ବିଜେଡି ଖେଳିଲା ଭାଷା କାର୍ଡ: ରାଷ୍ଟ୍ରପତିଙ୍କୁ ଭେଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପୁଣିଥରେ ‘ଭାଷା’କୁ ନେଇ ନିଜର ରାଜନୀତିକ ଗୋଟି ଚାଳନା ଆରମ୍ଭ କରିଛି। ଓଡ଼ିଶା ଗସ୍ତରେ ଆସି ପହଂଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ବିଜେଡି ପ୍ରତିନିଧି ଦଳ ରାଜ୍ୟରେ ପ୍ରଚଳିତ ୪ଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଆନୁଷ୍ଠାନିକ ଭାବେ ଦାବି କରିବ। ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି। ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତବେଳେ ‘ଭାଷା’କୁ ଆଳ କରି ବିଜେଡି ଯେଉଁ ରାଜନୀତିକ ଗୋଟି ଚଳାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ଓ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । ସାଢ଼େ ୪କୋଟି ଓଡ଼ିଆ ଲୋକଙ୍କ ମଧ୍ୟରୁ ୧କୋଟି ଲୋକଙ୍କ ମାତୃଭାଷା ଅଲଗା। ସେମାନେ କୋଶଳୀ, ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାରେ କଥା ହୋଇଥାନ୍ତି। ତେଣୁ ଏହି ଭାଷାଗୁଡ଼ିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ ଓ ଭାଷାକୁ ମାନ୍ୟତା ମିଳୁ। ରାଷ୍ଟ୍ରପତିଙ୍କୁ ଭେଟି ବିଜେଡି ପକ୍ଷରୁ ଏ ସକ୍ରାନ୍ତରେ ସ୍ମାରକପତ୍ର ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ବିଜେଡି ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, କୋଶଳୀ ଭାଷାକୁ ରାଜ୍ୟର ପଶ୍ଚିମଓଡ଼ିଶାର ପ୍ରାୟ ୭୫ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। କୋଶଳୀ ଭାଷାରେ ରାମାୟଣ,ମହାଭାରତ ସହ ବିଭିନ୍ନ ସମୟରେ ଭାଷାଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । କୋଶଳୀ ଭାଷାରେ ମଧୁରତା ରହିଛି ଓ ଏହି ଆତ୍ମାକୁ ଛୁଇଁଯାଏ। ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାର କ୍ରମାଗତ ପ୍ରୟାସ କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏତେ ପୁରୁଣା ଭାଷା ହୁଏତ ବିଲୁପ୍ତ ହୋଇଯିବ ବୋଲି ସେ କ୍ଷୋଭ ବ୍ୟକ୍ତ କରିଛନ୍ତି। ପଶ୍ଚିମଓଡ଼ିଶାର ୪ଜଣ ବିଜେପି ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନୀତେଶ ଗଙ୍ଗଦେବ ଓ ସଙ୍ଗୀତା ସିଂହଦେଓଙ୍କୁ ଟାର୍ଗେଟ୍ କରି କୋଶଳୀ ଭାଷାକୁ ମାନ୍ୟତା ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ ଓଡ଼ିଶାରେ ୧୦ଲକ୍ଷ ଲୋକ ‘ହୋ’ ଭାଷା ବ୍ୟବହାର କରୁଛନ୍ତି। ଏହି ଭାଷାରେ ମାଧୁର୍ଯ୍ୟ ଅଛି। ଏହାକୁ ମାନ୍ୟତା ନମିଳିଲେ ଏହା ଲୋପ ପାଇଯିବ। ‘ହୋ’ ଭାଷାଭାଷୀ ଲୋକଙ୍କୁ ଓଡ଼ିଆରେ କହିବାକୁ ଅସୁବିଧା ହୁଏ। ଭାଷାକୁ ମାନ୍ୟତା ମିଳିଲେ ସମାଜ ସହ ସେମାନେ ତାଳ ଦେଇ ଚାଲିପାରିବେ।

ତେବେ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବିଜେଡିର ଏହି ଭାଷା କାର୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜନୀତିକ ବିଶ୍ଲେଷକଙ୍କ ମତରେ , ଶାସକ ବିଜେଡି ଚାହିଁଥିଲେ ସର୍ବଦଳୀୟ ପ୍ରତିନିଧିଙ୍କ ନେତୃତ୍ୱ ନେଇ ରାଷ୍ଟ୍ରପତିଙ୍କୁ ଏହି ଭାଷା ସଂକ୍ରାନ୍ତରେ ଦାବିପତ୍ର ଦେଇପାରିଥାନ୍ତା। ମାତ୍ର ସେଭଳି ନକରି ବିଜେଡି ନିଜେ ଏକାକୀ ସ୍ମାରକପତ୍ର ଦେଇ ରାଜନୀତିକ ସ୍ୱାର୍ଥ ଆଶା ରଖିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୪ ସାଧାରଣ ନିର୍ବାଚନର ଠିକ ପୂର୍ବରୁ ମାର୍ଚ୍ଚ ୧ରେ ତତକାଳୀନ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ‘କୋଶଳୀ’ ଓ ‘ହୋ’କୁ ସମ୍ବିଧାନିକ ମାନ୍ୟତା ଦେବାକୁ ଦାବି କରିଥିଲେ। ୨୦୧୫ ଜୁଲାଇ ୧୪ରେ ତତକାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଏନେଇ ଚିଠି ଲେଖିଥିବାବେଳେ ୨୦୧୮ ଅଗଷ୍ଟ ମାସରେ ମଧ୍ୟ ରାଜ୍ୟ ସରକାର କୋଶଳୀ, ହୋ,ମୁଣ୍ଡାରୀ ଓ ଭୂମିଜକୁ ମାନ୍ୟତା ଦାବି କରିଥିଲେ । ସେହିପରି ୨୦୧୮ ଡିିସେମ୍ବର ମାସରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଦିବାସୀ ନେତାଙ୍କ ଏକ ପ୍ରତିନିଧି ଦଳ ତତକାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ‘ହୋ’ ଭାଷାକୁ ମାନ୍ୟତା ଦାବି କରିଥିଲେ।

ଅନ୍ୟପକ୍ଷରେ, ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମଗାଯାଇଛି ଓ ସମ୍ଭବତଃ ଆସନ୍ତାକାଲି ସନ୍ଧ୍ୟାରେ ରାଜଭବନରେ ବିଜେଡି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ‘ହାଇକୋର୍ଟ ବେଂଚ’ ସ୍ଥାପନକୁ ନେଇ ନିରବ ରହିଥିବା ଶାସକ ବିଜେଡି ଏପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ଠିକ୍ ଭାବେ ସରକାରୀ କାର୍ଯ୍ୟାଳୟରେ ଉପଯୋଗ କରାଇପାରିନି। ଏବେ ଭାଷା କାର୍ଡ ଖେଳି ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’କୁ ଭାଗଭାଗ କରିବାର ମଞ୍ଜି ବିପନ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।