ବିବାଦୀୟ ପ୍ରଣବଙ୍କ ନେତୃତ୍ୱରେ ଧାମନଗର ଲଢ଼େଇ, ବିଜେଡିରେ ବିସ୍ଫୋରକ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ୨ଦିନ ଥିବାବେଳେ ବିଜେଡି ଓ ବିଜେପି ପକ୍ଷରୁ ଦଳୀୟ ନେତାମାନଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ ସହ ପ୍ରଚାର କାର୍ଯ୍ୟ ଜୋରଦାର ଢଙ୍ଗରେ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ଓ ପରିଚାଳନାର ସମସ୍ତ ଦାୟିତ୍ୱ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନ୍ୟସ୍ତ ହୋଇଥିବାକୁ ନେଇ ବିଜେଡିରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦଳର ଅଭିଜ୍ଞ ତଥା ସାଂଗଠନିକ ଦକ୍ଷତା ଥିବା କ୍ଲିନ୍ ଇମେଜ୍ ନେତାମାନଙ୍କୁ ଅଣଦେଖା କରି କେବଳ ଯାଜପୁର ଓ ଭଦ୍ରକ ଜିଲ୍ଲାର ଦଳୀୟ ନେତାମାନଙ୍କୁ ନେଇ ଧାମନଗରରେ ବିଜେଡି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ତଥା ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ଭଳି ନେତାଙ୍କୁ ଅଣଦେଖା କରି ଅପ୍ରତ୍ୟାଶିତ ଭାବେ ଅବନ୍ତୀ ଦାସ ନାମକ ଜଣେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାକୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି ।

ବିଜେଡି ନିଜ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନିର୍ବାଚନରେ ମାର୍କେଟିଂ କରୁଥିବାବେଳେ ପୁଳାପୁଳା ଦୁର୍ନୀତି ଓ କେଳେଙ୍କାରୀ ଅଭିଯୋଗରେ ବିବାଦୀୟ ପ୍ରଣବ ବଳବନ୍ତରାୟଙ୍କୁ ଧାମନଗରରେ ନିର୍ବାଚନ ପରିଚାଳନାର ନେତୃତ୍ୱ ଦାୟିତ୍ୱ ନ୍ୟସ୍ତ କରି ବିଜେଡି ପରୋକ୍ଷରେ ‘ଚଟୁ ନିରାମିଷ, ବେଣ୍ଟ ଆମିଷ’ର ଫର୍ମୂଲା ଧାମନଗର ଉପନିର୍ବାଚନରେ ରଖିବାକୁ ଉଦ୍ୟମ କରିଛି । ଆଉ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ଧାମନଗରର ବିଜେଡି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଗତ କିଛିଦିନ ଧରି ଦଳର ନେତାମାନଙ୍କ ସହ ମିଶି ପ୍ରଚାର ମଇଦାନରେ ସକ୍ରିୟ ରହିଛନ୍ତି । ଅନ୍ୟତମ ଆଶାୟୀ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ବୁଝାସୁଝା କରିବା ପରେ ସେ ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଥିଲେ ଏବଂ ରାଜେନ୍ଦ୍ରଙ୍କୁ ଦଳୀୟ ଟିକେଟ୍ ମିଳିବାର ସମ୍ଭାବନା ଅଧିକ ଥିଲା ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଆଜି ଅଚାନକ ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଡକାଇ ତାଙ୍କୁ ପ୍ରାର୍ଥୀ କରାଯିବନି ଓ ଅବନ୍ତୀ ଦାସଙ୍କୁ ଦଳ ଟିକେଟ୍ ଦେବ ବୋଲି ଘୋଷଣା କରିଛି । ଯାହାକୁ ନେଇ ଧାମନଗରରେ ରାଜେନ୍ଦ୍ରଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯଦିଓ ଆନୁଷ୍ଠାନିକ ଭାବେ କେହି କିଛି କହୁନାହାନ୍ତି ମାତ୍ର ଧାମନଗର ବିଜେଡିରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି ।

ଧାମନଗର ବ୍ଲକରେ ବିଜେପିର ସୁଦୃଢ଼ ସଂଗଠନ ଥିବାବେଳେ ରାଜେନ୍ଦ୍ର ଓ ମୁକ୍ତିକାନ୍ତଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଯୋଗୁ ଧାମନଗର ଏନଏସି ବି ଏବେ ହାତଛଡ଼ା ଅବସ୍ଥାକୁ ଆସିଯାଇଛି । ତା’ଛଡ଼ା ତିହିଡ଼ି ବ୍ଲକ ଅଧ୍ୟକ୍ଷ ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିବାକୁ ବିଜେଡି ପ୍ରୟାସ କରୁଥିଲେ ଧାମନଗର ବିଧାନସଭାରେ ଥିବା ତିହିଡ଼ିର ମାତ୍ର ୧୨ଟି ପଂଚାୟତରେ ବି ଅବନ୍ତୀ ସ୍ଥିତି ଭଲ ନଥିବା ଜଣାପଡ଼ିଛି । ରାଜେନ୍ଦ୍ର ଓ ମୁକ୍ତିକାନ୍ତ ମଧ୍ୟ ନିର୍ବାଚନମଣ୍ଡଳୀରେ ଆଉ ଗୋଟିଏ ନୂଆ ଶକ୍ତି ଉଭା ହେବାକୁ ସହଜରେ ନେଇପାରୁନଥିବାରୁ ସେମାନଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଆଉ ପ୍ରାର୍ଥୀ ଚୟନରେ ଏଭଳି ଅନ୍ତର୍ଘାତୀ କାର୍ଯ୍ୟ ଓ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପଛରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ଜୋରଦାର ଲବି କାମ ଦେଲା ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଧାମନଗର ଉପନିର୍ବାଚନ ପରିଚାଳନାର ସମସ୍ତ ଦାୟିତ୍ୱ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କୁ ଦିଆଯାଇଛି । ସେ ନିର୍ବାଚନ ପରିଚାଳନା ନିମନ୍ତେ ନିଜ ଟିମ୍ ଚୟନ କରିଛନ୍ତି । ଯେଉଁମାନେ ତାଙ୍କ କଥା ଶୁଣିବେ ସେଭଳି ନେତାମାନଙ୍କୁ ନିଜ ଟିମରେ ସେ ସାମିଲ କରିଥିବା ଜଣାପଡ଼ିଛି । ତେବେ ଚିଟଫଣ୍ଡ ଦୁର୍ନୀତିରେ ୨ଥର ସିବିଆଇ ଦ୍ୱାରା ଜେରା, ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସ ସହ ବ୍ୟବସାୟିକ ଲିଙ୍କ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା, ଘଙ୍ଗାପାଟଣା ଜମି ଦୁର୍ନୀତି, ଇଚ୍ଛାଧୀନ କୋଟାରେ ଏକାଧିକ ଘର ନେଇ ସେଥିରୁ ୨ଟି ଫେରସ୍ତ କରିବା, ମାମୁ-ଭଣଜା ଘାଇ ଓ ଡଙ୍କାରୀ ପାହାଡ଼ ଲୁଟ୍ ଆଦି ମାମଲାରେ ବିଧାୟକ ଶ୍ରୀ ବଳବନ୍ତରାୟ ବିବାଦୀୟ ଥିବାବେଳେ ଏଭଳି ନେତାଙ୍କୁ ବିଜେଡି କିପରି ଧାମନଗର ଉପନିର୍ବାଚନ ଦାୟିତ୍ୱ ଦେଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଇଚ୍ଛାଧୀନ କୋଟାରେ ଘର ୨୦୧୪ ସେପ୍ଟେମ୍ବର ୧୦ରେ ଦୁଇଟି ସରକାରୀ ଘର ଫେରାଇଥିବା ପ୍ରଣବଙ୍କୁ ଏଟି ଗ୍ରୁପ୍ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ୨ଥର ଜେରା କରିଛି । ଶେଷଥର ୨୦୧୮ ମେ’ ମାସରେ ଜେରା କରିଥିବାବେଳେ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସ ସହ ଲୁହାପଥର କାରବାର ପାଇଁ ଇଡି ମଧ୍ୟ ସେହି ମେ’ ମାସରେ ଜେରା କରିଥିଲା । ତାଙ୍କ ନାଁରେ ଘଙ୍ଗାପାଟଣାର ୨ଏକର ସରକାରୀ ଜମି ବେଆଇନ ଭାବେ ରେକର୍ଡଭୁକ୍ତ ହେବା ଓ ତାଙ୍କ ଟ୍ରଷ୍ଟ ଦ୍ୱାରା ଏକର ଏକର ସରକାରୀ ଜମି ମଧ୍ୟ ଜବରଦଖଲରେ ରହିଛି । କେବଳ ସେତିିକି ନୁହେଁ ମାମୁଁ-ଭଣଜା ନଦୀ ଘାଇ ଭଙ୍ଗା ମାମଲାରେ ଲୋକାୟୁକ୍ତ ତାଙ୍କୁ ନୋଟିସ୍ ବି କରିଥିଲେ । ଡଙ୍କାରୀ ପାହାଡ଼ ଲୁଟ୍ ମାମଲାରେ ତାଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି । ଏସବୁ ସତ୍ତ୍ୱେ ତାଙ୍କୁ ବିଜେଡି କିଭଳି ଧାମନଗର ଉପନିର୍ବାଚନ ପରିଚାଳନା ଦେଇଛି ତାହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ପାଇଁ ପ୍ରମିଳା ମଲ୍ଲିକଙ୍କୁ ତିହିଡ଼ି ବ୍ଲକ ଦାୟିତ୍ୱ ମିଳିଥିବାବେଳେ ଧାମନଗର ବ୍ଲକ ଦାୟିତ୍ୱରେ ମଞ୍ଜୁଲତା ମଣ୍ଡଳ ଓ ଅଶୋକ ନାୟକ, ଧାମନଗର ଏନଏଏସି ଦାୟିତ୍ୱରେ ପ୍ରଫୁଲ୍ଲ ସାମଲ ଓ ଭବପ୍ରସାଦ ଦାସ, ତିହିଡି ଜୋନ-୧ ଦାୟିତ୍ୱରେ ବ୍ୟୋମକେଶ ରାୟ ଓ ଜ୍ୟୋତି ପ୍ରାଣିଗ୍ରାହୀ, ତିହିଡି ଜୋନ-୨ରେ ବିଷ୍ଣୁବ୍ରତ ରାଉତରାୟ ଓ ପର୍ଶୁରାମ ଧଡ଼ା, ଧାମନଗର ବ୍ଲକ୍ ଜୋନ-୧ରେ ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓ, ଧାମନଗର ବ୍ଲକ ଜୋନ-୨ରେ ଅଶୋକ ବଳ ଓ ସୁନନ୍ଦା ଦାସ, ଧାମନଗର ବ୍ଲକ ଜୋନ-୩ରେ ଅମର ପ୍ରସାଦ ଶତପଥୀ ଓ ଜୋନ୍‌- ୪ରେ ସଞ୍ଜିବ ମଲ୍ଲିକଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ତେବେ ବିଜେଡି ଏକ ଆଂଚଳିକ ଦଳ ହୋଇଥିବାବେଳେ ଦଳର ଅଭିଜ୍ଞ ଓ କ୍ଲିନ୍ ଇମେଜ୍ ଥିବା ନେତାମାନଙ୍କୁ ପଛରେ ପକାଇ ଏପରି ବିବାଦୀୟ ଓ ନିର୍ଦ୍ଦିଷ୍ଟ ଗୋଟିଏ ଜିଲ୍ଲାର ନେତାମାନଙ୍କୁ ଅଗ୍ରାଧିକାର ଦିଆଯିବା ତଥା ଦଳୀୟ ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନାକୁ ନେଇ ବିଜେଡିରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।