ମଲ୍ଲୀ ଫୁଲ ପାଣି ସହ ମିଶୁଛି ୪୦ ପ୍ରକାରର ମସଲା

  • ତାଙ୍କ ହାତ ତିଆରି ପଖାଳ ଖାଇବା ପାଇଁ ସାହି ପଡ଼ିଶା ଚାହିଁ ବସିଥା’ନ୍ତି।
  • ୪୦ ପ୍ରକାରର ମସଲା ଦେଇ ସେ ତିଆରି କରନ୍ତି ସ୍ପେଶାଲ ଦହି ପଖାଳ।

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖରା ଦିନ ଆସିଗଲେ ଘରେ ଘରେ ଖୋଜାପଡ଼େ ପଖାଳ। ଖରା ବେଳେ ତୁଣ୍ଡରେ ପଖାଳ ତୋରାଣି ଟିକେ ବାଜିଗଲେ ଶାନ୍ତି ମିଳେ ।  ଆଜି କାଲି ଘରେ ହେଉ ଅବା ହୋଟେଲ, ଭଳି କି ଭଳି ସ୍ୱାଦିଷ୍ଟ ପଖାଳ  ତିଆରି ହେଉଛି। ପଖାଳର ସ୍ୱାଦ ବଢ଼ାଇବା ପାଇଁ ନୂଆ ନୂଆ ଏକ୍ସପେରିମେଣ୍ଟ ହେଉଛି। ତେବେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ପଖାଳ ନାନୀ ରୂପେ ବେଶ ପରିଚିତ। ସେ ୪୦ ପ୍ରକାରର ମସଲା ପକାଇ ତିଆରି କରିନ୍ତି ସ୍ପେଶାଲ ଦହି ପଖାଳ।

‘ପଖାଳ ନାନୀ’ଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ମାଛପଡ଼ା ଗାଁରେ। ତାଙ୍କ ନାଁ ଶୁଭଲକ୍ଷ୍ମୀ ସ୍ୱାଇଁ। ପ୍ରତିବର୍ଷ ‘ପଖାଳ ଦିବସ’ରେ ସେ ତାଙ୍କର ଏହି ସ୍ପେଶାଲ ପଖାଳ ପ୍ରସ୍ତୁତ କରନ୍ତି। ତା’ସହିତ ପ୍ରତିବର୍ଷ ଖରାଦିନେ ସେ ଏହାକୁ ପ୍ରସ୍ତୁତ କରନ୍ତି। ତାଙ୍କ ହାତରନ୍ଧା ପଖାଳର ରହିଛି ବେଶ୍‌ ଚାହିଦା। ତାଙ୍କ ହାତ ତିଆରି ପଖାଳ ଖାଇବା ପାଇଁ ସାହି ପଡ଼ିଶା ଚାହିଁ ବସିଥା’ନ୍ତି। ଏଣୁ ପଖାଳ ନାନୀଙ୍କ ଘରେ ପ୍ରତିବର୍ଷ ଖରା ଦିନେ ବେଶ୍‌ ଭିଡ଼ ଜମେ।

ସକାଳ ହେଲେ ପଖାଳ ନାନୀଙ୍କ ଘରେ ଆରମ୍ଭ ହୋଇଯାଏ ସଜବାଜ। ପଖାଳ ପ୍ରସ୍ତୁତି ପାଇଁ ଚାଲେ କଟା ବଟା। ଆମ୍ବ, ଲେମ୍ବୁ, କାକୁଡି, କଞ୍ଚାଲଙ୍କା, ପୁଦିନା, ଧନିଆ ପତ୍ର, ମଲ୍ଲୀ ଫୁଲ ପାଣି, ଭ୍ରୁସଙ୍ଗ ପତ୍ର, କମଳା ଚୋପା, ଆମ୍ବକସି ଅଦା, ଦିହ, ନଡିଆ, କାଜୁ, କିସ୍‌ମିସ ସାଙ୍ଗକୁ ଆହୁରି କେତେ କ’ଣ।

କେବଳ ସେତିକି ନୁହେଁ, ପଖାଳ ଖାଇବା ପାଇଁ ସାଇଡ୍‌ ଆଇଟମ୍‌ ଭାବେ ଭେଣ୍ଡି, ବାଇଗଣ, ଶାଗ ଭଜା, ମାଛ, ଚିଙ୍ଗୁଡି ଭଜା‌, ବଡିଚୁରା ବି ପ୍ରସ୍ତୁତ କରିଥା’ନ୍ତି ଶୁଭଲକ୍ଷ୍ମୀ। ତାଙ୍କ ହାତ ରନ୍ଧା ପଖାଳକୁ ସାହି ପଡ଼ିଶାଠାରୁ ଆରମ୍ଭ ଅନ୍ୟ ଲୋକେ ବେଶ୍‌ ଆନନ୍ଦରେ ଖା’ନ୍ତି।

ଶୁଭଲକ୍ଷ୍ମୀ କହନ୍ତି,  ଏଭଳି ପଖାଳ ତିଆରି କରିବାକୁ ତାଙ୍କୁ ଭଲ ଲାଗେ। ପଖାଳ ତିଆରି କରି ସେ ନିଜ ସାଙ୍ଗ ସାଥୀ ଓ  ସାହି ପଡ଼ିଶା ଘର ଲୋକଙ୍କୁ ଡାକି ଖୁଆନ୍ତି। ସମସ୍ତେ ଏକାଠି ବସି ପଖାଳ ଖାଇଥା’ନ୍ତି। ଏଥିରୁ ତାଙ୍କୁ ଆନନ୍ଦ ମିଳେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।