ଦାଦନ ଖଟିବାକୁ ଯାଇ ସାଉଥ୍‌ ହିରୋ ହୋଇଗଲେ କନ୍ଧମାଳ ପୁଅ, କ’ଣ ଥିଲା ଟର୍ଣ୍ଣିଂ ପଏଣ୍ଟ ଜାଣନ୍ତୁ

ବାଲିଗୁଡ଼ା (ଅଜିତ ନାୟକ): ଦାଦନ ଖଟିବାକୁ ଯାଇ ହୋଇଗଲେ ଫିଲ୍ମ ଅଭିନେତା । ଏଭଳି ସୁଯୋଗ ପାଇଛନ୍ତି କନ୍ଧମାଳର ପୁଅ ରାଜକୁମାର ନାୟକ । ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ସେ। ଗୋଟିଏ କି ଦୁଇଟି ନୁହେଁ, ଛଅଟି ମାଲାୟାଲମ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ଠାରୁ ଖୁବ୍ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ହେଲେ ଏହି ସଫଳତା ତାଙ୍କୁ ରାତାରାତି ମିଳିଯାଇ ନାହିଁ। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ।

ଅଭାବ ଅନଟନ ଯୋଗୁ ଅଧାରୁ ଛାଡ଼ିଥିଲେ ପାଠପଢ଼ା

ରାଜକୁମାରଙ୍କ ଘର କନ୍ଧମାଳ ଜିଲ୍ଲା ବେଲଘରରେ । ସେ ଖୁବ୍ ଗରିବ ପରିବାରରୁ ଆସିଥିଲେ। ଅଭାବ ଅନାଟନ ମଧ୍ୟରେ ସେ ୨୦୧୨ ମସିହାରେ ତୁମୁଡ଼ିବନ୍ଧ କଲେଜରେ ଯୁକ୍ତ ୨ରେ ଆଡମିଶନ୍‌ ନେଇଥିଲେ। ହେଲେ ଆର୍ଥିକ ପରିସ୍ଥିତି ଖରାପ ଥିବା ଯୋଗୁଁ ସେ ପାଠପଢ଼ା ଛାଡି କେରଳକୁ ଦାଦନ ଖଟିବାକୁ ଚାଲିଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରିବା ସହ ଜିମ୍‌ରେ ବଡି ବିଲ୍ଡିଂରେ ଜଏନ୍ କଲେ।

ସାଉଥ୍‌ ଷ୍ଟାରଙ୍କ ସହ ରାଜକୁମାର।

ପରେ ମାଲାୟାଲମ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ପାଇଥିଲେ ସୁଯୋଗ । ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ସେ ଏବେ ମାଲାୟାଲମ ଫିଲ୍ମରେ ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଅତିକ୍ରମ ଚାଲିଛନ୍ତି। ଅଭିନୟରେ ସେ ମାହିର ହୋଇଗଲେଣି। ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକଙ୍କ ସହ କାମ ମଧ୍ୟ କରିସାରିଲେଣି । ତାଙ୍କ ଅଭିନୀତ ହିଟ୍ ଫିଲ୍ମ ମଧ୍ୟରେ ରହିଛି ଜାଲିକାଟୁ ଓ ସ୍ୱଦନ୍ତ୍ରା ଅର୍ଦ୍ଧରାତ୍ରୀ। ଦର୍ଶକଙ୍କ ସହିତ ତାଙ୍କ ଅଭିନୟକୁ ମିଳିଛି ମାଲାୟାଲମ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ଭୂୟସୀ ପ୍ରଂଶସା।

ପରିବାର ଓ ଗାଁ ଲୋକେ ଖୁସିରେ ନାଚୁଛନ୍ତି

ରାଜକୁମାରଙ୍କ ଏଭଳି ସଫଳତାକୁ ନେଇ ତାଙ୍କ ପରିବାର ସହିତ ଗାଁ ଲୋକେ ବେଶ୍‌ ଖୁସି। ଛୋଟ ପିଲାରୁ ନେଇ ବଡ଼ ଲୋକ ଯାଏ ସଭିଁଏ ଖୁସିରେ ନାଚୁଛନ୍ତି । ଅକ୍ଲାନ୍ତ ପରିଶ୍ରମ ଓ ସାଧନା ଯୋଗୁ ସେ ମାଲାୟାଲମ ଫିଲ୍ମରେ ଅଭିନୟର ସୁଯୋଗ ପାଇଥିବାରୁ ସେ ଗାଁ ଲୋକଙ୍କ ପାଇଁ ଗର୍ବ ଆଣିଥିବା ତାଙ୍କ ବାପାମା’ କହିଛନ୍ତି । ଏକ ଗରିବ ପରିବାରରୁ ଯାଇ ପୁଅ ଏତେ ବଡ଼ ସଫଳତା ପାଇଥିବା ଯୋଗୁ ସେମାନେ ସମସ୍ତେ ଆନନ୍ଦିତ ବୋଲି ତାଙ୍କ ମା’ କହିଛନ୍ତି।  ତା’ସହିତ ସେ ଓଡ଼ିଆ ପୁଅ ହୋଇଥିବାରୁ ଆଗକୁ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇବେ ବୋଲି ସେମାନେ ଆଶା ରଖିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।