କାଲି ଥିଲେ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ବିଜେତା, ଆଜି ଦିନ ମଜୁରିଆ

ମିଆଁମାରଠାରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ସେ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଗୌରବ ଆଣିଥିଲେ।

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଅଲିମ୍ପିକକୁ କ୍ୱାଲିଫାଏ କରିବା ସବୁ କ୍ରୀଡ଼ାବିତଙ୍କ ଏକମାତ୍ର ଲକ୍ଷ୍ୟ ଥାଏ। ଏହି ବଡ଼ ଲକ୍ଷ୍ୟ ପୂରଣ କରିବା ପାଇଁ ସେହି କ୍ରୀଡ଼ାବିତଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ସେହି ସ୍ୱପ୍ନ ସାକାର ନହୁଏ, କ୍ରୀଡ଼ାବିତଙ୍କର ମନୋବଳ ଭାଙ୍ଗିଯାଏ। ଆଉ ଶେଷ ବାଧ୍ୟ ହୋଇ କ୍ରୀଡ଼ାବିତ୍ ଜଣଙ୍କୁ ଖେଳ ଛାଡ଼ିବାକୁ ପଡ଼ିଥାଏ। ସେହିଭଳି ଜଣେ କ୍ରୀଡ଼ାବିତ୍ ହେଉଛନ୍ତି ଅରୁଣ ସାନ୍ତା।

ଅର୍ନ୍ତଜାତୀୟସ୍ତରରେ ଦୁଇଥର ସ୍ୱର୍ଣ୍ଣ ଓ ଥରେ ବ୍ରୋଞ୍ଜ୍ ପଦକ ହାସଲ କରି ଦେଶର ଟେକ ରଖିଥିବା ଅରୁଣ ଏବେ ଦିନ ମଜୁରିଆ। ଅରୁଣଙ୍କ ଘର ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଲକ୍ କୁର୍ସି ପଞ୍ଚାୟତ ଅନ୍ତର୍ଗତ ତେଲାରୀ ଗ୍ରାମରେ। ତାଙ୍କ ବାପାଙ୍କ ନାଁ ହେଉଛି ଲକ୍ଷ୍ମଣ ସାନ୍ତା।

ଅରୁଣ ୨୦୦୮ ମସିହାରେ ନିଜ ଗାଁ ଛାଡ଼ି ବ୍ରହ୍ମପୁର ସ୍ପୋର୍ଟ୍ସ ହଷ୍ଟେଲରେ ରହି ଭାରୋତ୍ତୋଳରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଧୀରେ ଧୀରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ବହୁ ପଦକ ଜିତିଥିଲେ। ତେବେ ୨୦୧୨ରେ ଅରୁଣ ଅନ୍ତଜାର୍ତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସେହି ବର୍ଷ ଜୁନରେ ଆପିଆର ସମୋଆରେ ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅରୁଣ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହି ବର୍ଷ ମିଆଁମାରଠାରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ସେ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଗୌରବ ଆଣିଥିଲେ। ଏହାବ୍ୟତୀତ ସେ ସ୍ଲୋଭାକିଆରେ ଅନୁଷ୍ଠିତ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଏହା ପରେ ଅରୁଣ ଆଉ ଆଗକୁ ବଢ଼ିପାରି ନଥିଲେ। ଅରୁଣଙ୍କ ସଫଳତାରେ ବାଧା ଦେଇଥିଲା ଅର୍ଥ। ପ୍ରଶାସନିକ ଉଦାସିନତା ଯୋଗୁଁ ଆର୍ଥିକ ସମସ୍ୟାରେ ଜର୍ଜରିତ ହୋଇ ଅରୁଣ ନିଜର ଏହି ସ୍ୱପ୍ନର ବଳିଦାନ ଦେଇ ନିଜ ଘରକୁ ଚାଲିଆସିଲେ। ପରବର୍ତ୍ତୀ ସମୟରେ ପରିବାରର ପୋଷଣ ପାଇଁ ପର ଘରେ ଦିନମଜୁରିଆ ଭାବେ କାମ କରୁଥିବା ଅରୁଣ କହିଛନ୍ତି। ଅପରପକ୍ଷରେ ଅରୁଣ ପତ୍ନୀ ନିଜ ସ୍ୱାମୀଙ୍କ ପାଇଁ ସରକାରୀ ସହାୟତା ଲୋଡ଼ିଛନ୍ତି।

ଅରୁଣଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଉମରକୋଟ ବିଡିଓ ଦେବୀପ୍ରସାଦ ଟାଲି। ଦେବୀପ୍ରସାଦ କହିଛନ୍ତି, ନିଜ ବ୍ଲକରେ ଏଭଳି ପ୍ରତିଭାବାନ ଯୁବକ ଦିନ ମଜୁରିଆ ଭାବେ କାମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତାଙ୍କୁ ଯଥାସମ୍ଭବ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।