ଟିଟିଲାଗଡ଼: ରକ୍ଷଣାବେକ୍ଷଣ ନାହିଁ, ଅକାମୀ ହୋଇପଡ଼ିଛି ମାଥନପଲା ଜଳସେଚନ ପ୍ରକଳ୍ପ

balangir5

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ଭାବେ ପରିଚିତ। ସରକାରୀ ହିସାବ ଅନୁଯାୟୀ ଜିଲ୍ଲାର ମାତ୍ର ୩ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଜିଲ୍ଲାର ଟିଟିଲାଗଡ଼ ସବଡିଭିଜନରେ ରହିଛି ହାତଗଣତି କେତୋଟି ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ମଧ୍ୟ ଅକାମୀ ହୋଇଗଲାଣି। ସେଥିରୁ ଗୋଟିଏ ହେଉଛି “ମାଥନପଲା” ମଧ୍ୟମ ଜଳସେଚନ ପ୍ରକଳ୍ପ। ଟିଟିଲାଗଡ଼ ଉପଖଣ୍ଡରେ ଥିବା ଏହି ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୯୭୨ ମସିହାରେ ଆରମ୍ଭ ହୋଇଥିଲା। ୧୯୮୦ରେ ଶେଷ ହୋଇଥିଲା ନିର୍ମାଣ କାର୍ଯ୍ୟ। ଖରିଫ ଋତୁରେ ୩୦୦୦ ଏକର ଓ ରବି ଋତୁରେ ୧୦୦୦ ଏକର ଚାଷ ଜମିକୁ ଏଥିରୁ ଜଳସେଚନ ହେଉଥିଲା। ଟିଟିଲାଗଡ଼ ବ୍ଲକର ୨ଟି ପଞ୍ଚାୟତ ବିଜେପୁର ଓ ବାଞ୍ଜିପଦରର ୧୪ଟି ଗାଁର ଚାଷୀମାନେ ଏଥିରୁ ଉପକୃତ ହେଉଥିଲେ। ସେମାନେ ବର୍ଷରେ ଦୁଇ ଥର ଚାଷ କରୁଥିଲେ। କିନ୍ତୁ ଏବେ ଆଉ ସେହି ଦିନ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପଟି ଅକାମୀ ହୋଇପଡ଼ିଛି। ପ୍ରକଳ୍ପଟି ପୋତି ହେବା ସହିତ ଏହାର ଜଳଧାରଣ କ୍ଷମତା ବି ହ୍ରାସ ପାଇଛି। ପ୍ରକଳ୍ପରେ ପୂର୍ବରୁ ୬୦-୭୦ ଫୁଟ୍ ପାଣି ରହୁଥିବା ବେଳେ ଏବେ ୨୦ ଫୁଟ ପାଣି ବି ରହୁନି। କେନାଲଗୁଡ଼ିକ ବି ପୋତି ହୋଇଗଲାଣି।  ପ୍ରକଳ୍ପଟିରୁ ଆଉ ପାଣି ମାଡ଼ି ପାରୁ ନ ଥିବା ଯୋଗୁଁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।balangir7

ଚାଷୀ ରମେଶ ଶବର କହିଛନ୍ତି, ପୂର୍ବରୁ ପ୍ରକଳ୍ପଟି ଚାଷୀଙ୍କର ବହୁ ଉପକାର କରୁଥିଲା। ଏବେ ଏହା ପୋତି ହୋଇଗଲାଣି। କେହି ଦେଖାରେଖା କରୁ ନାହାନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏହାର ମରାମତି କରିବାକୁ ତଥା ପୋତି ହୋଇଥିବା ମାଟି ଖୋଳିବାକୁ ପ୍ରଶାସନ ଗୁରୁତ୍ୱ ଦେଉ ନାହିଁ। ଅଭିଯୋଗ କଲେ କେତେବେଳେ କେମିତି କୌଣସି ସରକାରୀ ବାବୁ ଆସି ବୁଲି ଯାଉଛନ୍ତି ଓ ଖୁବଶୀଘ୍ର କାମ କରି ଦେବା ବୋଲି କହୁଛନ୍ତି, କିନ୍ତୁ କିଛି କରୁ ନାହାନ୍ତି।   balangir6

ସେହିପରି ମାଥନପଲା ଗାଁର ଚାଷୀ ବ୍ରହ୍ମା ଗଡ଼ତିୟା କହିଛନ୍ତି ଯେ ୧୪ ଖଣ୍ଡ ଗାଁ ଲୋକେ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିଲେ। ହେଲେ ଏବେ ଜମିକୁ ପାଣି ମାଡ଼ୁ ନ ଥିବାରୁ ଚାଷ ହେଉ ନାହିଁ। ଆଗରୁ ଏହି ଜଳ ସେଚନ ପ୍ରକଳ୍ପରେ ୬୦ରୁ ୭୦ ଫୁଟ୍ ପାଣି ରହୁଥିଲା।  ଥିବା ବେଳେ ଏବେ ଏହା ୨୦ ଫୁଟ୍ ହୋଇଗଲାଣି। ମାଟି ପୋତି ହୋଇଗଲାଣି। ସରକାର ଯଦି ଏଥିପ୍ରତି ଧ୍ୟାନ ନ ଦେବେ ତା’ହେଲେ ଆଉ ଚାଷ ହୋଇପାରିବ ନାହିଁ। ବାଧ୍ୟ ହୋଇ ଆମେ ଦାଦନ ଖଟିବାକୁ ଯିବୁ। ଆମ ଛୁଆପିଲା ବି ପାଠ ପଢ଼ି ପାରିବେ ନାହିଁ। ଜବକାର୍ଡ ଥିଲେ ମଧ୍ୟ କାମ ମିଳେନାହିଁ। କାମ ମିଳିଲେ ବି ମାସେ ଅବା ଦୁଇ ମାସ ପରେ ପଇସା ମିଳୁଛି। ତେଣୁ ଚଳିବା କଷ୍ଟ ହେଉଛି।

ସେ ଆହୁରି ମଧ୍ୟ କହିଛନ୍ତି, କେନାଲଗୁଡ଼ିକ ବି ପୋତି ହୋଇଗଲାଣି। କେନାଲଗୁଡ଼ିକର ମରାମତି କାମ ମଝିରେ ମଝିରେ ଠିକାଦାରମାନେ କରନ୍ତି। କିନ୍ତୁ ନିମ୍ନମାନର କାମ ଯୋଗୁଁ ସେଥିରେ ମାଟି ଧସି ଯାଉଛି।

ମାଥନପଲା ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୩୦ରୁ ଅଧିକ ବର୍ଷ ବିତି ଯାଇଛି। ଠିକ୍ ଭାବରେ ରକ୍ଷଣାବେକ୍ଷଣ ହୋଇ ନ ଥିବା ଯୋଗୁଁ ଏହା କ୍ରମଶଃ ପୋତି ହୋଇଯାଇଛି। ଉଭୟ ବନ୍ଧ ଓ କେନାଲର ପୁନରୁଦ୍ଧାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ଥାନୀୟ ପ୍ରଶାସନ। ଏହି ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ କହିଛନ୍ତି, ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ପ୍ରକଳ୍ପରେ ପାଣି କମ୍ ରହିଛି। କେନାଲର ଉନ୍ନତି ପାଇଁ ୬ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଛି। ଡ୍ୟାମର ଉନ୍ନତୀକରଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବର୍ଷକ ମଧ୍ୟରେ ଏ ସବୁ କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।