କନ୍ଧମାଳ: ୨ ବର୍ଷ ହେଲା ଅଚଳ ହୋଇ ପଡ଼ିଛି ଗୁଚ୍ଛାପଡ଼ା ଜଳ ଯୋଗାଣ ପ୍ରକଳ୍ପ, ପାଣି ପାଇଁ ଲୋକେ ହନ୍ତସନ୍ତ

କନ୍ଧମାଳ: ଜଳ ଯୋଗାଣ ପ୍ରକଳ୍ପ ଅଛି। ବିଭିନ୍ନ ପଡ଼ାକୁ ପାଇପ୍ ଲାଇନ୍ ବିଛା ଯାଇଛି। ଷ୍ଟାଣ୍ଡପୋଷ୍ଟ୍ ବି ତିଆରି ହୋଇଛି। କିନ୍ତୁ ଲୋକଙ୍କୁ ମିଳୁନି ପାଣି। କାରଣ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇପଡ଼ିଛି ଜଳ ଯୋଗାଣ ପ୍ରକଳ୍ପ। ଏ ସ୍ଥିତି ହେଉଛି କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ପଞ୍ଚାୟତର। ଏହି ପଞ୍ଚାୟତର ୬ଟି ୱାର୍ଡରେ ବାସ କରୁଥିବା ୫୦ ପରିବାରର ପ୍ରାୟ ୩୦୦ ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଜଳ ଯୋଗାଣ ପ୍ରକଳ୍ପଟିକୁ ମରାମତି କରିବା ପାଇଁ ଗାଁ ଲୋକେ ବାରମ୍ବାର ଦାବି ଜଣାଇଥିବା ସତ୍ତ୍ୱେ କୌଣସି ସୁଫଳ ମିଳି ନାହିଁ।

kandhmal

ଗୁଚ୍ଛାପଡ଼ା ପଞ୍ଚାୟତବାସୀଙ୍କ ଜଳକଷ୍ଟକୁ ଦୃଷ୍ଟିରେ ରଖି ୮ ବର୍ଷ ତଳେ ଆରଡବ୍ଲ୍ୟୁଏସଏସ ପକ୍ଷରୁ ସୁନାମୁଦୀ ନଦୀ ପାର୍ଶ୍ୱରେ ଏକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପରୁ ପଞ୍ଚାୟତର ୬ଟି ୱାର୍ଡକୁ ଜଳଯୋଗାଣ ହେଉଥିଲା। ପରବର୍ତ୍ତୀ ସମୟରେ ଆରଡବ୍ଲ୍ୟୁଏସଏସ୍ ପ୍ରକଳ୍ପଟିକୁ ଗୁଚ୍ଛାପଡ଼ା ପଞ୍ଚାୟତକୁ ହସ୍ତାନ୍ତର କରିଥିଲା। ତା’ପରଠାରୁ ପ୍ରକଳ୍ପଟିର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ୱ ପଞ୍ଚାୟତ ଉପରେ ନ୍ୟସ୍ତ ଥିଲା। କିନ୍ତୁ ପ୍ରକଳ୍ପଟିର ରକ୍ଷଣାବେକ୍ଷଣରେ ପଞ୍ଚାୟତ ଅବହେଳା କରିଥିଲା। ଫଳରେ ପ୍ରାୟ ୨ ବର୍ଷ ହେଲାଣି ପ୍ରକଳ୍ପଟି ଅଚଳ ହୋଇ ଯାଇଛି। ଲୋକେ ପାଣି ପାଇଁ ଗାଁରେ ଥିବା ଏକ ମାତ୍ର କୂଅ ସହିତ ନିକଟସ୍ଥ ନଦୀ ଉପରେ ନିର୍ଭର କରୁଛନ୍ତି। ଖରାଦିନେ କୂଅ ପାଣି ଶୁଖି ଯାଏ। ତେଣୁ ସେମାନେ ପାଣି ପାଇଁ ସଂପୂର୍ଣ୍ଣ ଭାବେ ନଦୀ ଉପରେ ନିର୍ଭର କରନ୍ତି। ସେଥିରେ ବି ଖରା ଦିନେ ଜଳ ସ୍ତର କମି ଯାଏ।

ଗାଁର ବୈଜୟନ୍ତୀ ଦିଗାଲ କହିଛନ୍ତି, ଗାଁର ୫୦ଟି ପରିବାର ପାଣି ପାଇଁ ଭାରି ହଇରାଣ ହେଉଛନ୍ତି। ପାଣି ପାଇଁ ନଦୀକୁ ଯିବାକୁ ପଡୁଛି। ଗାଧୁଆପାଧୁଆଠାରୁ ଆରମ୍ଭ କରି ଖାଇବାପିଇବା ପାଇଁ ନଦୀରୁ ପାଣି ଆଣିବାକୁ ପଡୁଛି। ପାଇପରେ ପାଣି ଆସୁନି। ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। କହିଲେ ବି କେହି ଶୁଣୁ ନାହାନ୍ତି।

ବବିତା ବଡ଼ଦଳେଇ କହିଛନ୍ତି, ଗାଁରେ ଥିବା ଏକମାତ୍ର କୂଅଟିର ଅବସ୍ଥା ବି ଶୋଚନୀୟ। ଆଉ କିଛି ମାସ ପରେ କୂଅ ପାଣି ଶୁଖି ଯିବ। ନଦୀରୁ ପାଣି ଆଣି ପିଉଛୁ। ତାହା ବି ଗୋଳିଆ ପାଣି।

ସେହିପରି ଗାଁର ମୋହନ ଦିଗଲ କହିଛନ୍ତି, ଗାଁ ଲୋକେ ନଦୀ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି। ଜଳ ଯୋଗାଣ ପ୍ରକଳ୍ପଟି ମରାମତି କରି ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତର ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଛି। କିନ୍ତୁ କିଛି ଲାଭ ହୋଇନି। ଆଗାମୀ ଦିନରେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ।

kandhmal

ଜଳ ଯୋଗାଣ ପ୍ରକଳ୍ପର ମରାମତି କାର୍ଯ୍ୟରେ ଅବହେଳା ଅଭିଯୋଗକୁ କଣ୍ଡନ କରିଛନ୍ତି ଗୁଚ୍ଛାପଡ଼ା ସରପଞ୍ଚ ଶରତ ଚନ୍ଦ୍ର କହଁର। ସେ କହିଛନ୍ତି ବିଭିନ୍ନ ସମୟରେ ଏହି ପ୍ରକଳ୍ପର ମରାମତି କାମ କରାଯାଇଛି। ମଝିରେ ମୋଟର ଖରାପ ହୋଇଥିଲା। ତାହା ବି ଠିକ୍ ହୋଇ ଯାଇଛି। ଏହା ସହିତ ଖୁବଶୀଘ୍ର ପୁଣି ଥରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସରପଞ୍ଚ କହିଛନ୍ତି। ସେ କହିଛନ୍ତି, ଫାଇଲିନ୍ ଓ ହୁଡୁହୁଡୁ ପରେ ଟାଙ୍କିରେ ପଙ୍କ ଜମି ଯାଇଛି। ପଙ୍କ ସଫା ହେଲେ ପୁଣି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ପ୍ରକଳ୍ପର ମେସିନ୍ ମରାମତି ପାଇଁ ଫୁଲବାଣୀରୁ ମେକାନିକଙ୍କୁ ମଧ୍ୟ ଡକାଯାଇଛି।

ଗାଁରେ ଗାଁରେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ରହୁଥିବା ବିଭାଗ ଓ ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡୁଛି। ସରକାର ଓ ପ୍ରଶାସନ ଏସବୁ ଦିଗ ଉପରେ ତୁରନ୍ତ ପଦକ୍ଷେପ ନେବା ଉଚିତ୍।