ମିଶି ସ୍ୱାମୀକୁ ହଟାଇ ଦେଇଥିଲା। ସ୍ୱାମୀର ମୃତ୍ୟୁ ପରେ ନିଜ ଛୁଆଙ୍କୁ ଅନାଥ କରି ପ୍ରେମିକ ସହ ପଳାଇଥିଲା। ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କ ପ୍ରେମିକକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଭାମଣ୍ଡା ଗାଁରେ।

ଭାମଣ୍ଡା ଗାଁର ପୂଜକ ରଙ୍ଗାଧର ଦାସଙ୍କୁ ତାଙ୍କ ସ୍ତ୍ରୀ ପ୍ରେମିକ ସହ ମିଶି ହତ୍ୟା କରିଥିଲେ। ଉଭୟଙ୍କୁ ଗତକାଲି ଯାଜପୁରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି  ରାଜକନିକା ଥାନା ଆଇଆଇସି ବିଲ୍ୱମଙ୍ଗଳ ସେଠୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଆଇଆଇସି କହିଛନ୍ତି।

ଗତ ୧୭ ତାରିଖରେ ଭାମଣ୍ଡା ଗାଁର ପୂଜକ ରଙ୍ଗାଧର ଦାସ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ୫ ଦିନ ପରେ ପରେ କ୍ଷତାକ୍ତ ମୃତଦେହ ଗାଁ ନିକଟ ଏକ ଜୋରରୁ ମିଳିଥିଲା। ପୁଲିସ୍‌ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ପରିବାର ଲୋକେ ରଙ୍ଗାଧରଙ୍କ ଶବ ସତ୍କାର କରିଥିଲେ। ସ୍ୱାମୀର ଜୁଇ ଶଶ୍ମାନରେ ଜଳୁଥିବା ବେଳେ ସ୍ତ୍ରୀ ନିଜର ୪ ଛୁଆ ଛାଡ଼ି ପ୍ରେମିକ ସହ ପଳାଇଥିଲା। ଏନେ ରଙ୍ଗାଧରଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଗତକାଲି ଯାଜପୁରରୁ ଉଭୟଙ୍କୁ ଗିରଫ କରିଥିଲା।

ରଙ୍ଗାଧର ମନ୍ଦିରରେ ପୂଜା କରି ପରିବାର ପୋଷଣ କରିଥିଲେ। ୪ ଛୁଆ ସ୍ତ୍ରୀ ନେଇ ତାଙ୍କର ଥିଲା ସୁନାର ସଂସାର। ହେଲେ ରଙ୍ଗାଧରଙ୍କ ସ୍ତ୍ରୀ ଗାଁ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ରଙ୍ଗାଧରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀକୁ ଦେଖା କରିବାକୁ  ଯୁବକ ଜଣଙ୍କ ଘରକୁ ଯାଆସ କରୁଥିଲେ। ମାଆଙ୍କ ଅନୈତିକ ସମ୍ପର୍କକୁ ପୁଅ ଓ ଝିଅମାନେ ଜାଣିବା ପରେ ପ୍ରତିବାଦ କରିଥିଲେ। ପିଲାମାନଙ୍କୁ ମାଡ଼ ମାରିବା ସହ ରଙ୍ଗାଧରଙ୍କୁ ମାରିଦେବାକୁ  ତାଙ୍କର ପ୍ରେମିକ ଧମକ  ଦେଉଥିଲେ। ଯେଉଁଥିପାଇଁ ସବୁ ଜାଣି ପିଲାମାନେ ଚୁପ୍‌ ରହୁଥିଲେ। ହେଲେ ଦିନକୁ ଦିନ ପିଲାଙ୍କ ନୀରବତା ଉପରେ ରଙ୍ଗାଧରଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ସନ୍ଦେହ ବଢ଼ି ଥିଲା। ତେଣୁ ରଙ୍ଗାଧରଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।