ନୀଳମାଧବ, ଶ୍ରୀଭାଷ ଏବଂ ହଳଧରଙ୍କୁ ପଦ୍ମଶ୍ରୀ ସମ୍ମାନ

Haldhar_Nag_nilamadhabaଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସୋମବାର ୨୦୧୬ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ମୋଟ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବା ପାଇଁ ଘୋଷଣା କରାଯାଇଥିବା ବେଳେ ଏଥି ମଧ୍ୟରେ ରହିଛନ୍ତି ୩ ଜଣ ଓଡ଼ିଆ। ସେମାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ ଓଡ଼ିଆ ଫିଲ୍ମ ନିର୍ମାତା ତଥା ପ୍ରଯୋଜକ ନୀଳମାଧବ ପଣ୍ଡା, ବୁଣାକାର ଶ୍ରୀଭାଷ ସୁପକାର ଏବଂ ଲୋକକବି ହଳଧର ନାଗ।

ଓଡ଼ିଆ ଫିଲ୍ମ ନିର୍ମାତା ଭାବେ ନୀଳମାଧବଙ୍କ ନାଁ ରହିଛି। ସେ ୧୯୭୩ ଅକ୍ଟୋବର ୧୮ରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପ୍ରଯୋଜକ ଓ ଫିଲ୍ମ ମେକର ଭାବେ ସେ ‘ଆଇ ଆମ କାଲାମ୍’ (୨୦୧୧), ‘ଜଲପରୀ’ (୨୦୧୨), ‘ବବଲୁ ହାପି ହେ’ (୨୦୧୪) ଓ ‘କୌନ କିତନେ ପାନି ମେ’ (୨୦୧୫) ପରି ସାମାଜିକ ସମସ୍ୟା ଭିତ୍ତିକ ଫିଲ୍ମ ନିର୍ମାଣ କରିଛନ୍ତି। ସେ‌ଥିମଧ୍ୟରୁ ‘ଆଇ ଆମ କଲାମ୍’ ଗୋଟିଏ ଜାତୀୟ ଓ ୩୨ଟି ଅନ୍ତଜାର୍ତୀୟ ପୁରସ୍କାର ପାଇଛି। ସେହିପରି ‘ଜଲପରି’ ଚଳଚ୍ଚିତ୍ର କାନ୍ସରେ ଏମଆଇପି ଜୁନିୟର ପୁରସ୍କାର ଜିତିଛି।

୨୦୧୧ରେ ଓଡ଼ିଶା ଆଇକନ୍, ୨୦୧୨ରେ ଲିଭିଂ ଲିଜେଣ୍ଟ ଓ ସନ ଅଫ୍ ଓଡ଼ିଶା, ୨୦୧୫ରେ ଭାରତ ଗୌରବ ଓ କର୍ମବୀର ପୁରସ୍କାର ପରି ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନୀଳମାଧବ।

ଏ ନେଇ ନୀଳମାଧବ ପଣ୍ଡା କହିଛନ୍ତି, ‘ଏହା ମୋ ପାଇଁ ବହୁତ ବଡ ସମ୍ମାନ। ଏହା ମୋ ପରିବାର ପାଇଁ ଅତ୍ୟନ୍ତ ଖୁସିର ଖବର। ଏହି ପୁରସ୍କାର ଆଗାମୀ ଦିନରେ ମତେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ। ଆସନ୍ତାଦିନରେ ଭାରତରେ ବିଭିନ୍ନ ସମସ୍ୟା ନେଇ ସିନେମା ନିର୍ମାଣ କରିବି’।

ଲୋକକବି ହଳଧର ନାଗଙ୍କ ଘର ବରଗଡ଼ ଜିଲ୍ଲାର ଘେନସରରେ। ସେ ୧୯୫୦ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ତୁଳନା କରାଯାଏ। ସେ ୧୯୯୦ରୁ ନିରନ୍ତର ଭାବେ କୋଶଳୀ ଭାଷାରେ ବିଭିନ୍ନ କବିତା ରଚନା କରିଛନ୍ତି। ତାଙ୍କ ରଚନା ମଧ୍ୟରେ ରହିଛି ଲୋକଗୀତ, ସାମପର୍ଦା, କୃଷ୍ଣଗୁରୁ, ମହାସତୀ ଉର୍ମିଳା, ତାରା ମନ୍ଦୋଦରୀ, ଆଛିଆ, ବଛାର, ସିରି ସୋମଲାଇ, ବୀର ସୁରେନ୍ଦ୍ର ସାଏ, କରମସାନି, ରସିଆ କବି (ତୁଳସୀଦାସଙ୍କ ଜୀବନୀ) ଓ ପ୍ରେମ୍ ପେହଚାନ୍।