ଶ୍ରୀମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପ- କେତେକ ତେଢ଼ା ପ୍ରଶ୍ନ
- ଦେବେନ୍ଦ୍ର ପୃଷ୍ଟି
କିଏ କହୁଛି ଏହା ବେଆଇନ। କିଏ କହୁଛି ଏହା ବିପଦ। ପୁଣି କିଏ କହୁଛି ଏହା ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ। ଆଉ କିଏ ବି କହୁଛନ୍ତି ଏହା ଆଧ୍ୟାତ୍ମିକତା ବିରୋଧୀ। ଶ୍ରୀମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପକୁ ନେଇ ଗତ କିଛି ମାସ ଧରି ରାଜ୍ୟରେ ଏଇଭଳି ରାଜନୀତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିତର୍କ ଲାଗି ରହିଛି। ତେବେ ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୧୦୦ ମିଟର ମଧ୍ୟରେ କୌଣସି ନୂତନ ନିର୍ମାଣ ହେଇପାରିବ କି ନାହିଁ ତାହା ହେଉଛି ମୂଳ ପ୍ରଶ୍ନ। ଏ ପ୍ରଶ୍ନ ଉପରେ ଏଯାଏଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, କେନ୍ଦ୍ର ସରକାର କି ରାଜ୍ୟ ସରକାର କୌଣସି ସ୍ପଷ୍ଟ ମତ ରଖିନାହାନ୍ତି। କେବଳ ‘ବିକାଶ’ ଭିତ୍ତିରେ ବିତର୍କ ଚାଲିଛି। ଏଠାରେ ଏଯାଏ ଏହି ପ୍ରକଳ୍ପ ଓ ତାହାର ଜନ୍ମଜାତକ ନେଇ କେତେକ ତଥ୍ୟ ଓ ପ୍ରଶ୍ନ ଉପସ୍ଥାପନ କରାଯାଉଛି।
୧. ୨୦୧୯ ନିର୍ବାଚନ ଶେଷ ହେବାର ପ୍ରାୟ ୬ ମାସ ପରେ ଡିସେମ୍ବର ମାସରେ ଏହି ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ, ଜଗନ୍ନାଥ ମନ୍ଦିର ପ୍ରତି ଆତଙ୍କବାଦୀ ବିପଦ ରହିଛି। ତେଣୁ ମନ୍ଦିର ଚାରି କଡ଼େ ୭୫ ମିଟର ଯାଏଁ ଉଚ୍ଛେଦ କରାଯିବ। ଗଣମାଧ୍ୟମରେ ଏହା ଉପସ୍ଥାପନ କରିଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ସେ କହିଥିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ୨୦୧୬ ମସିହାରେ ସେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ।
୨. ୨୦୨୦ ଫେବୃଆରୀ ମାସରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ସେତେବେଳେ କୌଣସି ଦଳ ଏହାକୁ ବିରୋଧ କରି ନଥିଲେ। ହୁଏତ ସେତେବେଳେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖ ଓ କାର୍ଯ୍ୟକାରିତା ନେଇ କେହି ସ୍ପଷ୍ଟ ତଥ୍ୟ ପାଇ ନଥିଲେ।
୩. ଏହା ପରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ପଟେ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ମଠ, ମନ୍ଦିର, ଦୋକାନ, ଲଜ୍, ଧର୍ମଶାଳା, ଘର ଆଦି ଭଙ୍ଗାଗଲା।
୪. ସରକାରୀ ତଥ୍ୟ ଅନୁସାରେ ୨୦୨୧ ଫେବୃଆରୀ ମଧ୍ୟରେ ଶ୍ରୀମନ୍ଦିର ଚାରି ପଟେ ଥିବା ୧୧୫ ପରିବାର, ୫୧ ଦୋକାନ ଓ ୨୪ଟି ଲଜ୍କୁ ଉଚ୍ଛେଦ କରାଯାଇଥିଲା। ମୋଟ ୧୫.୬୫ ଏକର ଜମି ଅଧିଗୃହୀତ ହୋଇଥିଲା। ସେ ବାବଦରେ ୨୩୪.୧୮ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଜମି ଦର ଏକର ପିଛା ପ୍ରାୟ ୧୬ କୋଟି ଟଙ୍କାରେ କିଣା ଯାଇଥିଲା। ସେହିପରି ୨୫ଟି ମଠର ସଂପତ୍ତି ମଧ୍ୟ ଅଧିଗୃହୀତ ହୋଇଥିଲା ଓ ସେ ବାବଦରେ ୩୬.୨୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।
୫. ୨୦୨୧ ଫେବୃଆରୀ ୧୬ ତାରିଖରେ ଶ୍ରୀଜଗନ୍ନାଥ ଏତିହ୍ୟ କରିଡର ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖ ଘୋଷଣା କରାଗଲା।
ଏହି ଘୋଷଣା ଅନୁସାରେ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ହେଉଛି ୩୨୦୦ କୋଟି ଟଙ୍କା। ଏହା ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ମୋଟ ୨୨ଟି ପ୍ରକଳ୍ପ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅବଢ଼ା ସ୍କିମରେ ଖର୍ଚ୍ଚ ହେବ ୮୦୦ କୋଟି ଟଙ୍କା। ପରେ ଏଥିରେ ଆଉ ୨୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଅବଢ଼ା ହେଉଛି ମୌଳିକ ସୁବିଧା ସୃଷ୍ଟି। ଏହା ମଧ୍ୟରେ ପାଇଖାନା, ବିଶ୍ରାମ ଗୃହ, ଜିନିଷପତ୍ର ରଖିବା ସ୍ଥାନ ଆଦି ଅନ୍ୟତମ। ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ମଧ୍ୟରେ ରହିଛି:
କ. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କୋଠା
ଖ. ଶ୍ରୀମନ୍ଦିର ଅଭ୍ୟର୍ଥନା ଗୃହ (୬ ହଜାର ଲୋକଙ୍କ ପାଇଁ)
ଗ. ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର
ଘ. ରଘୁନନ୍ଦନ ପାଠାଗାର
ଙ. ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର
ଚ. ବଡ଼ଦାଣ୍ଡ ଐତିହ୍ୟ ସଡ଼କ
ଛ. ଶ୍ରୀମନ୍ଦିର ସୁବିଧା ଉନ୍ନୟନ
ଜ. ଶ୍ରୀ ସେତୁ
ଝ. ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର
ଞ. ବହୁତଳ ବିଶିଷ୍ଟ କାର୍ ପାର୍କିଂ
ଟ. ପୌର ବଜାର ଉନ୍ନୟନ
ଠ. ସ୍ୱର୍ଗଦ୍ୱାର ଉନ୍ନୟନ
ଡ. ପ୍ରମୋଦ ଉଦ୍ୟାନ
ଢ. ଗୁରୁକୁଳ
ଣ. ମହୋଦଧି ବଜାର
ତ. ବେଳାଭୂମି ଉନ୍ନୟନ
ଥ. ପୁରୀ ହ୍ରଦ ନିର୍ମାଣ
ଦ. ମୂଷା ନଦୀ ପୁନରୁଦ୍ଧାର
ଧ. ଅଠରନଳା ଉନ୍ନୟନ
ନ. ସେବାୟତମାନଙ୍କ ପାଇଁ ଗୃହ ନିର୍ମାଣ
ଏହି ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରି ପଟେ ୫୫ ମିଟର ଭିତରେ ମଧ୍ୟ ୯ଟି ଜୋନ୍ରେ ବିଭକ୍ତ ବିଭିନ୍ନ ନିର୍ମାଣର ପରିକଳ୍ପନା କରାଯାଇଛି। ସେହି ଅନୁସାରେ ଏବେ କାମ ଚାଲିଛି। ସେଗୁଡ଼ିକ ହେଲା :
କ. ୭ ମିଟର ମଧ୍ୟରେ ସବୁଜ ଅଞ୍ଚଳ (ଏବେ ସେଠି କୁଣ୍ଡରେ ଗଛ ଅଛି।)
ଖ. ପରର୍ତ୍ତୀ ୧୦ ମିଟର ମଧ୍ୟରେ ଅନ୍ତର ପରିକ୍ରମା (ଠାକୁରଙ୍କ ବେଢ଼ା ପରିକ୍ରମା, ଏ ପରମ୍ପରା ଅଛି କି ନାହିଁ ସେବାୟତ ଜାଣନ୍ତି।)
ଗ. ପରବର୍ତ୍ତୀ ୮ ମିଟର ମଧ୍ୟରେ ଭକ୍ତଙ୍କ ପାଇଁ ବେଢ଼ା ପ୍ରଦକ୍ଷିଣ
ଘ. ପରବର୍ତ୍ତୀ ୧୦ ମିଟର ମଧ୍ୟରେ ସର୍ବସାଧାରଣ ସୁବିଧା
ଙ. ପରବର୍ତ୍ତୀ ୫ ମିଟର ସର୍ଭିସ ଗଳି ବା ପରିକ୍ରମା ପ୍ରକଳ୍ପର ମରାମତି ସୁବିଧା ଅଞ୍ଚଳ
ଚ. ପରେ ୪.୫ ମିଟର ଭିତରେ ଉତ୍ସର୍ଗୀକୃତ ଯାନବାହନ ମାର୍ଗ
ଛ. ଆଉ ୭.୫ ମିଟର ମଧ୍ୟରେ ମିଶ୍ରିତ ଟ୍ରାଫିକ ଅର୍ଥାତ ବିଭିନ୍ନ ପ୍ରକାର ଯାନବାହାନ ଚଳାଚଳ ଅଞ୍ଚଳ
ଜ. ଶେଷ ୭ ମିଟର ଛାୟାଚ୍ଛନ୍ନ ପାଦଚଲା ପଥ
ଏବେ କିଛି ପ୍ରଶ୍ନ:
୧) ଆତଙ୍କବାଦୀ ବିପଦ ଦର୍ଶାଇ ୭୫ ମିଟର ଖାଲି କରିବା ପରେ ୫୫ ମିଟର ମଧ୍ୟରେ ନିର୍ମାଣ କି ପ୍ରକାର ଛଳନା?
୨) ଭକ୍ତଙ୍କ ବ୍ୟବହାରରେ ଲାଗୁଥିବା ମଠ, ଧର୍ମଶାଳା ଓ ଲଜ୍ ଇତ୍ୟାଦି ଭାଙ୍ଗି ପ୍ରାୟ ସେହି ସମାନ ସ୍ଥାନରେ ମେଘନାଦ ପାଚେରୀରୁ ଟେକାଫିଙ୍ଗା ଦୂରତା ଭିତରେ ପ୍ରାୟ ୧୦ ହଜାର ଲୋକଙ୍କ ବିଶ୍ରାମ, ପ୍ରକୃତିତ୍ୟାଗ ଆଦି କାର୍ଯ୍ୟ ପାଇଁ ସୁବିଧା ଘର ନିର୍ମାଣ କ’ଣ ପାଇଁ? ଭାଙ୍ଗିବାରେ ଟଙ୍କା ଖର୍ଚ୍ଚ, ଗଢ଼ିବାରେ ଟଙ୍କା ଖର୍ଚ୍ଚ, ଉଭୟ କାମରୁ କମିଶନି?
୩) ବେଢ଼ା ଚାରିପଟେ ଉଚ୍ଛେଦ ପୂର୍ବରୁ ଯେଉଁ ସ୍ଥାନରେ ସ୍ଥାନୀୟ ଲୋକମାନଙ୍କର ଦୁଇ ଚକିଆ ଆଦି ଚାଲୁଥିଲା ପରିକ୍ରମା ପ୍ରକଳ୍ପ ପରେ ମଧ୍ୟ ସେଇଆ ହେବ। ଆତଙ୍କବାଦୀ ବିପଦ ଲୋପ ପାଇଲା?
୪) ଏଯାଏଁ ଲୋକେ ନିଜ ଖର୍ଚ୍ଚରେ ମଠ, ମନ୍ଦିର, ଲଜ୍ ଓ ଧର୍ମଶାଳା ଆଦିରେ ନିଜ ଖର୍ଚ୍ଚରେ ରହି ଦିଅଁ ଦର୍ଶନ କରୁଥିଲେ। ଏଣିକି ବିନା ଖର୍ଚ୍ଚରେ ସରକାରଙ୍କ ଦ୍ୱାରା ନିର୍ମିତ ସୁବିଧା କେନ୍ଦ୍ର ଉପଲବ୍ଧ ହେବ ନା ସେଥିପାଇଁ ବି ୟୁଜର୍ସ ଫି ପରି ଟଙ୍କା ଆଦାୟ ହେବ?
୫) ଗରୀବ ସେବାୟତଙ୍କ ପାଇଁ ଗୃହ ନିର୍ମାଣ ଭଲ କଥା। କିନ୍ତୁ ଶ୍ରୀମନ୍ଦିରର ନିର୍ଦ୍ଦିଷ୍ଟ କେଇ ବର୍ଗର ସେବାୟତଙ୍କୁ ଛାଡ଼ିଦେଲେ ବହୁ ସେବାୟତ କୋଟିପତି। ଏହା ସେମାନଙ୍କର ସୁନାବେଶରୁ ଜଣାପଡ଼େ। ଅନେକ ସେବାୟତଙ୍କର ହୋଟେଲ ଓ ଲଜ୍ ବ୍ୟବସାୟ ଅଛି। ସେମାନଙ୍କୁ ନୂତନ ଗୃହ ଯୋଗାଇ ଦିଆଯିବ ନା ନାହିଁ?
୬) ଶ୍ରୀଜଗନ୍ନାଥ ଐତିହ୍ୟ ପରିକ୍ରମା ବା ବେହରଣ ପ୍ରକଳ୍ପ ମଧ୍ୟରେ ପ୍ରମୋଦ ଉଦ୍ୟାନ, ବେଳାଭୂମି ଉନ୍ନୟନ, ମ୍ୟୁନିସିପାଲ୍ ମାର୍କେଟ, ମହୋଦଧୀ ମାର୍କେଟ, ପୁରୀ ହ୍ରଦ ଆଦି ପ୍ରକଳ୍ପ କାହା ପାଇଁ? ତୀର୍ଥଯାତ୍ରୀଙ୍କ ପାଇଁ ପର୍ଯ୍ୟଟକଙ୍କ ପାଇଁ? ମହାପ୍ରଭୁ ଜଗନ୍ନାଥ ଆଧ୍ୟାତ୍ମ ଚେତନାର ଠାକୁର ନା ପ୍ରମୋଦ ପର୍ଯ୍ୟଟନର ବିଷୟବସ୍ତୁ?
୭) ହଜାରେ ବର୍ଷ ହେଲା ଦରକାର ପଡ଼ୁ ନଥିଲା, ଆଜି ମେଘନାଦ ପାଚେରୀ କଡ଼େ ପାଇଖାନା ଓ ବିଶ୍ରାମ ଘର ଦରକାର ପଡ଼ିଲା। କାଲି ମନ୍ଦିର କଡ଼ରେ ବା ଭିତରେ ଶୋଇବା ଘର ଦରକାର ବୋଲି କୌଣସି ପରମ ଭକ୍ତଙ୍କ ମୁଣ୍ଡକୁ ଢୁକିବା ଅସମ୍ଭବ କି?
ଉପସଂହାର: ପୁରୀକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ତାହାର ଅର୍ଥ ଏହାକୁ ଥାଇଲାଣ୍ଡ ବା ଗୋଆ ପରି ବିକଶିତ କରାଯିବା ନୁହେଁ। ପୁରୀକୁ ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରାଣକେନ୍ଦ୍ର ଭାବେ ବିକଶିତ କରିବାର ଆବଶ୍ୟକତା ରହିଛି। ଜଗନ୍ନାଥ ହେଉଛନ୍ତି ଦାରୁ ଦେବତା। ତାଙ୍କରି ତତ୍ତ୍ୱ ଅନୁସାରେ ପୁରୀକୁ ଏକ ସବୁଜ ସହର ଭାବେ ବିକଶିତ କରାଯିବା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାକୁ କଂକ୍ରିଟ-ସହର ଭାବେ ବିକଶିତ କରିବା ଜଗନ୍ନାଥ ଚେତନାର ପରିପନ୍ଥୀ। ଏ ଦିଗରେ କିନ୍ତୁ ବହୁ ବାଟ ଚାଲି ଆସିଲାଣି ଓଡ଼ିଶା। ମନ୍ଦିର ନିର୍ମାଣଠାରୁ ସହର ବିକାଶ ଯାଏଁ ଚେତନାର ଗତି ଓ ଅଧୋଗତି ଘଟି ଚାଲିଛି। ଏଣିକି ଜଗନ୍ନାଥ ଭରସା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।