ଏ ବୟସ ଆଲୋଡ଼ା ନୁହେଁ…

ଆଳି (ବନମାଳି ସାହୁ): ଯେଉଁ ବାପା-ମାଆମାନେ ନିଜର ଯୌବନକୁ ଜଳାଞ୍ଜଳି ଦେଇ ପିଲାଙ୍କ ଭବିଷ୍ୟ ଗଢ଼ିଥାଆନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ନିର୍ଯାତନା ପାଇଥାଆନ୍ତି। ଏପରି ନିର୍ଯାତନାର କରୁଣ କାହାଣୀ ପ୍ରତିଦିନ ସାମ୍ନାକୁ ଆସୁଛି। କେଉଁଠି ଜନ୍ମକଲା ପିଲାମାନେ ନିଜ ବାପା-ମାଆଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଉଛନ୍ତି ତ ଆଉ କେଉଁଠି ସାମାନ୍ୟ କଥାକୁ କେନ୍ଦ୍ର କରି ହତ୍ୟା କରିବାକୁ ପଛାଉ ନାହାନ୍ତି। ଏପରି କୁତ୍ସିତ ମାନସିକତା ପିଲାମାନଙ୍କ ମନରୁ ଦୂରେଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆୟୋଜନ କରାଯାଇଛି ପୂଜ୍ୟପୂଜା ଉତ୍ସବ। ବୃଦ୍ଧବୃଦ୍ଧାଙ୍କୁ ଗାଁ ଯୁବକ ଓ ଯୁବତୀମାନେ ପୂଜା କରୁଛନ୍ତି।

ଆଳି ବ୍ଲକ ସାନଆଙ୍କୁଅ ଗାଁର ଧବଳେଶ୍ୱର ମନ୍ଦିର ପରିସରରେ ଚାଲିଛି ବିଶ୍ଵଶାନ୍ତି ମହାଯଜ୍ଞ। ଏହି ଅବସରରେ ଯୁବ ପରିଷଦ ପକ୍ଷରୁ ପୂଜ୍ୟପୂଜା ଉତ୍ସବ ଆୟୋଜନ କରାଯାଇଛି। ଗାଁର ଶତାଧିକ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ପୂଜା କରାଯାଇଛି। ପୂଜା ପୂର୍ବରୁ ଗାଁର ଯୁବକମାନେ ପ୍ରଥମେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ନିମନ୍ତ୍ରଣ କରିଥିଲେ।

aali
ବୃଦ୍ଧ ଓ ବୃଦ୍ଧାଙ୍କୁ ପୂଜା କରାଯାଉଛି

ନିମନ୍ତ୍ରଣ ରକ୍ଷା କରି ବୃଦ୍ଧ ଓ ବୃଦ୍ଧାମାନେ ଆସିଥିଲେ। ପରେ ସେମାନଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା। ପ୍ରଥମେ ସେମାନଙ୍କ ପାଦ ଧୋଇ ଦିଆଯାଇଥିଲା। ତା’ପରେ ନୂତନ ବସ୍ତ୍ର ପ୍ରଦାନ କରି ପୂଜାର୍ଚ୍ଚନା କରାଯାଇଥିଲା। ଶେଷରେ ସେମାନଙ୍କୁ ସସମ୍ମାନ୍ନେ ଘରେ ଛାଡ଼ିବାର ବ୍ୟବସ୍ଥା କରାଯାଇଥିଲା। ଯୁବ ପରିଷଦ ପକ୍ଷରୁ ଏପରି ସମାରୋହ ଦୀର୍ଘ ୫ ବର୍ଷ ଧରି ପାଳନ କରାଯାଉଛି।

aaliଏନେଇ ସାନଆଙ୍କୁଅ ଗ୍ରାମ୍ୟ କମିଟି ସଭାପତି ଶରତ ରାଉତ କହିଛନ୍ତି-“ସମାଜରେ ବୟସ୍କ ବ୍ୟକ୍ତିମାନଙ୍କୁ ଅବହେଳା କରାଯାଉଛି। ସେମାନଙ୍କୁ ପରିବାରଠାରୁ ଦୂରେଇ ଦିଆଯାଉଛି। ଯାହାଫଳରେ ସେମାନେ ନିଷ୍ପେସିତ ହେଉଛନ୍ତି। ପିଲାମାନଙ୍କ ମନରୁ ଏପରି କୁପ୍ରଥାକୁ ଦୂର ଦେବା ପାଇଁ ପୂଜାପୂଜା ସମାରୋହ ଆୟୋଜନ କରାଯାଉଛି। ଆମେ ଏପରି ପୂଜା ଦୀର୍ଘ ୫ ବର୍ଷ ହେଲା ପାଳନ କରିଆସୁଛୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।