ଦିନେ ରକ୍ତର ହୋଲି ଖେଳୁଥିଲେ, ଆଜି ପାଇଲେ ପିଏଚ୍‌ଡି ଉପାଧୀ

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ଦିନେ ଥିଲେ କୁଖ୍ୟାତ ନକ୍ସଲ। ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲେ। ଆଉ ଶିକାର କରୁଥିଲେ। ଜଙ୍ଗଲରେ ଶିକାର କରୁକରୁ ଏହି ନକ୍ସଲ ନେତ୍ରୀ ଜଣକ ପାଲଟି ଯାଇଛନ୍ତି ଟପ୍‌ ରାଜନେତା। ରାଜନୀତିର ଛକି ଶୂନ ଜାଣିନଥିବା ନକ୍ସଲ ନେତ୍ରୀ ଆଜି ବଡ଼ ବଡ଼ ଧୂରନ୍ଧରଙ୍କୁ ହରାଇ ପଞ୍ଚିଛନ୍ତି ତେଲେଙ୍ଗାନା ବିଧାନସଭାରେ। ସେ କେବଳ ବିଧାନସଭାରେ ପହଞ୍ଚି ନାହାନ୍ତି, ଏବେ ହାତେଇଇଛନ୍ତି ଡକ୍ଟରେଟ୍‌ ଉପାଧୀ। ସେ ହେଉଛନ୍ତି ଦାନସାରି ଅନୁସ୍ୱୟା ଓରଫ ସିଥାକ୍କା।

ଦାନସାରି ଅନୁସ୍ୱୟାଙ୍କ ଜନ୍ମ ୧୯୭୧ ମସିହା ଜୁଲାଇ ୯ ତାରିଖରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଲୁଗୁ ଗାଁରେ। ବାପା, ଭାଇ ଓ ଭଉଣୀ ନକ୍ସଲ ନୀତି ଆଦର୍ଶନରେ ଅନୁପ୍ରାଣିତ ହୋଇଥିଲେ ଜନଶକ୍ତି ନକ୍ସଲ ସଙ୍ଗଠନରେ ଯୋଗଦେଇଥିଲେ। ତେଣୁ ସେ ୧୪ ବର୍ଷ ବୟସରେ ନକ୍ସଲରେ ସାମିଲ ହୋଇଥିଲେ। ବିଭିନ୍ନ କାର୍ଯ୍ୟ କଳାପରେ ସାମିଲ ହୋଇଥିଲେ। ଆଉ ସେହି ଲାଲ୍‌ଗଡ଼ରେ ନିଜ ଜୀବନ ସାଥୀଙ୍କୁ ପାଇଥିଲେ। ବାଲ୍ୟ ବିବାହ କରିଥିଲେ। ଆଉ ଦାନସାରୀ ଅନୁସ୍ୱୟାରୁ ବନି ଯାଇଥିଲେ ସିଥାକ୍କା। ଦୀର୍ଘ ୧୦ ବର୍ଷ ଧରି ସେ ନକ୍ସଲ ସଙ୍ଗଠନ ପାଇଁ କାମ କରିଥିଲେ। ସେଥିପାଇଁ ୩ ଥର ପୁଲିସ୍‌ ହାତରେ ଧରାପଡ଼ି ଜେଲ୍‌ ମଧ୍ୟ ଯାଇଥିଲେ। ଜାଲ୍‌ ଯିବା ସମୟରେ ପାଠ ପଢ଼ିବା ପାଇଁ ମନ ବଳାଇଥିଲେ ଦାନସାରୀ ଅନୁସ୍ୱୟା। ଡିଷ୍ଟାନ୍ସରେ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ୍‌ କରିଥିଲେ।

୧୯୯୭ ମସିହା ଦାନସାରୀ ଅନୁସ୍ୱୟା ନକ୍ସଲ ସଙ୍ଗଠନ ଛାଡ଼ିଥିଲେ। ସେହିବର୍ଷ ସେ ଓକିଲାତି ପାସ୍‌ କରିଥିଲେ। ତା’ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଯାଇ ଥିଲେ। କିନ୍ତୁ ପାଠ ପଢ଼ାଠାରୁ ଦୂରେଇ ଯାଇନଥିଲେ। ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରିଥିଲେ।

ପାଠ ପଢ଼ୁଥିବା ବେଳେ ୨୦୦୯ ମସିହାରେ ଦାନସାରୀ ଅନୁସ୍ୱୟା ତେଲଗୁ ଦେଶମ୍‌ ପାର୍ଟି(ଟିଡିପି)ରେ ଯୋଗଦେଲେ। ଆଉ ମୁଳୁକୁ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ହାରିଯାଇଥିଲେ। ୨୦୧୪ ମସିହାରେ ଟିଡିପିରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱୀତା କରି ଜିତି ଯାଇଥିଲେ। ସେତେବେଳେ କଂଗ୍ରେସର ରାଜୁତି ଚାଲୁଥିବା ଦାନସାରୀ ଅନୁସ୍ୱୟା ଟିଡିପିରୁ ବିଜୟୀ ହୋଇଥିଲେ।

୨୦୧୭ ମସିହାରେ ଦାନସାରୀ ଅନୁସ୍ୱୟା କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୮ ମସିହାରେ ସେ ପୁଣି ଥରେ ମୁଳୁକୁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦୀତା କରି ଜିତି ଯାଇଥିଲେ। ଆଜି ପର୍ଯ୍ୟନ୍ତ ବିଧାୟକ ଭାବେ ଅଛନ୍ତି। ରାଜନୀତି କରିବା ସହିତ ସେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ପାଠ ପଢୁଥିଲେ। ୱାରଙ୍ଗାଲ ଓ କାମାମ ଜିଲ୍ଲାରେ ବସବାସ କରୁଥିବା ଗୁଥିକୋୟା ଜନଜାତି ଲୋକଙ୍କ ଜୀବନ ଶୈଳୀ ଉପରେ ରିସର୍ଚ୍ଚ କରୁଥିଲେ।

ଦାନସାରୀ ଅନୁସ୍ୱୟା ତାଙ୍କ ସନ୍ଦର୍ଭ ବିଶ୍ୱବିଦ୍ୟାଳୟରେ ଦାଖଲ କରିଛନ୍ତି। ରାଜନୀତି ବିଜ୍ଞାନରେ ତାଙ୍କର ସମ୍ପୂର୍ଣ୍ଣ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ତାଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିଛନ୍ତି। ଏହି ଅବସରରେ ଦାନସାରୀ ଅନୁସ୍ୱୟା କହିଛନ୍ତି,  ଯେତେବେଳେ ଜଣେ ନକ୍ସଲ ନେତ୍ରୀ ଥିଲେ, ସେତେବେଳେ ଓକିଲ ହେବା କଥା ଭାବିନଥିଲେ। ଯେତେବେଳେ ଜଣେ ଓକିଲ ଥିଲି, ସେତେବେଳେ ଜଣେ ବିଧାୟକ ହେବା କଥା ଭାବିନଥିଲି। ଯେତେବେଳେ ଜଣେ ବିଧାୟକ ଥିଲି, ସେତେବେଳେ ପିଏଚ୍‌ଡି ପାଇବାକୁ ଆଶା କରିନଥିଲି ବୋଲି କହିଥିଲେ।

ସେ ଆହୁରି କହିଛନ୍ତି, ଆଜିଠାରୁ ସିଥାକ୍କା ବଦଳରେ ଡକ୍ଟର ସିଥାକ୍କା ବୋଲି ଲେଖାଯିବ ଓ ଡକାଯିବ। ସେଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛନ୍ତି। ପିଲା ବେଳୁ ଆରମ୍ଭ କରି ନକ୍ସଲରେ ସାମିଲ ହେବା ଓ ବିଧାୟିକା ହୋଇ ତେଲୁଗୁ ରାଜ୍ୟର ଆଦିବାସୀଙ୍କ କଲ୍ୟାଣ ପାଇଁ ଉଦ୍ୟମ କରୁଛି।

ଓସମାନିଆ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ତଥା ବର୍ତ୍ତମାନ ମଣିପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତିରୁପତି ରାଓଙ୍କ ନିର୍ଦ୍ଦେଶରେ ସିଥାକ୍କା ପିଏଚଡି ସମାପ୍ତ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।