ମିଳିମିଶି ଗୃହକୁ ୬ଦିନ ଅଚଳ କଲେ, କାଲିଠୁ ହେବ ସ୍ୱାଭାବିକ

ବିଜେପି ସଦସ୍ୟମାନଙ୍କ ପଛରେ ବିଜେଡି ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇଥିଲେ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଓ ବିରୋଧୀ ଦଳଙ୍କ ଜିଦ୍ ଯୋଗୁ କ୍ରମାଗତ ୬ଦିନ ଧରି ବିଧାନସଭା ଅଚଳ ରହିବା ପରେ ଆସନ୍ତାକାଲିଠୁ ଗୃହ କାର୍ଯ୍ୟ ସ୍ୱାଭାବିକ ହେବାର ସମ୍ଭାବନା ରହିଛି। ଚାଷୀଙ୍କ ଧାନକିଣା ଦାବିରେ ବିରୋଧୀ ଦଳ ଓ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଶାସକ ଦଳ ଅଡ଼ି ବସିଥିବା ଯୋଗୁ ଗୃହରେ ଗତ ୬ଦିନ ହେଲା କୌଣସି କାର୍ଯ୍ୟ ହୋଇପାରିନଥିଲା। ତେବେ ଆଜି ଦିନତମାମ ହାଇଭୋଲଟେଜ୍ ଓ ସୁଚିନ୍ତିତ ଡ୍ରାମା ପରେ ଏହି ଅଚଳାବସ୍ଥା ଦୂର ହୋଇଛି। ସର୍ବଦଳୀୟ ବୈଠକରେ ଆସନ୍ତାକାଲିଠୁ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ନିମନ୍ତେ ସହମତି ହୋଇଥିବା ଜଣାପଡ଼ିଛି।

ଆଜି ଦିନତମାମର ହାଇଭୋଲଟେଜ୍ ଡ୍ରାମା ପରେ ଅପରାହ୍ନରେ ସର୍ବଦଳୀୟ ବୈଠକ ବସି ଆସନ୍ତାକାଲିଠୁ ଗୃହକୁ ସ୍ୱାଭାବିକ କରିବା ନିମନ୍ତେ ସହମତି ହୋଇଛି। ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ।

ବୈଠକ ପରେ ବାଚସ୍ପତି ଶ୍ରୀ ପାତ୍ର ଘୋଷଣା କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ସାଢ଼େ ୧୧ଟାରେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟକୁ ଗୃହକୁ ଅବଗତ କରିବେ। ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସରକାରୀ ଦଳ ଆଣିଥିବା ଅଭିଯୋଗ ଆଉ ଗୃହରେ ଉପସ୍ଥାପିତ ହେବ ନାହିଁ। ଏହି ପ୍ରସଙ୍ଗ ସ୍ୱତନ୍ତ୍ର ସ୍ୱାଧିକାର କମିଟିକୁ ଯିବ। ଏଥିପାଇଁ ବାଚସ୍ପତି ଶ୍ରୀ ପାତ୍ର ଏକ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ କରି ଏହାର ଘୋଷଣା ଆସନ୍ତାକାଲି ଗୃହରେ କରିବେ। ଏହି କମିଟି ବିଧାୟକ ସୁବାସ ପାଣିଗ୍ରାହୀ ପ୍ରସଙ୍ଗରେ ବିଚାର କରିବା ପରେ ବାଚସ୍ପତିଙ୍କୁ ଅବଗତ କରାଇବେ।

ଆସନ୍ତାକାଲିଠୁ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର ଆଶାବ୍ୟକ୍ତ କରିବା ସହ ଗୃହକୁ ଆସନ୍ତାକାଲି ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବଭଳି ଅଚଳାବସ୍ଥା ଜାରି ରହିଥିଲା। କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଚାଷୀଙ୍କଠୁ ତୁରନ୍ତ ଧାନ କିଣିବା ଦାବିରେ ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିବାବେଳେ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଉଭୟ ଶାସକ ଓ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଏହାପରେ କଂଗ୍ରେସ ସଦସ୍ୟମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ ଜଣାଇଥିବାବେଳେ ବିଜେଡି ସଦସ୍ୟମାନେ ଲୋକସେବା ଭବନ ଯାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜେପି ସଦସ୍ୟମାନେ ବିଧାନସଭାରୁ ଏକ ଶୋଭଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ବାହାରି ପ୍ରଥମେ ଲୋକସେବା ଭବନ ଓ ପରେ ନବୀନ ନିବାସ ଯାଇଥିଲେ।

ବିଜେପି ସଦସ୍ୟମାନଙ୍କ ପଛରେ ବିଜେଡି ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇଥିଲେ। ଆଉ ନବୀନ ନିବାସ ଗେଟ ବାହାରେ ବିଜେପି ସଦସ୍ୟମାନେ ଧାରଣାରେ ବସିଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସି ସେମାନଙ୍କୁ ଭିତରକୁ ପାଛୋଟି ନେଇ ପ୍ରାୟ ୩୦ମିନିଟ୍ ଧରି ଆଲୋଚନା କରିଥିଲେ।

ଧାନକିଣା ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ବାଚସ୍ପତିଙ୍କ ସହ କଥା ହେବେ ବୋଲି ସୂଚନା ଦେଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଆଲୋଚନାବେଳେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କଥା ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥିଲା।

ସୂଚନାଯୋଗ୍ୟ, ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇଥିବାବେଳେ ସେହି ଦିନଠୁ ଆଜିପର୍ଯ୍ୟନ୍ତ ଗୃହରେ କୌଣସି କାର୍ଯ୍ୟ ହୋଇପାରିନି। ଶାସକ ଓ ବିରୋଧୀଙ୍କ ଜିଦ୍ ଯୋଗୁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଆସୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।