ମୋର କେହି ମା’ ନାହାନ୍ତି…

oldasramaଭୁବନେଶ୍ୱର (ମନୋରଞ୍ଜନ ଶିଅଳ): “ମୋର କେହି ମା’ ନାହାନ୍ତି, ତୁମେ ପାଇଛ ତୁମେ ରଖ।” ଭୁବନେଶ୍ୱରର ଏକ ବୃଦ୍ଧାଶ୍ରମରୁ ଜଣେ ବୃଦ୍ଧାଙ୍କୁ ଘରକୁ ଫେରାଇ ନେବାକୁ ଯେତେବେଳେ ଯୋଗାଯୋଗ କରାଗଲା ତାଙ୍କ ପୁଅ ଦେଇଥିଲେ ଏଭଳି ଜବାବ। ଏହି ବୃଦ୍ଧାଙ୍କ ନାଁ ଲାବଣ୍ୟ ବେହେରା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଖୋର୍ଦ୍ଧାରେ ଥିବା ତାଙ୍କ ବଡ଼ ପୁଅ ଓ ଭୁବନେଶ୍ୱରରେ ରହୁଥିବା ସାନ ପୁଅ ପାଖରେ ପାଳି କରି ରହୁଥିଲେ। ଥରେ ମାସ ପୂରି ଯିବା ପରେ ସେ ବଡ଼ ପୁଅ ପାଖରୁ ସାନ ପୁଅ ପାଖକୁ ଆସୁଥିଲେ। ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା। ପୁଅର ଘର ପାଇଲେ ନାହିଁ। ଆଖିରେ ବି ଭଲ ଦେଖାଯାଉ ନ ଥିଲା। ବାଟରେ ଯାଉଥିବା ଲୋକେ ବି କେହି ସାହାଯ୍ୟ କଲେ ନାହିଁ। ଏଗଳି ସେଗଳି ହେଉ ହେଉ ମୁଣ୍ଡ ବୁଲାଇ ପଡ଼ି ଗଲେ। ପାଟ୍ରୋଲିଂ ପୋଲିସ୍ ତାଙ୍କୁ ଉଦ୍ଧାର କରି ରସୁଲଗଡ଼ରେ ଥିବା ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଛାଡ଼ି ଦେଇଥିଲେ। ଲାବଣ୍ୟ ଟିକେ ସୁସ୍ଥ ହେବା ପରେ ସେ ତାଙ୍କ ପୁଅର ଠିକଣା ଦେଇଥିଲେ। ସେ କହିଥିବା ଠିକଣା ଅନୁଯାୟୀ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରାଗଲା। ତେବେ ସେ ତାଙ୍କ ମା’ଙ୍କୁ ନେବାକୁ ରୋକଠୋକ୍ ମନା କରି ଦେଇଥିଲେ। ଏପରିକି ତାଙ୍କର କେହି ମା’ ନାହାନ୍ତି ବୋଲି ସିଧା ସିଧା ଶୁଣାଇ ଦେଇଥିବା ବୃଦ୍ଧାଶ୍ରମ କର୍ତ୍ତୃପକ୍ଷ କହିଛନ୍ତି। ପୁଅ ନେବାକୁ ମନା କରି ଦେବା ପରେ ୭ ମାସ ହେଲା ଲାବଣ୍ୟ ବୃଦ୍ଧାଶ୍ରମରେ ରହୁଛନ୍ତି।

ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ପ୍ରାୟ ଦେଢ଼ ବର୍ଷ ହେଲା ରହି ଆସୁଛନ୍ତି କୁନ୍ତଳାଦେଇ ସାହୁ ନାମକ ଆଉ ଜଣେ ବୃଦ୍ଧା। ତାଙ୍କ ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ। ତାଙ୍କର ସ୍ୱାମୀ,ପୁଅ ଓ ବୋହୂ ଅଛନ୍ତି। ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବା ଦର୍ଶାଇ ପରିବାର ଲୋକେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଥିଲେ। ୬ ମାସ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ। ଏହା ପରେ ତାଙ୍କ ଘରକୁ ଖବର ଦିଆଯାଇଥିଲା। କିନ୍ତୁ ତାଙ୍କ ପୁଅ ତାଙ୍କୁ ନେବାକୁ ମନା କରି ଦେଲେ।

ପଶ୍ଚିମବଙ୍ଗର  ମେଦନାପୁରର ମେନକା ପାତ୍ର ଏହି ବୃଦ୍ଧାଶ୍ରମରେ ୫ ମାସ ହେଲା ଅଛନ୍ତି। ସେହିପରି ସମ୍ବଲପୁରର ପୁଷ୍ପାଞ୍ଜଳି ସାହୁ ୨ ବର୍ଷ ହେଲାଣି ଅଛନ୍ତି। ଭଦ୍ରକର ଅକ୍ଷୟ ପାତ୍ର ବର୍ଷେ ହେଲାଣି ଥିବା ବେଳେ ନୟାଗଡ଼ର ହାଡ଼ିବନ୍ଧୁ ପ୍ରଧାନ ୭ ମାସ ହେଲା ଅଛନ୍ତି। ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ନେଉ ନାହାନ୍ତି।

ମୋହିନୀ ପ୍ରମିଳା ବୃଦ୍ଧାଶ୍ରମର ରମାନାଥ ନାୟକ କହିଛନ୍ତି,“ଏହି ବୃଦ୍ଧବୃଦ୍ଧାଙ୍କ ପରିବାର ଲୋକଙ୍କୁ ବହୁବାର ଫୋନ୍ କରାଯାଇଛି ଓ ସେମାନଙ୍କୁ ନେଇଯିବାକୁ କୁହାଯାଇଛି। କିନ୍ତୁ ସେମାନେ ଆସୁନାହାନ୍ତି।”

ସେ କହିଛନ୍ତି,“ବର୍ତ୍ତମାନ ବୃଦ୍ଧାଶ୍ରମରେ ୧୩ ଜଣ ବୃଦ୍ଧା ଓ ବୃଦ୍ଧ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମାନସିକ ସ୍ଥିତି ଭଲ ନାହିଁ। ସେମାନଙ୍କୁ ପ୍ରତିଦିନ ଚିକିତ୍ସା କରାଯାଉଛି। ଏମାନଙ୍କ ସଂପର୍କରେ କିଛି ତଥ୍ୟ ମଧ୍ୟ ମିଳିନି।”

ରମାନାଥ ଆହୁରି ମଧ୍ୟ କହିଛନ୍ତି,“ଯେଉଁ ବୃଦ୍ଧବୃଦ୍ଧାଙ୍କ ପରିବାର ସମ୍ପର୍କରେ ସୂଚନା ମିଳେ ସେମାନଙ୍କୁ ସେଠାରେ ଛାଡ଼ି ଦିଆଯାଏ। ବର୍ତ୍ତମାନ ସୁଦ୍ଧା ୬୦ରୁ ୭୦ ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ସେମାନଙ୍କ ଘରେ ଛଡ଼ା ଯାଇଛି। ସେମିତି କିଛି ଅସୁବିଧା ହୋଇନି। ସମସ୍ତେ ପ୍ରାୟତଃ ଠିକ୍‌ଠାକ୍‌ ଅଛନ୍ତି।”

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More