ଯୁବକଙ୍କୁ ଏସିଡ୍‌ ମାଡ଼

ଭଦ୍ରକ(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସିଲନ୍ଦୀ ଗାଁରୁ। ଆହତ ଯୁବକ ଜଣଙ୍କ ହେଲେ ପାର୍ଥସାରଥୀ ଜେନା। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ପାର୍ଥସାରଥୀ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ଛେନାପଦୀ ମାର୍କେଟକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ପାର୍ଥସାରଥୀ ସେଠାରୁ ଜୀବନ ବିକଳରେ ଦୌଡ଼ି ପଳାଇ ଆସିଥିଲେ। ଏନେଇ ପରିବାର ଲୋକଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଥିଲେ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଳମ୍ବିତ ରାତିରେ କଟକ ସ୍ଥାନାନ୍ତର କରାଯାଇଛି। ଜମିବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ପାର୍ଥସାରଥୀଙ୍କୁ ଏସିଡ ମାଡ଼ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।