ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମୀନାବଜାର ଦୋଳିରେ ବସିବା ପଡ଼ିଲା ମହଙ୍ଗା । ବ୍ରେକଡ୍ୟାନ୍ସ ଝୁଲା ବା ଆକାଶ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ସହରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ। ତାଙ୍କୁ ୩୮ବର୍ଷ ହୋଇଥିଲା। ଦେବରାଜ କୁକୁଡ଼ା ବ୍ୟବସାୟୀ ଥିଲେ।

ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି। ସେଠାରେ ଆକାଶ ଦୋଳି ସହ ଅନେକ ଦୋଳି ପଡ଼ିଛି। ଗତକାଲି ରାତିରେ ଦେବରାଜ ଆକାଶ ଦୋଳିରେ ବସି ଝୁଲୁଥିଲେ। ହଠାତ୍ ସେ ତଳେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବରାଜଙ୍କ ମୃତ୍ୟୁ ପରେ ଘରେ ଶୋକର ଛାୟା ଖେଳିଯାଇଛି।

ଦେବରାଜ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କୁ ପରିବାରକୁ ଆର୍ଥିକ ସହୟୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।  ଅନ୍ୟପକ୍ଷରେ ଦେବରାଜ କିପରି ଦୋଳିରୁ  ଖସିଲେ ପୁଲିସ ତାର ତଦନ୍ତ କରୁଛି। ତୁରେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।