ଦିନେ ଜଙ୍ଗଲରେ ଗୋଟାଉଥିଲେ ଶୁଖିଲା ପତ୍ର, ଏବେ ଗାଁରେ କରୁଛନ୍ତି କଦଳୀ ଚାଷ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଦିନ ସାରା ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲେ। ଦାନ୍ତକାଠି, ଶୁଖିଲା ଡାଳ ଓ ପତ୍ର ସଂଗ୍ରହ କରୁଥିଲେ। ଆଉ ତାକୁ ମୁଣ୍ଡରେ ମୁଣ୍ଡାଇ ଗାଁରେ ବିକ୍ରି କରୁଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ଚଳୁଥିଲା ପୂରା ପରିବାର। କଷ୍ଟ ହେଉଥିଲେ ମଧ୍ୟ ପରିବାର ପାଇଁ ଦେହର ଯନ୍ତ୍ରଣାକୁ ଭୁଲି ଯାଉଥିଲେ। ଏବେ କିନ୍ତୁ ସେ ଦୁଃଖ ନାହିଁ। କଦଳୀ ଓ ଅମୃତଭଣ୍ଡା ଚାଷ କରି ସ୍ୱାଭିମାନର ସହ ବଞ୍ଚୁଛନ୍ତି ଖଜୁରୀଡିହ ଗାଁର ଆଦିବାସୀ ମହିଳା। ଏବେ ସେମାନେ ମାସକୁ ୫୦୦୦ରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଆଦିବାସୀ ଗାଁ ଖଜୁରୀଡିହ। ଏହି ଗାଁରେ ୧୮ଟି ପରିବାର କାହିଁ କେଉଁ କାଳରୁ ରହି ଆସୁଛନ୍ତି। ପୂର୍ବରୁ ଏହି ଗାଁର ପୁରୁଷମାନେ ଦିନ ମଜୁରୀ ଲାଗୁଥିବା ବେଳେ ମହିଳାମାନେ ଜଙ୍ଗଲରୁ ଜାଳେଣୀ କାଠ, ଖଲି ପତ୍ର, ଦାନ୍ତକାଠି ସଂଗ୍ରହ କରି ବିକ୍ରି କରୁଥିଲେ। ଆଉ ସେଥିରେ ଚଳୁଥିଲା ପୂରା ପରିବାର। କିନ୍ତୁ ଏବେ ଆଉ ସେହି ସମୟ ନାହିଁ। ଜଙ୍ଗଲକୁ ଯିବା ପରିବର୍ତ୍ତେ ମହିଳାମାନେ ଚାଷ କରୁଛନ୍ତି। ଚାଷ ପାଇଁ ସେମାନଙ୍କୁ ବନ ବିଭାଗ ପ୍ରେରଣା ଦେଇଥିଲା। ଖାଲି ପ୍ରେରଣା ନୁହେଁ, ମହିଳାମାନଙ୍କୁ ଚାରା, ପେଡ଼ିଆ ଓ ସାର ଯୋଗାଇ ଦେଇଥିଲା।

Bhanjanagar
ଚାଷ ଜମିରେ ଫଳିଛି କଦଳୀ

ମହିଳାମାନେ ପ୍ରଥମେ କଦଳୀ ଓ ଅମୃତଭଣ୍ଡା ଚାଷ କଲେ। ପ୍ରାୟ ୧୫୦୦୦ କଦଳୀ ଓ ୧୦୦୦୦ ଅମୃତଭଣ୍ଡା ଚାରା ରୋପଣ କରିଥିଲେ। ପରେ ଗେଣ୍ଡୁ ଫୁଲ ଓ ଛତୁ ଚାଷ ମଧ୍ୟ କରିଥିଲେ। ଗଛରେ କଦଳୀ ଓ ଅମୃତଭଣ୍ଡା ଗଛ ଗୁଡ଼ିକ ବଢ଼ି ଗଲାଣି। ୭ରୁ ୮ ମାସରେ ଫଳ ଫଳିଛି। ମହିଳାମାନେ ପର୍ବଣ ଋତୁରେ କଦଳୀ, ପତ୍ର, ମଞ୍ଜା ଓ ଅମୃତଭଣ୍ଡା ବିକ୍ରି କରୁଛନ୍ତି। ଏଥିରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ମହିଳାଙ୍କ କହିବା ଅନୁସାରେ ବନ କର୍ମଚାରୀମାନେ ଗାଁକୁ ଆସି ପ୍ରଥମେ ବନ ସୁରକ୍ଷା ସମିତି ଗଠନ କରିଥିଲେ। ପରେ ମହିଳାମାନଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ନକରି ବିଭିନ୍ନ ଚାଷ ସମ୍ପର୍କରେ ବୁଝାଇଥିଲେ। କଦଳୀ ଚାରା, ସାର, ପେଡ଼ିଆ ଯୋଗାଇ ଦେଇଥିଲେ। ଏହା ପରେ ମହିଳାମାନେ ଚାଷ କରିବା ଆରମ୍ଭ କରିଥିଲେ। ଏବେ ଚାଷ କରି ବହୁତ ଭଲ ରୋଜଗାର କରିପାରୁଛନ୍ତି। ଏଥିପାଇଁ ମହିଳା ମାନେ ବନ ବିଭାଗକୁ ମହିଳାମାନେ ଧନ୍ୟବାଦ ଜଣାଇଛନ୍ତି।

ମହିଳା ଚାଷୀ ପାର୍ବତୀ ମଲ୍ଲିକ କହିଛନ୍ତି, “ଜଙ୍ଗଲ ଜଗିବା ସହିତ ପରିବା ଚାଷ କଲେ ଭଲ ଲାଭ ମିଳିବ ବୋଲି ବନ ବିଭାଗ କର୍ମଚରୀମାନେ ବୁଝାଇଥିଲେ। ସେମାନଙ୍କ କଥା ମାନି ଆମେ ଚାଷ ଆରମ୍ଭ କଲୁ। କଦଳୀ ଗଛ ଲଗାଇ ସାର ଓ ଖତ ଦେଲୁ। ଗଛ ବଢ଼ିଲାଣି। ଫଳିଲାଣି ମଧ୍ୟ। ଭଲ ଦୁଇ ପଇସା ମିଳୁଛି।”

ଅନ୍ୟପକ୍ଷରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି, “ଏବେ ଅନେକ ସ୍ଥାନରେ ofsdp ବନ ସଂରକ୍ଷଣ ସମିତି ଗଠନ କରାଯାଇ ମହିଳାମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଜଙ୍ଗଲ ସୁରକ୍ଷା ଦେବା ସହ ଜଙ୍ଗଲ ନିକଟବର୍ତ୍ତୀ ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଚାଷ କାର୍ଯ୍ୟ କରିବାକୁ କୁହାଯାଉଛି। ମହିଳାମାନେ ଚାଷ କାର୍ଯ୍ୟ କରି ବହୁତ ଲାଭବାନ ହେଉଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।