ସେକ୍ସ ସ୍କାଣ୍ଡାଲରେ ବିବାଦୀୟ ୩ ମନ୍ତ୍ରୀ, ନବୀନ ବେଫିକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ତଥା ସରକାରର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଦୁର୍ନୀତି ଓ ବିବାଦର ଗନ୍ଧ ବାରି ମନ୍ତ୍ରୀମାନଙ୍କୁ ବିଦା କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମ୍ପୂର୍ଣ୍ଣ ବେଫିକର। ବିଜେଡି ନେତାମାନଙ୍କର ଚରିତ୍ର ଓ ଆଚରଣ ଯୋଗୁ ଦଳ ସହ ଜଡ଼ିତ ଲକ୍ଷ ଲକ୍ଷ ସମର୍ଥକ ଓ ରାଜ୍ୟବାସୀ ନିନ୍ଦିତ ହେଉଥିଲେ ମଧ୍ୟ ସେମାନଙ୍କ ବିରୋଧରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ସାହାସ ଜୁଟାଇ ପାରୁନାହାନ୍ତି । ଓଲଟା ଏହି ମନ୍ତ୍ରୀମାନଙ୍କ ବିରୋଧରେ ରହିଥିବା ମାମଲାକୁ କିଭଳି ରଫାଦଫା କରାଯାଇ ପାରିବ ସେ ଦିଗରେ ପ୍ରଶାସନ ତତ୍ପରତା ଦେଖାଉଥିବା ଜଣାପଡ଼ିଛି । ମାତ୍ର ୫ ମାସ ତଳେ ଗଢ଼ିଥିବା ନୂଆ କ୍ୟାବିନେଟ୍ (ପ୍ରଥମ ଅଦଳବଦଳ)ର ୩ଜଣ ମନ୍ତ୍ରୀ ଏବେ ସେକ୍ସ ସ୍କାଣ୍ଡାଲ ମାମଲାରେ ବିବାଦୀୟ ହୋଇପଡ଼ିଥିବା ବେଳେ ବିଜେଡିର ଜଣେ ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଅଧିକାଂଶ ରାତି ସେକ୍କ ସାଣ୍ଡାଲର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କ ଫାର୍ମହାଉସରେ ବିତୁଥିଲା ବୋଲି ଚର୍ଚ୍ଚା ହେଉଛି ।

ଅର୍ଚ୍ଚନା ନାଗଙ୍କ ଏକ ଭିଡିଓ ଟେପ୍ ଲିକ୍ ହେବାପରେ ନବୀନଙ୍କ ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବିରୋଧରେ କଂଗ୍ରେସ ଖୋଲାଖୋଲି ଅଙ୍ଗୁଳି ନିର୍ଦ୍ଦେଶ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଦାହ କରାଯାଇ ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସାନବାବୁ କହିଲେ ପ୍ରତାପ ଦେବଙ୍କୁ ହିଁ ବୁଝାଏ । ଆଉ ଭିଡିଓ ଟେପରେ ଯେଉଁ ୧୦୦ ପିଲରର ଘର କଥା କୁହାଯାଉଛି ତାହା ପ୍ରତାପ ଦେବଙ୍କର । ସେ ଆଳିରେ ସେପରି ଘର ତିଆରି କରୁଛନ୍ତି ଓ ତାଙ୍କର ଆର୍କିଟେକଚର ଦିଲ୍ଲୀରୁ ଆସୁଛି । ତେଣୁ ସେକ୍ସ ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗର ଜାଲରେ ପ୍ରତାପ ଦେବ ପଡ଼ିଛନ୍ତି । ପାଣି ଚୋରି ପରେ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ହୋଇ ପ୍ରତାପ ଦେବ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାଭିମାନ କ୍ଷୂଣ୍ଣ କରିଛନ୍ତି । ତେଣୁ ନୀତି ଓ ନୈତିକତା ଦୃଷ୍ଟିରୁ ସେ ମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ୍ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ।

ସେହିପରି ବିଜେପି ବୁଦ୍ଧିଜୀବୀ ଫୋରମ୍ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଇସ୍ତଫା ଦାବି କରାଯାଇଛି । ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ, ମୃତ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁରେ ମନ୍ତ୍ରୀ ଶ୍ରୀ ଦାଶଙ୍କର ସିଧାସଳଖ ସମ୍ପୃକ୍ତି ରହିଛି । ମୃତ ଶ୍ରୀ ସାହୁର ୨ଟି ମୋବାଇଲ୍ ଫୋନକୁ ପୁଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ନେଇଥିଲା । ଫୋରେନ୍ସିକ୍ ଯାଂଚ ପାଇଁ ପଠାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଥିରେ କ’ଣ ତଥ୍ୟ ରହିଛି ତାକୁ ସାର୍ବଜନୀନ କରୁନି । ଯଦିଓ ଦୁଇଟି ମୋବାଇଲରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ନିଜେ ଧର୍ମେନ୍ଦ୍ର ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଆଜି ଏହି ମାମଲାରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁଙ୍କ ସମେତ ଅନ୍ୟ ୩ଜଣଙ୍କୁ ଭୁବନେଶ୍ୱର ଡିସିପି ଅଫିସରେ ଜେରା କରାଯାଇଛି । କିନ୍ତୁ ଶ୍ରୀ ସାହୁ ଆତ୍ମହତ୍ୟା ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଦାୟୀ କରିଥିଲେ ବି ଏପର୍ଯ୍ୟନ୍ତ ପୁଲିସ ତାଙ୍କୁ ଜେରା ତ ଦୂରର କଥା ପ୍ରାଥମିକ ଯାଂଚ ପାଇଁ ବି ଡାକିବାକୁ ସାହାସ କରିନି । ଚର୍ଚ୍ଚା ହେଉଛି, ଏକ ସେକ୍ସ ଭିଡିଓ ପାଇଁ ଧର୍ମେନ୍ଦ୍ରଙ୍କୁ ବ୍ଲାକମେଲ୍ କରାଯାଉଥିଲା ।

ସେହିପରି ସେକ୍ସ କୁଇନ୍ ଅର୍ଚ୍ଚନା ନାଗଙ୍କ ପତି ଜଗବନ୍ଧୁ ଚାନ୍ଦଙ୍କ ସହ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ିଛି । କେବଳ ଏହି ୩ ଜଣ ମନ୍ତ୍ରୀ ନୁହଁନ୍ତି, ଉପକୂଳ ଓଡ଼ିଶାର ଜଣେ ଯୁବ ବିଧାୟକ(ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି) ନିୟମିତ ଭାବେ ଅର୍ଚ୍ଚନାଙ୍କ ଫୁଲନଖରା ନିକଟରେ ଥିବା ଫାର୍ମହାଉସରେ ଅନେକ ସମୟ ବିତାଉଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ମନ୍ତ୍ରୀମାନଙ୍କ ସମ୍ପୃକ୍ତି ଏଭଳି ସେକ୍ସ ସ୍କାଣ୍ଡାଲରେ ରହିଥିଲେ ମଧ୍ୟ ସେମାନଙ୍କୁ ନୈତିକତା ଦୃଷ୍ଟିରୁ ପଦ ଛାଡ଼ିବା ନିମନ୍ତେ ବିଜେଡି ନେତୃତ୍ୱ ବାଧ୍ୟ ନକରିବା ଆଶ୍ଚର୍ଯ୍ୟର ବିଷୟ । ଅର୍ଚ୍ଚନା ନାଗ ମାମଲାରେ ମିଳିଥିବା ତଥ୍ୟପ୍ରମାଣରେ ଅନେକ ଚାଞ୍ଚଲ୍ୟକର ଭିଡିଓ,ଫଟୋ ଓ ଅଡିଓ ଥିଲେ ମଧ୍ୟ ଉପରୁ କ୍ଲିଅରାନ୍ସ ନଥିବାରୁ ପୁଲିସ ସେସବୁକୁ ଚାପି ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଅର୍ଚ୍ଚନା ନାଗ ସତ ପଦାକୁ ଆସିଲେ ଓଡ଼ିଶାରେ ସରକାର ଭାଙ୍ଗିଯିବ । ମମିତା ମେହେର ଭଳି ଅର୍ଚ୍ଚନା ନାଗ ମାମଲାରେ ସତ ଲୁଚାଇବାକୁ ସରକାର ପ୍ରୟାସ କରୁଛନ୍ତି । ଲାପଟପ୍ ଓ ମୋବାଇଲରେ ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି। ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟରେ ବିଜେଡି ନେତାମାନେ ଲିପ୍ତ ଅଛନ୍ତି । ଏହି ମାମଲାର ଏସଆଇଟି ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ତଦନ୍ତରେ ଘଂଟ ଘୋଡ଼ାଉଛନ୍ତି । ଚିଟଫଣ୍ଡ ଭଳି ଏଥିରେ ମଧ୍ୟ ଡାଟା ନଷ୍ଟ କରାଯାଇ କିଛି ଲୋକଙ୍କୁ ବଂଚାଇବାକୁ ଉଦ୍ୟମ ଚାଲିଛି । ବଡ଼ ସରକାରୀ ଅଫିସର, ରାଜନେତା , ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଅଛନ୍ତି । ତେଣୁ ସମ୍ପୃକ୍ତ ଥିବା ଚେହେରା ସବୁ ବାହାରକୁ ଆସିବା ଦରକାର ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଧ ଡଜନ ମନ୍ତ୍ରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେମାନଙ୍କୁ ୨୦୨୨ ଜୁନ୍ ମାସରେ ନବୀନ ନିଜ ମନ୍ତ୍ରିମଣ୍ଡଳରୁ ହଟାଇ ଦେଇଥିଲେ । ଆଉ ୫ମାସ ତଳେ ଯେଉଁ ନୂଆ ମନ୍ତ୍ରିମଣ୍ଡଳ କରିଥିଲେ ସେଥିରୁ ୩ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ବିଜେଡି ନେତୃତ୍ୱଙ୍କ ଅକଲଗୁଡୁମ୍ ହୋଇଯାଇଥିବା ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।