ଭିନ୍ନ ଏକ ପ୍ରେମ ପକ୍ଷୀ, ଭିନ୍ନ ସେମାନଙ୍କ ପ୍ରେମ

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଭିନ୍ନ ଏକ ପ୍ରେମ ପକ୍ଷୀ। ଭିନ୍ନ ସେମାନଙ୍କ ପ୍ରେମ। ଯୌବନରେ କଳାର ପ୍ରେମରେ ପଡ଼ି ପ୍ରେମ ବିବାହ କରିଥିଲେ। ବିବାହ ପରେ ସଂସାର ନଗଢ଼ି ପୂଜା ଦୁନିଆକୁ କରିଛନ୍ତି ପରିବାର। ଆଉ ତା’ପରେ ନିଜର କର୍ତ୍ତବ୍ୟ କରିବାକୁ ଯାଇ ମୁହଁରେ ରଙ୍ଗ ମାଖି ଢ଼ୋଲ ବଜାଇ ଗୀତ ଗାଇ ଗାଇ ବାଣ୍ଟି ଚାଲିଛନ୍ତି ସଚେତନତାର ବାର୍ତ୍ତା। ଏମିତି ଏକ ଭିନ୍ନ ପ୍ରେମ ପକ୍ଷୀ ହେଉଛନ୍ତି ହରେକୃଷ୍ଣ ବାଘ ଓ ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ବାଘ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗାଁର ହରେକୃଷ୍ଣ ବାଘ ପେଶାରେ ଜଣେ କଳାକାର। ସେ ଗିତିନାଟ୍ୟରେ ଅଭିନୟ କରିବା ସହିତ ଦଣ୍ଡନାଚରେ ନାଚୁଥିଲେ। ସେହି ସମୟରେ ତାଙ୍କର ଦେଖା ହୋଇଥିଲା ପୂର୍ଣ୍ଣବାସୀ ବାଘଙ୍କ ସହିତ। ସେ ମଧ୍ୟ ଜଣେ କଳାକାର। ପ୍ରଥମ ଦେଖାରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ତା’ପରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ପରେ ସାଂସାର ଗଢ଼ିବା ପରିବର୍ତ୍ତେ ସ୍ୱାମୀ-ସ୍ତ୍ରୀ ସମାଜକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ଗାଁକୁ ଗାଁ ବୁଲି ଦେଉଛନ୍ତି ସଚେତନତାର ବାର୍ତ୍ତା। ସିଏ ସରକାରଙ୍କ ଜନମଙ୍ଗଳ ଯୋଜନା ହେଉ ବା ଜଙ୍ଗଲରେ ଲାଗିଥିବା ନିଆଁ। ମୁହଁରେ ରଙ୍ଗ ମାଖି ଢ଼ୋଲ ବଜାଇ ସ୍ୱାମୀ-ସ୍ତ୍ରୀ ନାଚି ନାଚି ଗୀତ ଗାଇ ସଚେତନତା କରୁଛନ୍ତି।

ହରେକୃଷ୍ଣ ଓ ପୂର୍ଣ୍ଣବାସୀ
ହରେକୃଷ୍ଣ ଓ ପୂର୍ଣ୍ଣବାସୀ

ହରେକୃଷ୍ଣ ଓ ପୂର୍ଣ୍ଣବାସୀ ମହାମାରୀ କରୋନା ସମୟରେ ଲୋକଙ୍କୁ କରୋନା ବିଷୟରେ ସଚେତନତା କରିଥିଲେ। ସଡ଼କ ସୁରକ୍ଷା ସପ୍ତାହ, ସ୍ୱଚ୍ଛଭାରତ ଅଭିଜାନ ସମେତ ସବୁ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି। ଏଥିପାଇଁ କାହାଠାରୁ ଟଙ୍କାଟିଏ ନେଉ ନାହାନ୍ତି। ଦୀର୍ଘ ୪୦ ବର୍ଷ ଧରି ଏମିତି ବିତିଗଲାଣି। ଯେଉଁଠି ରାତି ହୁଏ, ସେହିଠାରେ ରହିଯାଉଛନ୍ତି। ଯିଏ ଯାହା ଖାଇବାକୁ ଦେଲା ରାତିରେ ସେଠାରେ ଶୋଇ ପଡ଼ୁଛନ୍ତି।

ପୂର୍ଣ୍ଣବାସୀ ବାଘ କହିଛନ୍ତି-“ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ଦେଖି ଜଙ୍ଗଲ ବିଷୟରେ ସଚେତନତା କରିବାକୁ ରେଢ଼ାଖୋଲ ଆସିଛି। ବୃକ୍ଷ ହେଉଛି ଆମର ଧନ, ଆଉ ଜୀବନ। ଆମେ ଯଦି ଜଙ୍ଗଲରେ ଥିବା ଧନକୁ ସୁରକ୍ଷା ଦେଇନପାରିବା, ତାହାହେଲେ ପଶୁ, ପକ୍ଷୀ ଓ କୀଟପତଙ୍ଗମାନେ ବହୁ କଷ୍ଟ ପାଇବେ। ଆମେ ମଧ୍ୟ ବହୁ କଷ୍ଟ ପାଇବା। ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଲୋକଙ୍କୁ ସଚେତନ କରୁଛୁ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ବଞ୍ଚିବା ଓ ସୁରକ୍ଷିତ ରହିବା।”

ହରେକୃଷ୍ଣ ବାଘ କହିଛନ୍ତି-“ମୁଁ ଜଣେ କଳାକାର। ତେଣୁ ମୁଁ ମୋର କର୍ତ୍ତବ୍ୟ କରୁଛି। ଲୋକଙ୍କୁ ସଚେତନ କରୁଛି। ସରକାର ମୋତେ ଟଙ୍କାଟିଏ ଦେଇନି। ସେଥିପାଇଁ ମୋର ଦୁଃଖ ନାହିଁ। ୬୦ ବର୍ଷ ବୟସରେ ମୁଁ ଗାଁକୁ ଗାଁ ବୁଲି ଜଙ୍ଗଲରେ ନିଆଁ ନଲଗାଇବାକୁ କହୁଛି। କାହିଁକି ନା ଜଙ୍ଗଲ ହିଁ ଜୀବନ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।