ନେତାଙ୍କ ‘ଫୁଟ୍‌ବଲ୍‌’ ଜନତାଙ୍କ ‘ଭଗବାନ’!

ଦେବେନ୍ଦ୍ର ପୃଷ୍ଟି

ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। କିନ୍ତୁ ଭୋଟ୍‌ ପାଇଁ ବିଭିନ୍ନ ଦଳ ଧର୍ମଭିତ୍ତିକ ଓ ଧର୍ମକେନ୍ଦ୍ରିକ ରାଜନୀତି କରିବାକୁ ପଛାନ୍ତି ନାହିଁ। ଏପରିକି ଭୋଟ୍‌ ଉଦ୍ଦେଶ୍ୟରେ ବିଭିନ୍ନ ଦଳର ନେତୃତ୍ୱାଧୀନ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ଲୋକଙ୍କ ଧର୍ମବିଶ୍ୱାସକୁ ନେଇ ରାଜନୀତି କରିଥାନ୍ତି। ଓଡ଼ିଶାରେ ଏହାର ସଦ୍ୟତମ ଉଦାହରଣ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ରାଜନୀତି। ଭୋଟ୍‌ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଆଧାର କରି ଉଭୟ ବିଜେଡି ଓ ବିଜେପି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ରାଜନୀତିକ ପେଣ୍ଡୁରେ ପରିଣତ କରିଛନ୍ତି। ଉଭୟ ଦଳ ଏହି ପ୍ରକଳ୍ପର ଶ୍ରେୟ ନେବା ପାଇଁ ଓ ଓଡ଼ିଆଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସକୁ ଭୋଟ୍‌ରେ ପରିଣତ କରିବା ପାଇଁ ଏହି କୌଶଳ ପ୍ରୟୋଗ କରିଛନ୍ତି। ରାଜ୍ୟ କଂଗ୍ରେସ ଏ ଉଭୟ ଦଳଠାରୁ ସମଦୂରତା ରକ୍ଷା କରିବା ଆଳରେ ଉଭୟ ଦଳର ରାଜନୀତିକୁ ପରୋକ୍ଷ ସମର୍ଥନ କରିଚାଲିଛି। ଏଠାରେ ଏହି ରାଜନୀତି ସଂପର୍କରେ କେତେକ ବିନ୍ଦୁର ଅବତାରଣା କରାଯାଉଛି।

  • ଅଯୋଧ୍ୟାର ରାମ ଜନ୍ମଭୂମି ବିବାଦ ସଂପର୍କୀତ ମାମଲାରେ ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ନିଷ୍ପତ୍ତିମୂଳକ ରାୟକୁ କେନ୍ଦ୍ର ସରକାରର ନେତୃତ୍ୱ ନେଉଥିବା ଭାରତୀୟ ଜନତା ପାର୍ଟି ଏବଂ ଏହାର ଚେର ଓ ଶାଖା ସଂଗଠନଗୁଡ଼ିକ ନିଜର ସଫଳତା ଭାବେ ଉପସ୍ଥାପନ କରିବା ପରେ ଓଡ଼ିଶା ପ୍ରଶାସନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଭାବେ ଉପସ୍ଥାପନ କରି ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଆରମ୍ଭ ହୋଇଥିବା ବିଶ୍ୱ ଐତିହ୍ୟ ସହର ପୁରୀ ପ୍ରକଳ୍ପକୁ ଏହି ପ୍ରକଳ୍ପରେ ସାମିଲ କରାଯାଇଛି। ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ ବିଜେପି ପୁନର୍ବାର ସଫଳତା ହାସଲ କରିବା ଏବଂ ଓଡ଼ିଶାରେ ୯ ଲୋକସଭା ଆସନ ସହିତ ୨୨ ବିଧାନସଭା ଆସନ ଜିତିବା ପରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କୁ ଆଶ୍ରା ବା ଅସ୍ତ୍ର କରି ଓଡ଼ିଶାରେ ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ଅଟକେଇବାକୁ ନିଜେ ସେହି ରାଜନୀତି ଆରମ୍ଭ କରିଛନ୍ତି।
  • ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରି ମସଜିଦକୁ ନେଇ ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ସମସ୍ତ ମାମଲାର ଅନ୍ତ ଘଟାଇ ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଏକ ଐତିହାସିକ ରାୟ ଶୁଣାଇଥିଲେ। ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ରାମ ମନ୍ଦିର ନିର୍ମାଣ ପାଇଁ ଦିଆଯିବାକୁ ଏବଂ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ବାବ୍ରି ମସଜିଦ ନିର୍ମାଣ ପାଇଁ ଜମି ଦେବାକୁ ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ପ୍ରାୟ ସବୁ ପକ୍ଷ ଗ୍ରହଣ କରିନେଇଥିଲେ। ତେବେ ଏହା ବିଜେପି ଓ ଏହାକୁ ସହଯୋଗ କରୁଥିବା ବହୁ ହିନ୍ଦୁତ୍ୱବାଦୀ ସଂଗଠନ ସେମାନଙ୍କର ସଫଳତା ଭାବେ ପ୍ରଦର୍ଶନ କରିଥିଲେ।
  • ଠିକ ଏହି ରାୟର ମାସକ ପରେ ୨୦୧୯ ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ନୂଆ ନକ୍ସାର ଉନ୍ମୋଚନ  କଲେ। ଏହି ନକ୍ସା ଉନ୍ମୋଚନ ଅବସରରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଭାବେ ଉପସ୍ଥାପନ କଲେ। ତାଙ୍କ ସୂଚନା ଅନୁସାରେ ୨୦୧୬ ମସିହାରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ପୁରୀ ଗସ୍ତ ସମୟରେ ରାସ୍ତାକଡ଼ରେ ଲାଗିଥିବା ଜଗନ୍ନାଥ ଓ ରଥଯାତ୍ରାର ପୋଷ୍ଟର ଇତ୍ୟାଦିକୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଥିବା ସେ ଲକ୍ଷ୍ୟ କରିଥିଲେ। ଶ୍ରୀଜଗନ୍ନାଥ କ୍ଷେତ୍ରର ବିକାଶ ପାଇଁ ତାଙ୍କ ମନରେ ପ୍ରବଳ ଆଗ୍ରହ ରହିଛି।
  • ଏହା ପୂର୍ବରୁ ୨୦୧୯ ଅଗଷ୍ଟ ୧୬ ତାରିଖରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ନେଇ ଜଷ୍ଟିସ ବିପି ଦାସ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ରିପୋର୍ଟ ଅନୁସାରେ ଶ୍ରୀମନ୍ଦିରର ୭୫ ମିଟର ଚତୁର୍ପାଶ୍ୱ ଦଖଲମୁକ୍ତ ହୋଇଛି। ଏପରିକି ୭୫ ମିଟର ଭିତରେ ଥିବା ଅନେକ ପୁରାତନ ମଠକୁ ଭାଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ନାମରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ସାମିଲ ହୋଇଛି। ଏବେ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି।
  • ୨୦୧୫ ନବ କଳେବର ସମୟରେ ଶ୍ରୀମନ୍ଦିର ଚତୁର୍ପାଶ୍ୱର ବିକାଶ ପାଇଁ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟୟ ଅଟକଳା କରାଯାଇଥିଲା। ଖର୍ଚ୍ଚ ତା’ଠାରୁ ଯଥେଷ୍ଟ କମ୍‌ ହୋଇଥିଲେ ମଧ୍ୟ ବଡ଼ଦାଣ୍ଡ ବିକାଶ, ନୂଆ ଡାକ୍ତରଖାନା, ନୂଆ ବସ୍‌ଷ୍ଟାଣ୍ଡ, ନୂଆ ଓଭରବ୍ରିଜ୍‌, ନୂଆ ସଡ଼କ, ନୂଆ କୋଠା ଆଦି ଅନେକ କିଛି ନିର୍ମାଣ ହୋଇଥିଲା। ପ୍ରତିବର୍ଷ ରଥଯାତ୍ରା ସମୟରେ ମଧ୍ୟ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଅନେକ ‘ବିକାଶ’ ହୋଇଥାଏ। ଏବେ ପୁଣି ପ୍ରଥମେ ‘ସୁରକ୍ଷା ଓ ନିରାପତ୍ତା’ ଓ ପରେ ‘ଐତିହ୍ୟ କରିଡର’ ନାମରେ ୩୨୦୦ କୋଟି ଟଙ୍କାର ‘ବିକାଶ’ ହେବ।
  • ରାଜ୍ୟ ବିଜେଡି ସରକାର ଶ୍ରୀମନ୍ଦିର ପ୍ରକଳ୍ପ ଜରିଆରେ ଲୋକମାନଙ୍କର ଧାର୍ମିକ ବିଶ୍ୱାସକୁ ରାଜନୀତିକ ସମର୍ଥନରେ ପରିଣତ କରିବା ଦେଖି ମୂଳ ହିନ୍ଦୁତ୍ୱବାଦୀ ପାର୍ଟି ବିଜେପି ପଛରେ ପଡ଼ି ନଥାନ୍ତା। ତେଣୁ ଏହାର ରାଜ୍ୟ ମୁହଁ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଅନ୍ୟ କେତେକ ମନ୍ଦିର ପାଇଁ ମଧ୍ୟ ଏପରି ପ୍ରକଳ୍ପ ଆରମ୍ଭ କରିବାକୁ ଦାବି କରିଥିଲେ। ଅବଶ୍ୟ ତାଙ୍କ ଦାବି ପୂର୍ବରୁ ମୁଖ୍ୟମନ୍ତ୍ରୀ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଚାରିପଟେ ଏପରି ପ୍ରକଳ୍ପ ଘୋଷଣା କରି ସାରିଥିଲେ। ପରେ ସମଲେଶ୍ୱରୀ ଆଦି ମନ୍ଦିର ପାଇଁ ଏପରି ଘୋଷଣା କରାଯାଇଛି।
  • ମନ୍ଦିର ରାଜନୀତିରୁ ନବୀନଙ୍କ ଦଳ ଫାଇଦା ପାଉଥିବା ଦେଖି ସେଥିରୁ କିଛି ଭାଗ ଟାଣି ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୧ ମାର୍ଚ୍ଚ ୫ ତାରିଖରେ  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ସମର୍ପଣ ନିଧି ଢାଞ୍ଚାରେ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଗଜପତି ମହାରାଜା ପୋଖତ ରାଜନୀତିଜ୍ଞଙ୍କ ପରି ତାଙ୍କ କଥାରେ ହଁ କି ନା ନମାରି ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ା ବୋଲି ପ୍ରତ୍ୟୁତ୍ତର ଦେଇଥିଲେ।
  • ଏହା ପରେ ଧର୍ମେନ୍ଦ୍ର ଓ ତାଙ୍କ ଦଳର ସମର୍ପଣ ନିଧି ଅଭିଯାନ ପ୍ରସ୍ତାବ ପଛରେ ରହିଥିବା ଉଦ୍ଦେଶ୍ୟକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଅଧୀନସ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାନ ବାକ୍ସ ଯୋଜନା ପରିକଳ୍ପନା କରାଯାଇଛି। ଶ୍ରୀମନ୍ଦିର ବିକାଶ ପାଇଁ ମୁକ୍ତ ହସ୍ତରେ ଦାନ କରିବାକୁ ଅନୁରୋଧ କରି ଶ୍ରୀମନ୍ଦିର ପ୍ରଶାସନ ଦେଶର ବିଭିନ୍ନ ରେଳ ଷ୍ଟେସନ, ବିମାନ ବନ୍ଦର, କମ୍ପାନୀ ଓ ଶିକ୍ଷାନୁଷ୍ଠାନରେ ଦାନ ବାକ୍ସ ବସାଇବାକୁ ଯୋଜନା କରିଛି।
  • ଏବେ ଶ୍ରୀମନ୍ଦିରର ବାର୍ଷିକ ଆୟ ହେଉଛି ପ୍ରାୟ ୧୨ କୋଟି ଟଙ୍କା। ବ୍ୟାଙ୍କରେ କର୍ପସ ଫଣ୍ଡ ଜମା ରହିଛି ୬୫୦ କୋଟି ଟଙ୍କା। ରାଜ୍ୟ ଓ ରାଜ୍ୟ ବାହାରେ ଶ୍ରୀଜଗନ୍ନାଙ୍କର ପ୍ରାୟ ୬୦ ହଜାର ଏକର ଜମି ରହିଛି। ତନ୍ମଧ୍ୟରେ ଅନେକ ପାହାଡ଼ ଅନ୍ତର୍ଭୁକ୍ତ। ଏସବୁ ଜମି ଓ ପାହାଡ଼ରୁ ଶ୍ରୀମନ୍ଦିରର ଆୟବୃଦ୍ଧି ଯୋଜନା ନକରି ରାଜ୍ୟ ସରକାର ନିଷ୍କ୍ରିୟତା ରୂପୀ ପରୋକ୍ଷ ପ୍ରୋତ୍ସାହନ ଯୋଗାଉଥିବାରୁ ଠାକୁରଙ୍କ ସଂପତ୍ତିକୁ ଅନେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ହଡ଼ପ କରି ଚାଲିଛନ୍ତି। ଖୋଦ ରାଜ୍ୟ ସରକାର ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ବେଦାନ୍ତ କମ୍ପାନୀକୁ ବିକ୍ରି କରିଥିଲେ। ତେବେ ତାହା କୋର୍ଟରେ ଖାରଜ ହୋଇଥିଲା। ଏବେ ବି ସରକାର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି। ସେଠି ରତ୍ନ ଅଛି କି ଗୋଡ଼ିମାଟି ତାହାର ସୁମାରି କରାଯାଉ ନାହିଁ। ଶ୍ରୀମନ୍ଦିର ଆୟବ୍ୟୟ ଉପରେ ନିରପେକ୍ଷ ଅଡିଟ୍‌ ହେଉନାହିଁ। ତଥାପି, ଚାନ୍ଦା ଓ ଅନୁଦାନ ବୃଦ୍ଧି ପାଇଁ ଦାବି କରାଯାଉଛି ଓ ତାହା ପୂରଣ ହେଉଛି।
  • ଶ୍ରୀମନ୍ଦିର ଚତୁର୍ପାଶ୍ୱ ବିକାଶ କ୍ଷେତ୍ରରେ ଦୁର୍ନୀତି ସନ୍ଦେହ କରିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ବିକାଶରେ ମଧ୍ୟ ଦୁର୍ନୀତି ଓ ଅନିୟମିତତା ହୋଇଥିବା ସନ୍ଦେହ ପ୍ରକଟିତ ହୋଇଛି। ବଡ଼ କଥା ହେଲା ଉଭୟ ପୁରୀ ଓ ଭୁବନେଶ୍ୱରରେ ମନ୍ଦିର ଚତୁର୍ପାଶ୍ୱ ସୌନ୍ଦର୍ଯ୍ୟକରଣ ନାମରେ ଶହଶହ ବର୍ଷ ପୁରୁଣା ମଠ ଓ ମନ୍ଦିରାଦି ଐତିହ୍ୟ ଭଙ୍ଗା ଯାଉଛି। ଅପରାଜିତା ଏହାକୁ ବିରୋଧ କରିଛନ୍ତି। ତାଙ୍କର ପ୍ରଶ୍ନ, ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗି କେଉଁ ଐତିହ୍ୟର ବିକାଶ ହେବ? ଏ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର କି କେନ୍ଦ୍ର ସରକାର ଦେଇନାହାନ୍ତି। ଐତିହ୍ୟ ଓ ସଂସ୍କୃତିର ଗବେଷକ ଅନୀଲ ଧୀର, ବିଶ୍ୱଜିତ ମହାନ୍ତି ଓ ସାଂସଦ ଅପରାଜିତାଙ୍କ ମତରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ଚତୁର୍ପାର୍ଶ୍ୱରେ ମଠମନ୍ଦିରାଦି ଭଙ୍ଗାଯିବା ବିଭିନ୍ନ ଆଇନ ଅନୁସାରେ ଅବୈଧ। ତଥାପି ରାଜ୍ୟ ସରକାର ତାହା କରିଛନ୍ତି ଓ ବିଜେପି ଏବଂ କଂଗ୍ରେସ ସମେତ ଅନ୍ୟ ସମସ୍ତ ରାଜନୀତିକ ଦଳ ନୀରବ/ନିଷ୍କ୍ରିୟ ରହିଛନ୍ତି।
  • ୨୦୦୦ ମସିହାରେ ନବୀନବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ସହିତ ଥିଲେ ହିନ୍ଦୁତ୍ୱବାଦୀ ବିଜେପି। କିନ୍ତୁ ୨୦୦୯ ମସିହାରେ ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ନବୀନବାବୁ ହିଁ ବିଜେପିର ହାତ ଛାଡ଼ିଦେଲେ ଓ ଘୋଷଣା କଲେ ଯେ ତାଙ୍କ ଦେହର ପ୍ରତ୍ୟେକ ହାଡ଼ ହେଉଛି ଧର୍ମନିରପେକ୍ଷ। ସେଯାଏଁ କି ତା’ ପର ୧୦ ବର୍ଷ ଯାଏଁ ତାଙ୍କ ସରକାର ଓଡ଼ିଶାରେ ଏପରି ମନ୍ଦିର ଓ ଐତିହ୍ୟ ସ୍ଥଳୀର ବିକାଶ ନେଇ ସେପରି କୌଣସି ଆଖିଦୃଶିଆ ପ୍ରକଳ୍ପ ଘୋଷଣା କରିନଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିଜେପିର ଆଖିଦୃଶିଆ ସଫଳତା ପରେ ସ୍କୁଲ ଓ ଡାକ୍ତରଖାନା ପରିବର୍ତ୍ତେ ମନ୍ଦିର ଯୋଜନା ମାଡ଼ି ଚାଲିଛି। କହିବା ବାହୁଲ୍ୟ, ଏହା ପଛର ଅସଲ ଉଦ୍ଦେଶ୍ୟ ହେଉଛି ଭୋଟ୍‌ କୈନ୍ଦ୍ରିକ ରାଜନୀତି। ନହେଲେ ଓଡ଼ିଶାର ପ୍ରାଚୀନ ଐତିହ୍ୟ ବୌଦ୍ଧ ଓ ଜୈନ କୀର୍ତ୍ତିରାଜି ସବୁ ଧ୍ୱଂସ ପାଉଥିବା ସମୟରେ ସରକାର ବିକଶିତ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଆଦି ସହରର ପୁନଃ ବିକାଶ ନାମରେ ଶହଶହ କୋଟି ଟଙ୍କାର ପାଣ୍ଠି ଖର୍ଚ୍ଚ କରନ୍ତେ ନାହିଁ କି ଭଙ୍ଗାଗଢ଼ାର ଖେଳ ଦେଖେଇ ରାଜ୍ୟବାସୀଙ୍କୁ ଚମତ୍କୃତ କରନ୍ତେ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ନାକତଳେ ଥିବା ଭୁବନେଶ୍ୱରର ଶିଶୁପାଳ ଗଡ଼ ବିଭିନ୍ନ ସରକାରୀ ସଂସ୍ଥାର ପରୋକ୍ଷ ପ୍ରୋତ୍ସାହନରେ ଧ୍ୱଂସ ପାଇଥିଲେ ମଧ୍ୟ ତାହାର ପୁନରୁଦ୍ଧାର ଓ ବିକାଶ ପାଇଁ ରାଜ୍ୟ ସରକାର ଆଦୌ ଉଦ୍ୟମ ନକରିବା ମଧ୍ୟ ସେହି ଭୋଟ୍‌ କୈନ୍ଦ୍ରିକ ରାଜନୀତିର ଅନ୍ୟ ଏକ ପ୍ରମାଣ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।