ତେଜରାଜଙ୍କ ହାତର କମାଲ, ମାଆ ବିନା ଫୁଟୁଛି ଚିଆଁ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ଅଭାବ ଦେଖାଇଲା ବଞ୍ଚିବାର ରାସ୍ତା। ପାଠ ପଢ଼ାକୁ ଅଧାରେ ଛାଡ଼ି କିଛି କରିବା ଲକ୍ଷ୍ୟରେ ବାହାରି ଥିଲେ ତେଜରାଜ ସାହୁ। ଆଜି ସେଥିରେ ସଫଳ ହୋଇଛନ୍ତି। ଆଉ ତାଆରି କରିଛନ୍ତି କୁକୁଡ଼ା ଚିଆଁ ଫୁଟା ମେସିନ୍‌। ନାଁ ହେଉଛି ‘ଇନ୍‌କ୍ୟୁଭେଟର’। ୟୁଟ୍ୟୁବ୍‌ରୁ ଦେଖି ସେଥିରେ କିଛି ଯନ୍ତ୍ରାଂଶକୁ ଖଞ୍ଜି ତିଆରି କରିଛନ୍ତି ଏହି ମେସିନ୍‌। ଏଥିପାଇଁ ୨୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ତେଜରାଜ ସାହୁ ନିଜେ ସ୍ୱାବଲମ୍ୱୀ ହେବା ସହିତ କୁକୁଡ଼ା ଚାଷୀଙ୍କ ପାଇଁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି।

ଟିଟିଲାଗଡ଼ ଲୁଥୁରବନ୍ଧ ଗାଁର ତେଜରାଜ ସାହୁ। ଗତବର୍ଷ ଟିଟିଲାଗଡ଼ ଡିଏଭି କଲେଜରୁ ଯୁକ୍ତ ଦୁଇ ପାସ୍‌ କରିଥିଲେ। ମାତ୍ର ଆର୍ଥିକ ଅଭାବରୁ ଅଧିକ ପାଠ ପଢ଼ି ପାରିଲେନାହିଁ। ହେଲେ ଭାଙ୍ଗି ପଡ଼ିନଥିଲେ। ଏପରିକି ଅଭାବ ଅନଟନ ଆଗରେ ଆତ୍ମ ସପର୍ମ କରିନଥିଲେ। ଜୀଇଁବା ପାଇଁ କରିଥିଲେ ସଂଘର୍ଷ। ୟୁଟ୍ୟୁବ୍‌ର ସାହାରା ନେଇ ତିଆରି କଲେଆ ‘ଇନ୍‌କ୍ୟୁଭେଟର’। ସେଥିରେ କୁକୁଡ଼ା ଅଣ୍ଡାକୁ ରଖି ଚିଆଁ ଫୁଟାଉଛନ୍ତି। ଏବେ ସେହି ମେସିନ୍‌କୁ ବିକି ନିଜେ ସ୍ୱାବଲମ୍ୱୀ ହେବା ସହିତ କୁକୁଡା ଚାଷୀଙ୍କ ମୁହଁରେ ଫୁଟାଇଛନ୍ତି ହସ।

Titilagarhତେଜରାଜ ସାହୁଙ୍କ କହିବା ଅନୁସାରେ ତାଙ୍କ ଘରେ ଗୋଟିଏ କାଟୁଳି(ମାଇ କୁକୁଡ଼ା) ଥିଲା। ୧୫ରୁ ଅଧିକ ଅଣ୍ଡା ଦେବା ପରେ କାଟୁଳି ମରିଗଲା। କାଟୁଳିର ମୃତ୍ୟୁ ପରେ ଅଣ୍ଡାରୁ ଚିଆଁ କେମିତି ବାହାରିବ? ସେହି ଚିନ୍ତାରେ ପଡ଼ିଗଲେ ତେଜରାଜ ସାହୁ। ସେଥିପାଇଁ ସେ ୟୁଟ୍ୟୁବ୍‌ର ସାହାଯ୍ୟ ନେଲେ। ସେ ପ୍ରଥମେ ଅନ୍‌ଲାଇନ୍‌ରେ ଏକ ଏଲେକ୍ଟ୍ରୋନିକ୍‌ କିଟ୍‌ ମଗାଇଥିଲେ। ଏହି କିଟ୍‌କୁ ମାଛ ଆସୁଥିବା ଥର୍ମୋକୁଲ୍‌ ବକ୍ସରେ ଫିଟିଙ୍ଗ କଲେ। ସେଥିରେ ୧୦୦ ୱାଟର ୨ ଟି ବଲ୍‌ବ ଓ ଥର୍ମୋ ଷ୍ଟାର୍ଟ ଲଗାଇଲେ। ପରେ ୧୫ଟି ଅଣ୍ଡାକୁ ପରୀକ୍ଷାମୂଳକ ଭାବେ ସେଥିରେ ରଖିଥିଲେ। ୨୦ରୁ ୨୫ ଦିନ ରହିବା ପରେ ପ୍ରଥମେ ଗୋଟିଏ ଚିଆଁ ଅଣ୍ଡାରୁ ବାହାରିଥିଲା। ପରେ ଆଉ ୭ଟି ଛୁଆ ଅଣ୍ଡାରୁ ବାହାରିଥିଲା। ଏହା ପରେ ତେଜରାଜଙ୍କ ଖୁସିର ଠିକଣା ରହିଲା ନାହିଁ।

ତେଜରାଜଙ୍କ ଏଭଳି ଆବିଷ୍କାରରେ ସେହି ଅଞ୍ଚଳର କୁକୁଡା ଚାଷୀ ବେଶ୍‌ ଖୁସ୍‌। ତାଙ୍କଠାରୁ ସେହି ମେସିନ୍‌ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ୩ ମାସରେ ସେ ୫ଟି ହାତ ତିଆରି ଇନକ୍ୟୁଭେଟର ବିକ୍ରି କରି ସାରିଲେଣି। ଏହି ମେସିନ୍‌କୁ ତିଆରି ପାଇଁ ୨୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ବିକ୍ରି କରୁଛନ୍ତି ତେଜରାଜ। କେବଳ କୁକୁଡା ଅଣ୍ଡା ନୁହେଁ, ସେ ଗୁଣ୍ଡରୀ ଅଣ୍ଡା ପାଇଁ ମଧ୍ୟ ସ୍ୱତନ୍ତ୍ର ଇନକ୍ୟୁଭେଟର ବନାଇଛନ୍ତି। ବର୍ତ୍ତମାନ ସ୍ଥାନୀୟ କୁକୁଡା ବ୍ରୀଡ ସହିତ ବନରାଜ, କଡକନାଥ, ପଲଶା କୁକୁଡା ଅଣ୍ଡା ଆଣି କିଭଳି କୁକୁଡା ଚାଷ କରିବେ ତାହାକୁ ନେଇକ ଚିନ୍ତା କରୁଥିବା ଲୋକେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।